ଇରାନୀ କପ୍‌ରେ ଦ୍ୱିଶତକ ମାରିବାରେ ସରଫରାଜ ଚତୁର୍ଥ ଯୁବ ବ୍ୟାଟର, ହାସଲ କଲେ ଏହି ଖାସ୍ ଉପଲବ୍ଧି

Published By : Prameya-News7 Bureau | October 02, 2024 IST

ନୂଆଦିଲ୍ଲୀ: ମୁମ୍ୱାଇ ପାଇଁ ବ୍ୟାଟର ସରଫରାଜ ଖାନ ରେଷ୍ଟ ଅଫ୍ ଇଣ୍ଡିଆ ବିପକ୍ଷରେ ଚମତ୍କାର ବ୍ୟାଟିଂ କରି ଦ୍ୱିଶତକ ହାସଲ କରିଛନ୍ତି । ୨୬ ବର୍ଷ ୩୪୬ ଦିନ ବୟସର ସରଫରାଜ ଇରାନୀ କପରେ ଦ୍ୱିଶତକ ହାସଲ କରିବାରେ ଚତୁର୍ଥ ଯୁବ ବ୍ୟାଟର ହୋଇଛନ୍ତି । ଏହାସହ ଇରାନୀ କପରେ ଏପରି କରିବାରେ ସେ ପ୍ରଥମ ବ୍ୟାଟର ହୋଇଛନ୍ତି । ସରଫରାଜଙ୍କ ଦ୍ୱିଶତକ ବଳରେ ମୁମ୍ୱାଇ ପ୍ରଥମ ଇନିଂସରେ ବିଶାଳ ସ୍କୋର କରିଛି ।

ସେହିପରି ଇରାନୀ କପରେ ମୁମ୍ୱାଇ ପକ୍ଷରୁ ସର୍ବାଧିକ ରନ୍ କରିଥିବା ବ୍ୟାଟର ହୋଇଛନ୍ତି । ସେ ଏହି ମାମଲାରେ ରାମନାଥ ପାରକରଙ୍କୁ ପଛରେ ପକାଇଛନ୍ତି । ୧୯୭୨ ମସିହାରେ ପାରକର ୧୯୫ ରନ୍ କରିଥିଲେ । ସରଫରାଜ ପ୍ରଥମ ଶ୍ରେଣୀ କ୍ରିକେଟରେ ୧୫ ଶତକ ମାରି ସାରିଛନ୍ତି ଏବଂ ଘରୋଇ କ୍ରିକେଟରେ ନିଜ ଛାପ ଛାଡ଼ି ଆସୁଛନ୍ତି । ସରଫରାଜଙ୍କ ପୂର୍ବରୁ ଯଶସ୍ୱୀ ଜୈସ୍ୱାଲ ୨୧ ବର୍ଷ ୬୩ ଦିନ ବୟସରେ ଇରାନୀ ଟ୍ରଫିରେ ଦ୍ୱିଶତକ ମାରିଥିଲେ । ଏହି ଦୁଇ ବ୍ୟାଟରଙ୍କ ବ୍ୟତୀତ ଇରାନୀ କପରେ ଦ୍ୱିଶତକ ମାରିଥିବା ସବୁଠୁ ଯୁବ ବ୍ୟାଟର ପ୍ରବୀଣ ଆମରେ (୨୨ ବର୍ଷ ୮୦ ଦିନ) ଏବଂ ଗୁଣ୍ଡପ୍ପା ବିଶ୍ୱନାଥ (୨୫ ବର୍ଷ ୨୫୫ ଦିନ) ସାମିଲ ଅଛନ୍ତି ।

ସରଫରାଜଙ୍କ ଜମଦାର ବ୍ୟାଟିଂ ବଳରେ ମୁମ୍ୱାଇ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୯ ୱିକେଟ୍ ହରାଇ ୫୩୬ ରନ କରିବାରେ ସଫଳ ହୋଇଛି । ଷ୍ଟମ୍ପ ସୁଦ୍ଧା ସରଫରାଜ ୨୭୬ ବଲରେ ୨୫ ଚୌକା ଏବଂ ଚାରି ଛକା ବଳରେ ୨୨୧ ରନ୍ କରି ଅପରାଜିତ ଅଛନ୍ତି । ନିଜର ଏହି ଇନିଂସ ବଳରେ ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ଼, ଶିଖର ଧାୱନ ଏବଂ ଜୈସ୍ୱାଲଙ୍କ ପରି ବ୍ୟାଟରଙ୍କ କ୍ଲବରେ ସରଫରାଜ ସାମିଲ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.