ମହିଳା ଟି-୨୦ କ୍ରିକେଟ୍ ବିଶ୍ବକପ; ୪ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଭାରତ

Published By : Prameya-News7 Bureau | October 03, 2024 IST

ମୁମ୍ବାଇ: ଦୁବାଇ, ୦୩/୧୦: ମହିଳା ଟି-20 କ୍ରିକେଟ୍ ବିଶ୍ବକପ୍ । ଗୁରୁବାରଠୁ ଆରମ୍ଭ ହେଉଛି ନବମ ସଂସ୍କରଣ । ଏଥର ମହିଳା ଫଟାଫଟ୍ କ୍ରିକେଟ୍ ମହାକୁମ୍ଭରେ ୧୦ଟି ଦଳ ଭାଗ ନେଇଥିବାବେଳେ ସେମାନଙ୍କ ମଧ୍ୟରେ ୨୩ଟି ମ୍ୟାଚ୍ ଖେଳାଯିବ । ବିଶ୍ୱକପ୍‌ ୩ରୁ ଆରମ୍ଭ ହୋଇ ୨୦ ତାରିଖରେ ଉଦ୍‌ଯାପିତ ହେବ ।  ବାଂଲାଦେଶ ଏହି ବିଶ୍ୱକପ୍‌ର ଆୟୋଜକି ଦେଶ କିନ୍ତୁ  ଦେଶରେ ରାଜନୈତିକ ଅସ୍ଥିରତା ଓ ସୁରକ୍ଷା ସମସ୍ୟାକୁ ଦୃଷ୍ଟିରେ ରଖି ଆଇସିସି ଶେଷରେ ଟୁର୍ଣ୍ଣାମେଣ୍ଟକୁ ୟୁଏଇକୁ ସ୍ଥାନାନ୍ତରିତ କରିଛି । 

ମୋଟ୍ ୧୦ଟି ଦଳ ନବମ ସଂସ୍କରଣରେ  ଭାଗ ନେଇଛନ୍ତି । ସେମାନଙ୍କୁ ୨ଟି ଗ୍ରୁପ୍‌ରେ  ଭାଗ କରାଯାଇଛି । ଗ୍ରୁପ୍‌ ଏ’ ଭାରତ,  ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ପାକିସ୍ତାନ ଓ  ଶ୍ରୀଲଙ୍କା ଏବଂ ଗ୍ରୁପ୍‌ ବି’ରେ ବାଂଲାଦେଶ,  ଇଂଲଣ୍ଡ, ସ୍କଟଲାଣ୍ଡ, ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ । ଉଦ୍‌ଘାଟନୀ ଦିବସରେ ପାକିସ୍ତାନ ଓ ଶ୍ରୀଲଙ୍କା ଏବଂ ବାଂଲାଦେଶ ଓ  ସ୍କଟଲାଣ୍ଡ ମଧ୍ୟରେ ମ୍ୟାଚ୍‌ ଖେଳାଯିବ । ଗ୍ରୁପ୍‌  ପର୍ଯ୍ୟାୟ ଅକ୍ଟୋବର ୩ରୁ ଆରମ୍ଭ ହୋଇ ୧୫ ତାରିଖରେ ଶେଷ ହେବ  । ଉଭୟ  ଗ୍ରୁପ୍‌ର ଶ୍ରେଷ୍ଠ ୨ଟି ଦଳ ସେମି ଫାଇନାଲକୁ  ଉନ୍ନୀତ ହେବେ । ଅକ୍ଟୋବର ୧୭ ଓ ୧୮ ତାରିଖରେ ସେମି ଫାଇନାଲ ଖେଳାଯିବ । 

ଆସନ୍ତା ୪ ତାରିଖରୁ ନ୍ୟୁଜିଲାଣ୍ଡ  ବିପକ୍ଷରେ ଭାରତୀୟ ମହିଳା ଦଳ ଅଭିଯାନ ଆରମ୍ଭ କରିବ । ସେହିପରି ୬ରେ ପାକିସ୍ତାନକୁ, ୯ ତାରିଖରେ ଶ୍ରୀଲଙ୍କା ଏବଂ  ୧୩ ତାରିଖରେ ଅଷ୍ଟ୍ରେଲିଆକୁ ଭେଟିବ । ଗ୍ରୁପ୍‌  ଏ’ରେ ସବୁ ଦଳ ଶକ୍ତିଶାଳୀ । ଅଷ୍ଟ୍ରେଲିଆ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୬ ଥର ବିଶ୍ୱକପ୍‌ ବିଜୟୀ ଟିମ୍ ରହିଛି । କଙ୍ଗାରୁ ଟିମ୍ ୨୦୧୦,  ୨୦୧୨, ୨୦୧୪, ୨୦୧୮, ୨୦୨୦, ୨୦୨୩ରେ ହୋଇଥିବା ଟି-20 ବିଶ୍ବକପରେ ବିଜୟୀ ହୋଇଥିଲା । ଏହାଛଡ଼ା ଇଂଲଣ୍ଡ ୨୦୦୯ରେ ପ୍ରଥମ ସଂସ୍କରଣ ଓ ୱେଷ୍ଟଇଣ୍ଡିଜ ୨୦୧୬ରେ ଚାମ୍ପିଅନ ହୋଇଥିଲା । 

ଏଥର ଟି-20 ବିଶ୍ୱକପ୍‌ରେ ଭାରତ ପକ୍ଷରୁ ନେତୃତ୍ୱ ନେଉଛନ୍ତି ହର୍ମନପ୍ରୀତ କୌର । ଦଳର ଅନ୍ୟ ଖେଳାଳିମାନେ ହେଲେ ସ୍ମୃତି ମନ୍ଧନା, ଶେଫାଳି ବର୍ମା,  ଦୀପ୍ତି ଶର୍ମା, ଜେମିମା ରୋଡ୍ରିକ୍ସ,  ରିଚା ଘୋଷ, ୟସ୍ତିକା ଭାଟିଆ,  ପୂଜା ବସ୍ତ୍ରକାର, ଅରୁନ୍ଧତୀ ରେଡ୍ଡୀ, ରେଣୁକା  ସିଂ ଠାକୁର, ଦୟାଲାନ ହେମଲତା, ଆଶା  ଶୋଭନା, ରାଧା ଯାଦବ, ଶ୍ରୀୟଙ୍କା ପାଟିଲ   ଓ ସଜନା ସଞ୍ଜୀବନ । ଦୀର୍ଘ  ପ୍ରତୀକ୍ଷାର ଅନ୍ତଃ ଘଟାଇ ଏଥର ଭାରତୀୟ ଦଳ ଟାଇଟଲ ସ୍ୱପ୍ନ   ପୂରା କରିବା ଲକ୍ଷ୍ୟରେ ରହିଛି ।  ଭାରତ ୨୦୨୦ରେ ଫାଇନାଲ ଖେଳି  ରନର୍ସଅପ୍‌ରେ ରହିଥିଲା। 

ୟୁଏଇର ୨ଟି ସ୍ଥାନ ଦୁବାଇ ଓ ସାରଜାରେ  ବିଶ୍ୱକପ୍‌ ଖେଳାଯାଉଛି । ଦୁବାଇରେ ୨୫  ହଜାର ଏବଂ ସାରଜାରେ ୧୬ ହଜାର  ଦର୍ଶକ ମ୍ୟାଚ୍‌ ଦେଖିବାର ସୁବିଧା ରହିଛି ।  ଗ୍ରୁପ୍‌ରୁ ଫାଇନାଲ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ  ମୋଟ୍‌ ୨୩ଟି ମ୍ୟାଚ୍‌ ଖେଳାଯିବ । ଟୁର୍ଣ୍ଣାମେଣ୍ଟ  ଉଦ୍‌ଘାଟନୀ ପୂର୍ବରୁ ଆଜି ସମସ୍ତ ଦଳର  ଅଧିନାୟିକାଙ୍କୁ ନେଇ ଟ୍ରଫି ଉନ୍ମୋଚନ ଏବଂ  ଫଟୋସୁଟ୍‌ ହୋଇଥିଲା । ଏଥିରେ ୨ଟି ଓଟ  ଓ ୨ଟି ବାଜ ପକ୍ଷୀ ସାମିଲ ହୋଇଥିଲେ । 

  • T-20 wrold cup
  • T-20 wrold cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.