ଦାବିପୂରଣ ପାଇଁ ସେବାୟତଙ୍କ ପଦଯାତ୍ରା, ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦେବେ ଦାବିପତ୍ର

Published By : Prameya-News7 Bureau | September 02, 2024 IST

ଭଦ୍ରକ ୦୨।୦୯ : ବାରିପଦାରୁ ଭୁବନେଶ୍ୱର ଅଭିମୁଖେ ସେବାୟତଙ୍କ ପଦଯାତ୍ରା । ବାରିପଦା ଜଗନ୍ନାଥ ମନ୍ଦିରର ସେବାୟତଙ୍କ ତରଫରୁ ମନ୍ଦିରର ବିଭିନ୍ନ ସମସ୍ୟାକୁ ନେଇ ପଦଯାତ୍ରାରେ ବାହାରିଛନ୍ତି ସେବାୟତ ।  ୨୮ ତାରିଖରୁ ବାହାରି ଭଦ୍ରକ ଜିଲ୍ଲାରେ ପହଞ୍ଚିଛନ୍ତି ସେବାୟତ। ଭଦ୍ରକ ଜିଲ୍ଲାରେ ପହଞ୍ଚିବା ମାତ୍ରେ ଜିଲ୍ଲାର ବିଶ୍ୱ ହିନ୍ଦୁ ପରିଷଦ ଓ ଧର୍ମରକ୍ଷା ସମିତି ପକ୍ଷରୁ ତାଙ୍କୁ ସ୍ୱାଗତ ଜଣାଇବା ସହ ବାଇପାସ ଜଗନ୍ନାଥ ମନ୍ଦିର ନିକଟକୁ ଆଣିଥିଲେ। ସେଠାରେ ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହୋଇଥିଲା । 

ଏହି ସାମ୍ବାଦିକ ସମ୍ମିଳନୀରେ ସେବାୟତମାନେ ଅଭିଯୋଗ କହିଛନ୍ତି ଯେ, ୨ୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦାର ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ୪୪ ହଜାର ଏକର ଜମିକୁ ଶାଗ, ମାଛ ଦରରେ ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ ରାଜନେତାମାନେ ହରିଲୁଟ କରିଛନ୍ତି। ସେହି ଠାକୁରଙ୍କ ଜମିକୁ ପୂର୍ଣ୍ଣ ଉଦ୍ଧାର କରିବା ସହ  ଭାଙ୍ଗିଥିବା ସ୍ଵର୍ଣ ଅଳଙ୍କାର ପୂର୍ଣ୍ଣ ଉଦ୍ଧାର କରାଯାଉ। ମହାପ୍ରଭୁଙ୍କ ନୀତିକାନ୍ତି ଠିକ୍‌ ଭାବରେ ହୋଇପାରୁନାହିଁ । ଏପିରିକି ମହାପ୍ରଭୁଙ୍କର ସେବା କରୁଥିବା ସେବାୟତଙ୍କ ପାଇଁ ମଧ୍ୟ କୌଣସି ସୁବିଧା ନାହିଁ । ଫଳରେ ବହୁ ସମସ୍ୟାକୁ ନେଇ ବାରମ୍ବାର ସ୍ଥାନୀୟ ପ୍ରଶାସନଙ୍କୁ ଅବଗତ କରାଯାଇଥିଲେ, ହେଲେ କେହି ଶୁଣୁ ନାହାନ୍ତି । ଯାହାକୁ ନେଇ ସେବାୟତଙ୍କ ତରଫରୁ ପଦଯାତ୍ରା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସେବାୟତମାନେ ଭୁବେନେଶ୍ୱର ଅଭିମୁଖେ ପଦଯାତ୍ରାରେ ବାହାରିଛନ୍ତି। ଭୁବେନେଶ୍ୱର ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ସମସ୍ୟା ଜଣାଇବେ। ନୂତନ ସରକାର ସେମାନଙ୍କ ଦାବି ଶୁଣିବେ ବୋଲି ସେବାୟତମାନେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.