ବ୍ୟାସ ବାରିକ ହତ୍ୟାକାଣ୍ଡ, ୪ ମାସ ପରେ ଫେରାର ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

Published By : Prameya-News7 Bureau | February 11, 2025 IST

ବୌଦ୍ଧ ୧୧।୦୨ : ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନା ନୂଆମୁଣ୍ଡା ଗାଁର ବ୍ୟାସ ବାରିକ ହତ୍ୟାକାଣ୍ଡ ମାମଲା । ୪ ମାସ ପରେ ପୋଲିସକୁ ମିଳିଛି ସଫଳତା । ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏହାସହ ଅଭିଯୁକ୍ତଙ୍କ ନିକଟରୁ ୨ଟି ଦେଶୀ ପିସ୍ତଲ, ୧୬ଟି ଜୀବନ୍ତ ଗୁଳି, ରକ୍ତ ଲଗା ଷ୍ଟିଲ୍‌ ରଡ୍, ଭୁଜାଲି ସହିତ ହତ୍ୟାକାଣ୍ଡରେ ବ୍ୟବହୃତ ବହୁ ସାମଗ୍ରୀ ଜବତ କରିଛି ପୋଲିସ । 

ଖବର ଅନୁଯାୟୀ, ଗତ ଅକ୍ଟୋବର ୮ ତାରିଖ ରାତି ସମୟରେ କିଛି ଅଜଣା ଦୁର୍ବୃତ୍ତ ଘଣ୍ଟାପଡ଼ା ଥାନା ନାରାୟଣପ୍ରସାଦର ନୂଆଁମୁଣ୍ଡା ଗାଁର କୁଶଳେଶ୍ୱର ବାରିକଙ୍କ ଏକ ମାତ୍ର ପୁଅ ବ୍ୟାସ ବାରିଙ୍କୁ ହତ୍ୟା କରିଥିଲେ । ଏକ ବନ୍ଧୁକରେ ଗୁଳି କରିବା ସହିତ ଧାରୁଆ ଅସ୍ତ୍ର ସହାୟତାରେ ଅତି ନିର୍ମମ ଭାବେ କରି ନାରାୟଣପ୍ରସାଦ-ବରଗାଁ ରାସ୍ତା ନିକଟ ଏକ ବିଲରେ ଫିଙ୍ଗି ଦେଇଥିଲେ । ତେବେ ବ୍ୟାସ ବାରିକଙ୍କୁ ହତ୍ୟା କରାଯାଇଥିବା ବଡ଼ ଭାଇ ଦିବ୍ୟ ବାରିକ ଘଣ୍ଟାପଡ଼ା ଥାନରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗକୁ ଆଧାର କରି ଛାନ୍‌ଭିନ୍‌ ଆରମ୍ଭ କରିଥିଲା । ଦୀର୍ଘ ଦିନ ଧରି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ପୋଲିସ । ଶେଷରେ ଅକ୍ଟୋବର ୧୧ ତାରିଖରେ ନାରାୟଣ ପ୍ରସାଦ ଗାଁର ଜଣେ ଅଭିଯୁକ୍ତ କିରତି ବାଘକୁ ଗିରଫ କରିବା ସହ ତାଙ୍କ ନିକଟରୁ ବିଭିନ୍ନ ସାମଗ୍ରୀ ଜବତ କରିଥିଲା ପୋଲିସ । ଏହାପରେ ବାକି ଅଭିଯୁକ୍ତଙ୍କ ସଂପର୍କରେ ତଥ୍ୟ ମଧ୍ୟ ପାଇଥିଲା ପୋଲିସ । ବାକି ଅଭିଯୁକ୍ତମାନେ ଦେଢେନମାଲ ଆଦିବାସୀ ପଡିଆ ସ୍ଥିତ କ୍ଲବ ଘରେ ଲୁଚି ରହିଥିବାର ଖବର ପାଇ ପୋଲିସ ଚଢାଉ କରିଥିଲା । ଆଉ ଏହି ଚଢାଉରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ ।  

ତେବେ ଗିରଫ ଅଭିଯୁକ୍ତ ମାନେ ଘଣ୍ଟାପଡା ଥାନା ନାରାୟଣପ୍ରସାଦର ଜିତେନ୍ଦ୍ର ମହାକୁଡ଼, ରଥପଡା ଗ୍ରାମର ବିକାଶ ଶାଣ୍ଢ, ଜଗନ୍ନାଥ ମନ୍ଦିର ସାହିର ରାଜେଶ ବାଘ , ସାନଖୋଲିର ଶ୍ରୀଧର ସାହୁ, ତଳସାହି ଗ୍ରାମର ଶେଷ ପ୍ରଧାନ, ବଲାଙ୍ଗିର ଜିଲ୍ଲା ଜଣ୍ଟିପଦର ଗ୍ରାମର ରତନ ପ୍ରଧାନ ଓ ପୁରୀ ଜିଲ୍ଲା ପିପିଲି ଥାନା ମଙ୍ଗଳପୁର ଗ୍ରାମର ଲିଟୁନା ବିଶ୍ଵାଳ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଗଞ୍ଜେଇ ବ୍ୟବସାୟକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ପୂର୍ବରୁ ବିବାଦ ହୋଇଥିଲା । ଯାହାପରେ ନାରାୟଣ ପ୍ରସାଦର ଗାଁର ବ୍ୟାସ ବାରିକଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୁକ୍ତମାନେ ପୁଲିସ ନିକଟରେ ସ୍ୱୀକାର କରିଥିବା ଜଣାପଡିଛି ।

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.