ଶିଳ୍ପା ସେଟ୍ଟୀ-ରାଜ କୁନ୍ଦ୍ରାଙ୍କର ବଢିଲା ଅଡୁଆ, ଠକେଇ ବିରୋଧରେ ଯାଞ୍ଚ ନିର୍ଦ୍ଦେଶ

Published By : Prameya-News7 Bureau | June 14, 2024 IST

ମୁମ୍ଵାଇ ୧୪।୦୬: ଗୋଲ୍ଡ ସ୍କିମ୍‌ରେ ଜଣେ ଜମାକାରୀଙ୍କୁ ଠକିବା ଅଭିଯୋଗରେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରା ଓ ଅନ୍ୟମାନଙ୍କ ବିରୋଧରେ ତଦନ୍ତ କରିବାକୁ ମୁମ୍ବାଇର ଏକ ଅଦାଲତ ପୋଲିସକୁ ନିର୍ଦ୍ଦେଶ ଦେଇଛି।

କୁନ୍ଦ୍ରା ଦମ୍ପତିଙ୍କ ଦ୍ୱାରା ପ୍ରତିଷ୍ଠିତ କମ୍ପାନୀ ସତ୍ୟୁଗ ଗୋଲ୍ଡ ପ୍ରା. ଲିଃ ସୁନା ସ୍କିମ୍‌ରେ ଲୋକଙ୍କ ଠାରୁ ଜମା ସଂଗ୍ରହ କରୁଥିଲା। ଏହି ସଂସ୍ଥାରେ ଜାଲିଆତି କରାଯାଉଥିବା ନେଇ ରିଦ୍ଧି ସିଦ୍ଧି ବୁଲିଅନ୍ସର ପରିଚାଳନା ନିର୍ଦ୍ଦେଶକ ପୃଥ୍ବୀରାଜ କୋଠାରି ଅଭିଯୋଗ କରିଥିଲେ। ଅଭିଯୁକ୍ତମାନଙ୍କ ବିରୋଧରେ ଠକେଇ, ବିଶ୍ଵାସଘାତ ଆଦି ଅଭିଯୋଗରେ ଏତଲା ଦାଏର କରି ତଦନ୍ତ କରିବାକୁ ଅତିରିକ୍ତ ସେସନ୍ସ ଜଜ୍‌ ଏନ୍‌.ପି. ମେହେଟ୍ଟା ବିକେସି ଥାନା ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

ଓକିଲ ହରିକୃଷ୍ଣ ମିଶ୍ର ଏବଂ ବିଶାଲ ଆଚାର୍ଯ୍ୟଙ୍କ ଅଭିଯୋଗ ଅନୁଯାୟୀ କୁନ୍ଦ୍ରା ଦମ୍ପତିଙ୍କ କମ୍ପାନୀରେ ୨୦୧୪ରେ ଗୋଲ୍ଡ ସ୍କିମ୍‌ ଆରମ୍ଭ କରିଥିଲେ।  କୋଠାରି ୫ ବର୍ଷିଆ ଯୋଜନାରେ ୯୦,୩୮,୬୦୦ ଟଙ୍କା ନିବେଶ କରିଥିଲେ। ପ୍ରତିଶ୍ରୁତି ଅନୁଯାୟୀ ତାଙ୍କୁ ୨୦୧୯ ଏପ୍ରିଲ ୨ରେ ୫,୦୦୦ ଗ୍ରାମ ୨୪ କ୍ୟାରେଟ୍‌ ସୁନା ମିଳିବା କଥା। ତେବେ ମାଚ୍ୟୁରିଟି ତାରିଖରେ ସେହି ପରିମାଣର ସୁନା ଦିଆଯାଇ ନ ଥିଲା ବୋଲି କୋଠାରି ଅଭିଯୋଗରେ ଦର୍ଶାଇଥିଲେ।  ଅଭିଯୋଗରେ ଦର୍ଶାଯାଇଛି ଯେ ଏହିପରି ଏକ ସମ୍ପୂର୍ଣ୍ଣ ଠକେଇ ଯୋଜନା କରି ଅଭିଯୁକ୍ତମାନେ ଷଡଯନ୍ତ୍ର କରି ପରସ୍ପର ସହ ଷଡଯନ୍ତ୍ର କରି ଠକେଇ ଏବଂ ବିଶ୍ୱାସ ଭଙ୍ଗ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.