ଅହମଦାବାଦ: ଏକ ହାଇସ୍କୋରିଂ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ଏକ ରୋମାଞ୍ଚଚର ବିଜୟ ହାସଲ କରିଛି । ଗୁଜରାଟ ଟାଇଟନ୍ସକୁ ୧୧ ରନରେ ପରାସ୍ତ କରି ବିଜୟ ସହ ଟୁର୍ଣ୍ଣାମେଣ୍ଟର ଯାତ୍ରା ଆରମ୍ଭ କରିଛି । ୨୪୪ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୨୩୨ ରନ୍ କରିବାରେ ସକ୍ଷମ ହେଲା ।
ଏକ ବିଶାଳ ଲକ୍ଷ୍ୟକୁ ପିଛା କରିବା ପାଇଁ ଓହ୍ଲାଇଥିବା ଗୁଜରାଟ ଟାଇଟନ୍ସକୁ ଭଲ ଆରମ୍ଭ ମିଳିଥିଲା । ଦୁଇ ଓପନରଙ୍କ ମଧ୍ୟରେ ୬୧ ରନ୍ ପାର୍ଟନରଶିପ ହୋଇଥିଲା । ଶୁଭମନ ଗିଲ୍ ୩୩ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ ସାଇ ସୁଦର୍ଶନ ଓ ବଟ୍ଲର୍ଙ୍କ ମଧ୍ୟରେ ୮୪ ରନ୍ ଭାଗୀଦାରି ହୋଇଥିଲା । ସାଇ ସୁଦର୍ଶନ ୭୪, ବଟ୍ଲର୍ ୫୪ ଓ ରଦରଫୋର୍ଡ ୪୬ ରନ୍ ଆଉଟ୍ ହୋଇଥିଲେ । ଭଲ ଆରମ୍ଭ ମିଳିବା ସତ୍ତ୍ୱେ ଗୁଜରାଟ ବିଜୟ ଲକ୍ଷ୍ୟ ହାସଲ କରିପାରିଲା ନାହିଁ । ପଞ୍ଜାବ ପାଇଁ ଅର୍ଶଦୀପ ସିଂ ସର୍ବାଧିକ ଦୁଇଟି ୱିକେଟ୍ ନେଇଥିଲେ ।
ପଞ୍ଜାବ କିଙ୍ଗ୍ସ ଇନିଂସ
ପ୍ରଥମେ ବ୍ୟାଟିଂ କରି ଅଧିନାୟକ ଶ୍ରେୟାସ ଆୟର ଓ ଶଶାଙ୍କ ସିଂଙ୍କ ଧୂଆଁଧାର ବ୍ୟାଟିଂ ବଳରେ ପଞ୍ଜାବ 20 ଓଭରରେ 5 ୱିକେଟ୍ ହରାଇ ୨୪3 ରନ୍ କରିଥିଲା । ପ୍ରଭସିମରନ୍ ୫ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ ପ୍ରିୟାଂଶ ଓ ଶ୍ରେୟସ ଆୟରଙ୍କ ମଧ୍ୟରେ ଅର୍ଦ୍ଧଶତକୀୟ ଭାଗୀଦାରି ହୋଇଥିଲା । ଶେଷରେ ଶଶାଙ୍କ ସିଂହ ବିସ୍ଫୋରକ ବ୍ୟାଟିଂ କରିଥିଲେ । ପଞ୍ଜାବ କିଙ୍ଗ୍ସ ପାଇଁ ପ୍ରିୟାଂଶ ଆର୍ୟା ୪୭, ଶ୍ରେୟସ ଆୟର ଅପରାଜିତ ୯୭ ଓ ଶଶାଙ୍କ ସିଂହ ୪୪ ରନ୍ କରି ଅପରାଜିତ ରହିଥିଲେ । ଗୁଜରାଟ ଟାଇଟନ୍ସ ପାଇଁ ସାଇ କିଶୋର ସର୍ବାଧିକ ୩ ୱିକେଟ୍ ନେଇଥିଲେ । ରାବାଡା ଓ ରାଶିଦ ଖାନ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।