ସାଉଦି ଆରବ ଇତିହାସରେ ପ୍ରଥମ ଘଟଣା, ହଜାର ବର୍ଷର ମରୁଭୂମିରେ ବରଫର ଚାଦର

Published By : Prameya-News7 Bureau | November 05, 2024 IST

ନୂଆଦିଲ୍ଲୀ: ମରୁଭୂମିରେ ବରଫର ଚାଦର । ସାଉଦି ଆରବର କିଛି ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ବରଫପାତ ହୋଇଛି । ଦେଶର ଅଲ୍-ଜୌଫର ମରୁଭୂମିରେ ପ୍ରବଳ ତୁଷାରପାତ ଦେଖିବାକୁ ମିଳିଛି, ଯାହା ଏହି ଅଞ୍ଚଳର ଇତିହାସରେ ପ୍ରଥମ ଘଟଣା । ନିଜ ଶୁଷ୍କ ଜଳବାୟୁ ପାଇଁ ପରିଚିତ ଏହି ଅଞ୍ଚଳ ଏବେ ଏକ ୱିଣ୍ଟର ୱାଣ୍ଡରଲାଣ୍ଡ ପାଲଟିଛି । ଅଞ୍ଚଳରେ ପ୍ରବଳ ବର୍ଷା ଏବଂ କୁଆ ପଥର ବର୍ଷା ପରେ ବରଫର ଏହି ଅଞ୍ଚଳ ସୃଷ୍ଟି ହୋଇଛି । ଜଳବାୟୁ ଦୃଷ୍ଟିରୁ ଏହା ଏକ ବିରାଟ ପରିବର୍ତ୍ତନ ବୋଲି କୁହାଯାଇଛି ।

ସାଉଦି ପ୍ରେସ୍ ଏଜେନ୍ସି ଅନୁସାରେ, ଅଲ୍-ଜୌଫ୍‌ରେ ତୁଷାରପାତର ପରେ ଶୀତଳ ଲହର ଏହି ଶୁଷ୍କ ଅଞ୍ଚଳରେ କେବେ ଦେଖିନଥିବା ପରିବେଶ ସୃଷ୍ଟି କରିଛି । ସାଉଦିର ଏହି ଘଟଣା ପାଣିପାଗ ବିଜ୍ଞାନୀଙ୍କୁ ଆଶ୍ଚର୍ଯ୍ୟ କରାଇଛି । ଉଲ୍ଲେଖଯୋଗ୍ୟ ଯେ ସାଉଦି ଗତ ସପ୍ତାହରୁ ଅସ୍ୱାଭାବିକ ପାଣିପାଗ ସାମନା କରୁଛି । ଅଲ୍-ଜୌଫ୍‌ରେ ଗତ ବୁଧବାର ପ୍ରବଳ ବର୍ଷା ସହ କୁଆ ପଥର ପଡ଼ିଥିଲା । ଏହାପରେ ଉତ୍ତର ସୀମା, ରିୟାଦ ଏବଂ ମକ୍କା ଅଞ୍ଚଳରେ ବି ବର୍ଷା ହୋଇଛି । ତବୁକ ଏବଂ ଅଲ୍ ବହାହ ଅଞ୍ଚଳରେ ବି ଜଳବାୟୁରେ ଏହି ପରିବର୍ତ୍ତନ ଦେଖିବାକୁ ମିଳିଛି ।

ୟୁଏଇର ରାଷ୍ଟ୍ରୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (ଏନସିଏମ)ର କହିବା ଅନୁସାରେ ଅସ୍ୱାଭାବିକ କୁଆ ପଥର ବର୍ଷା ଯୋଗୁଁ ଆରବ ସାଗରରୁ ଓମାନ ଯାଏ ନିମ୍ନ ଚାପ ପ୍ରଣାଳୀ ରହିଛି । ଏହି କାରଣରୁ ଶୁଷ୍କ ଅଞ୍ଚଳକୁ ଅଦ୍ରତାଯୁକ୍ତ ବାୟୁ ପ୍ରବେଶ କରୁଛି ।

ସାଉଦ ଆରବରେ ତୁଷାରପାତ ଏକ ବିରଳ ଘଟଣା । କିନ୍ତୁ ଦେଶର ପାଣିପାଗ ଗତ କିଛି ବର୍ଷରେ ଦ୍ରୁତ ବେଗରେ ବଦଳିବାରେ ଲାଗିଛି । କିଛି ବର୍ଷ ପୂର୍ବେ ସାହାରା ମରୁଭୂମିର ତାପାମାତ୍ରା ଅପ୍ରାତ୍ୟାଶିତ ଭାବେ ହ୍ରାସ ପାଇଁ -୨ ଡିଗ୍ରି ସେଲ୍‌ସିୟସ୍ ଯାଏ ଖସି ଆସିଥିଲା । ଗତ ଅକ୍ଟୋବର ୧୪ରେ ସାହାରା ମରୁଭୂମିରେ ବିରଳ ବନ୍ୟା ମଧ୍ୟ ଦେଖିବାକୁ ମିଳିଥିଲା । ଏହି ସବୁ ଘଟଣା ଜଳବାୟୁ ପରିବର୍ତ୍ତନକୁ ଦର୍ଶାଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.