ମାର୍ଶଲ୍ ଲ’ ଲାଗୁ ନିଷ୍ପତ୍ତି ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ଉପରେ ପଡ଼ିଲା ଭାରି, ସଂସଦରେ ମହାଭିଯୋଗ ପ୍ରସ୍ତାବ ପାରିତ

Published By : Prameya-News7 Bureau | December 14, 2024 IST

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ସଂସଦ ଶନିବାର ରାଷ୍ଟ୍ରପତି ୟୁନ ସୁକ୍ ୟୋଲଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାରିତ କରିଛି । ଦେଶରେ ମାର୍ଶଲ ଲ୍’ ଲାଗୁ ଘୋଷଣା ଏବଂ ଚାପ ପଡ଼ିବା ପରେ ଆଇନକୁ ପ୍ରତ୍ୟାହାର କରିବା ପରଠୁ ସେ ବିବାଦ ଘରରେ ଥିଲେ । ଜନତାଙ୍କ ଆକ୍ରୋଶ ଏବଂ ନ୍ୟାସନାଲ ଆସେମ୍ୱଲିର କଡ଼ା ସମାଲୋଚନା ସାମନା କରିବାକୁ ମଧ୍ୟ ପଡ଼ିଥିଲା ।

ଆସୋସିଏଟ୍ ପ୍ରେସ୍‌ର ରିପୋର୍ଟ ଅନୁସାରେ ସଂସଦର ଏହି ନିଷ୍ପତ୍ତି ପରେ ସାରା ଦେଶରେ ଲୋକଙ୍କ ମଧ୍ୟରେ ଖୁସିର ଲହର ଖେଳି ଯାଇଛି । ଏହାକୁ ଗଣତନ୍ତ୍ରର ବିଜୟ ରୂପେ ଦେଖୁଛନ୍ତି । ଲୋକେ ଏହାକୁ ଦେଶର ଗଣତାନ୍ତ୍ରିକ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ବୋଲି କହିଛନ୍ତି । ନ୍ୟାସନାଲ୍ ଆସେମ୍ୱଲିରେ ମହାଭିଯୋଗ ପ୍ରସ୍ତାବ ସମର୍ଥନରେ ୨୦୪ ଭୋଟ୍ ପଡ଼ିଥିବା ବେଳେ ୮୫ ସଦସ୍ୟ ଏହି ପ୍ରସ୍ତାବ ବିରୋଧରେ ଭୋଟ କରିଥିଲେ । ନ୍ୟାସନାଲ ଆସେମ୍ୱଲିର ଏହି ନିଷ୍ପତ୍ତି ପରେ ୟୁନଙ୍କ ରାଷ୍ଟ୍ରପତି ପଦର ଶକ୍ତି ଉପରେ ରୋକ ଲାଗିବ । ପ୍ରଧାନମନ୍ତ୍ରୀ ହାନ ଡକ-ସୁ ତାଙ୍କ ସ୍ଥାନରେ କାର୍ଯ୍ୟଭାର ସମ୍ଭାଳିବେ ।

ମହାଭିଯୋଗ ସହ ଜଡ଼ିତ ଦସ୍ତାବିଜ ୟୁନ ଏବଂ ନ୍ୟାୟାଳୟକୁ ପଠାଯିବ । ୟୁନଙ୍କୁ ବରଖାସ୍ତ କରାଯିବ ନା ପୁଣି ଶକ୍ତି ପ୍ରଦାନ କରାଯିବ ତାହା ଉପରେ କୋର୍ଟ ୧୮୦ ଦିନ ଭିତରେ ନିଷ୍ପତ୍ତି ନେବେ । ଯଦି ୟୁନଙ୍କୁ ପଦରୁ ହଟାଯାଏ ତେବେ ଷାଠିଏ ଦିନ ଭିତରେ ତାଙ୍କର ଉତ୍ତରାଧିକାରୀ ଚୟନ ପାଇଁ ରାଷ୍ଟ୍ରୀୟ ନିର୍ବାଚନ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.