ପାଣିପାଗ ବିଭାଗର ପୂର୍ବାନୁମାନ, ରାଜ୍ୟରୁ ବିଦାୟ ନେବ ମୌସୁମୀ

Published By : Prameya-News7 Bureau | October 12, 2024 IST

ଭୁବନେଶ୍ୱର ୧୨।୧୦ : ରାଜ୍ୟରୁ ବିଦାୟ ନେବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଦୁଇଦିନରେ ଓଡ଼ିଶାର କିଛି ଅଞ୍ଚଳରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବ । ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପାର୍ବଣରେ ପାଗ ମୁଖ୍ୟତଃ ଶୁଖିଲା ଥିବାବେଳେ ସ୍ଥାନେ ସ୍ଥାନେ ଅସରାଏ ଅତି ହାଲୁକା ବର୍ଷା ହୋଇଛି। ଭୁବନେଶ୍ୱର ଓ କଟକରେ ଠାଏଠାଏ ବର୍ଷା ଛିଞ୍ଚିଛି। 

ତେବେ ମହାନବମୀ ଓ ବିଜୟା ଦଶମୀରେ ବିଶେଷ ବର୍ଷା ସମ୍ଭାବନା ନାହିଁ । କାଁ ଭାଁ ବର୍ଷା ହୋଇପାରେ। ଶନିବାର ରାଜ୍ୟର ୭ଟି ସ୍ଥାନରେ ଠାଏ ଠାଏ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି। କୌଣସି ସ୍ଥାନରେ ଲଗାଣ କିମ୍ବା ପ୍ରବଳ ବର୍ଷା ସମ୍ଭାବନା ନାହିଁ। ଶନିବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଗଜପତି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ । ବାକି ଅଞ୍ଚଳରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ରବିବାର ରାୟଗଡ଼ା, ମାଲକାନଗିରି, କୋରାପୁଟ ଜିଲ୍ଲାର ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସୋମବାର ଦୁର୍ଗାପୂଜା ଭସାଣି ଉତ୍ସବରେ ବି ବିଶେଷ ବର୍ଷା ସମ୍ଭାବନା ଅଛି । ଗଜପତି, ଗଞ୍ଜାମ, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁରରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ମଙ୍ଗଳବାର, ବୁଧବାର ଓ ଗୁରୁବାର ମଧ୍ୟ ଦକ୍ଷିଣ ଓଡ଼ିଶାର କିଛି ଜାଗାରେ ବର୍ଷା ସମ୍ଭାବନା ରହିଛି । ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ ।

ରାଜ୍ୟର ୧୪ଟି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍‌ ଉପରେ ଥିଲା । ଜଗତସିଂହପୁରରେ ତାପମାତ୍ରା ୩୬.୫ ଡିଗ୍ରୀ ଥିବାବେଳେ ପୁରୀ ୩୬.୨, ବୌଦ୍ଧ ୩୫.୮, ସମ୍ବଲପୁର ୩୫.୯, ଭୁବନେଶ୍ୱର ୩୫.୭, ଚାନ୍ଦବାଲି ୩୫.୫ ଡିଗ୍ରୀ ସେଲସିୟସ୍‌ ଥିଲା। ଉପକୂଳ ଓଡ଼ିଶାରେ ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି ।

 

 

  • Weather
  • Weather Forecast
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.