ୟୁରୋ ଚାମ୍ପିଅନସିପ୍, କ୍ରୋଏସିଆ ବିରୋଧରେ ୩-୦ ଗୋଲ୍‌ରେ ସ୍ପେନ୍‌ର ବଡ଼ ବିଜୟ

Published By : Prameya-News7 Bureau | June 16, 2024 IST

ନୂଆଦିଲ୍ଲୀ:  ସ୍ପେନର ଆକ୍ରମଣରେ ଚିତ୍ କ୍ରୋଏସିଆ । ୟୁରୋ ଫୁଟବଲ୍ ଚାମ୍ପିଅନସିପ୍‌ରେ ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ କ୍ରୋଏସିଆକୁ ୩-୦ ଗୋଲରେ ମାତ୍ ଦେଇଛି ସ୍ପେନ୍ । ୨୦୧୮ ବିଶ୍ୱକପ୍‌ ରନର୍ସ ଅପ୍‌ ଓ ୨୦୨୨ ବିଶ୍ୱକପ୍‌ରେ ତୃତୀୟ ସ୍ଥାନ ଅଧିକାର କରିଥିବା କ୍ରୋଏସିଆ ଚଳିତ ୟୁରୋ ଚାମ୍ପିଅନସିପ୍‌ ଆରମ୍ଭରୁ ଶୋଚନୀୟ ପରାଜୟର ସାମ୍ନା କରିଛି । ଶନିବାର ଅଲିମ୍ପିଆ   ଷ୍ଟାଡ଼ିୟମ୍‌ରେ ଅନୁଷ୍ଠିତ ଗ୍ରୁପ୍‌-ବି’ର ଏକ ମ୍ୟାଚ୍‌ରେ କ୍ରୋଏସିଆ ୦-୩ ଗୋଲ୍‌ରେ ସ୍ପେନ୍‌ ଠାରୁ ପରାସ୍ତ  ହୋଇଛି । 

ୟୁରୋ ଇତିହାସରେ ଏହା କ୍ରୋଏସିଆର ବଡ଼ ପରାଜୟ ବୋଲି କୁହାଯାଉଛି । ପୂର୍ବରୁ ୧୯୯୬ ୟୁରୋ ଚାମ୍ପିଅନ୍‌ସିପରେ ମଧ୍ୟ କ୍ରୋଏସିଆ ୩-୦ ଗୋଲ୍‌ରେ ପର୍ତ୍ତୁଗାଲ ଠାରୁ ହାରିଥିଲା । ମ୍ୟାଚ୍‌ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସ୍ପେନ୍  ପ୍ରଭାବ ବିସ୍ତାର କରି ଖେଳି ସହଜ ବିଜୟ  ହାସଲ କରିଥିଲା । ୧୬ବର୍ଷୀୟ ଯୁବ ବିସ୍ମୟ ଲାମିନ ୟମାଲଙ୍କ ଚମତ୍କାର ଡ୍ରିବଲ ଓ ପାସ୍‌  ବିନିମୟ କ୍ରୋଏସିଆ ପରାଜୟର ମୁଖ୍ୟ କାରଣ ସାଜିଥିଲା । ଦଳଗତ ପ୍ରଦର୍ଶନ ପାଇଁ ପରିଚିତ ସ୍ପେନ୍‌ ପ୍ରାରମ୍ଭରୁ ସତର୍କତାର ସହ ଖେଳିଥିଲେ  ହେଁ କମ୍‌ ସମୟ ମଧ୍ୟରେ କ୍ରୋଏସିଆର ତ୍ରୁଟି ପରଖି ନେଇଥିଲା । ୨୯ତମ ମିନିଟ୍‌ରେ ଫାବିଆନ ରୁଇଜଙ୍କ ଏକ ପାସ୍‌କୁ ଆଲଭାରୋ ମୋରାତା ଗୋଲ୍‌ରେ ପରିଣତ କରିଥିଲେ । ୟୁରୋ ଚାମ୍ପିଅନସିପ୍‌ରେ ଏହା ମୋରାତାଙ୍କର ସପ୍ତମ ଗୋଲ୍‌ ରହିଥିଲା । ୟୁରୋରେ ପର୍ତ୍ତୁଗାଲ୍‌ର କ୍ରିଷ୍ଟିଆନୋ ରୋନାଲ୍ଡୋ ସର୍ବାଧିକ ୧୪ଟି ଗୋଲ୍‌ କରିଥିବାବେଳେ ମାଇକେଲ ପ୍ଲାଟିନି ୯ଟି ଗୋଲ୍‌ କରି ତାଲିକାର ପ୍ରଥମ ୨ଟି ସ୍ଥାନରେ ରହିଛନ୍ତି । ୩ ମିନିଟ୍‌ ମଧ୍ୟରେ ସ୍ପେନ୍‌   ଦ୍ୱିତୀୟ ଗୋଲ୍‌ କରିଥିଲା । ଏଥର   ପେଡ୍ରିଙ୍କ ପାସ୍‌କୁ ରୁଇଜ କ୍ରୋଏସିଆ ଗୋଲ୍‌   ପୋଷ୍ଟରେ ପହଞ୍ଚାଇଥିଲେ । ଫଳରେ କ୍ରୋଏସିଆ ଉପାୟଶୂନ୍ୟ  ହୋଇ ରକ୍ଷଣାତ୍ମକ ରଣନୀତି ଆପଣେଇଥିଲା । ଏହା ଦ୍ବାରା ସ୍ପେନ୍‌କୁ କୌଣସି ଫରକ ପଡ଼ି ନଥିଲା । ପ୍ରଥମାର୍ଦ୍ଧ ଶେଷ ହେବା ପୂର୍ବରୁ ଲାମିନ୍ ଏକ ସୁଯୋଗ ସୃଷ୍ଟି କରିଥିଲେ ଏବଂ ଡାନି କାର୍ଭାଜଲ ଏହାକୁ ଗୋଲ୍‌ରେ   ପରିଣତ କରି ଦଳକୁ ୩-୦ରେ ଅଗ୍ରଣୀ କରାଇଥିଲେ ।   

ଦ୍ୱିତୀୟାର୍ଦ୍ଧରେ କ୍ରୋଏସିଆ ଲଢୁଆ ଖେଳ ପ୍ରଦର୍ଶନ କରି କିଛି ସୁଯୋଗ ସୃଷ୍ଟି କରିଥିଲେ ହେଁ  ସ୍ପେନ୍‌ର ରକ୍ଷଣ ଭାଗକୁ ଭେଦ କରିପାରି  ନଥିଲା । ଅନେକ ଖେଳାଳି ଅଦଳ ବଦଳ ହୋଇଥିଲେ । ତଥାପି ଗୋଲ୍ ହୋଇ ନଥିଲା । ଶେଷରେ ୮୦ତମ ମିନିଟ୍‌ରେ ବ୍ରୁନୋ ପେଟକୋଭିକଙ୍କୁ  ସ୍ପେନ ଡିଫେଣ୍ଡର ରୋଡ୍ରି ଫାଉଲ ମାରିଥିଲେ ଓ କ୍ରୋଏସିଆକୁ ଏକ ପେନାଲ୍ଟି ମିଳିଥିଲା । ପେଟକୋଭିକଙ୍କ   ପେନାଲ୍ଟି କିକ୍‌କୁ ସ୍ପେନ୍‌ ଗୋଲ କିପର   ଉନାଇ ସିମନ ଅଟକାଇ ଦେଇଥିଲେ । 

  • football
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.