ନୂଆଦିଲ୍ଲୀ: ସ୍ୱାମୀ-ସ୍ତ୍ରୀ ଭିତରେ ଝଗଡ଼ା ଯୋଗୁଁ ଭାରତୀୟ ରେଳକୁ କ୍ଷତି ସହିବାକୁ ପଡ଼ିଛି । ଦୁହିଁଙ୍କ ମଧ୍ୟରେ ଝଗଡ଼ା ରେଲୱେର ତିନି କୋଟି ଟଙ୍କା କ୍ଷତି କରିଛି । ଏହାପରେ ସ୍ୱାମୀଙ୍କୁ ନିଜ ଚାକିରି ହରାଇବାକୁ ପଡ଼ିଛି ଅର୍ଥାତ୍ ରେଲୱେ ତାଙ୍କୁ ସସ୍ପେଣ୍ଡ କରିଛି । ମାମଲା ଆହୁରି ବଢିବା ପରେ ଶେଷରେ ଛାଡ଼ପତ୍ର ପାଇଁ ସ୍ୱାମୀ କୋର୍ଟରେ ଆବେଦନ କରିଛନ୍ତି । ତେବେ ସବୁଠୁ ବଡ଼ କଥା ହେଉଛି କେବଳ ଗୋଟିଏ OK ପାଇଁ ଏତେ ବଡ଼ ଘଟଣା ଘଟିଗଲା ।
ଗୋଟିଏ OKରୁ ରେଲୱେର କୋଟି କୋଟି ଟଙ୍କାର କ୍ଷତି
ସୂଚନା ଅନୁସାରେ ବିଶାଖପାଟଣାରେ ବ୍ୟକ୍ତି (ସ୍ୱାମୀ) ଜଣକ ଷ୍ଟେସନ ମାଷ୍ଟର ଭାବେ କାର୍ଯ୍ୟ କରୁଥିଲେ । ଡିଟ୍ୟୁରେ ଥିବା ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଗୋଟିଏ ହାତରେ ସେ ଅଫିସ୍ ଫୋନ୍ ଏବଂ ଅନ୍ୟ ହାତରେ ନିଜ ଫୋନରେ ସ୍ତ୍ରୀଙ୍କ ସହ କଥା ହେଉଥିଲେ । ଦୁହିଁଙ୍କ ମଧ୍ୟରେ ଝଗଡ଼ା ଚାଲିଥାଏ । ସ୍ତ୍ରୀ କହିଥିଲେ ଘରକୁ ଆସ, ପରେ କଥା ହେବା । ଏହା ଉପରେ ଷ୍ଟେସନ ମାଷ୍ଟର OK କହିଥିଲେ । ଅଫିସ ଫୋନରେ ଥିବା ଅନ୍ୟ ଜଣେ ଷ୍ଟେସନ ମାଷ୍ଟର ଏହି OK ତାଙ୍କ ପାଇଁ ବୋଲି ଭାବିଥିଲେ । ଏଥିପାଇଁ ସେ ଟ୍ରେନକୁ ଯିବା ପାଇଁ ସିଗ୍ନାଲ ଦେଇଥିଲେ । ଗାଡ଼ି ଯେଉଁ ରୁଟ୍ରେ ଯାଇଥିଲା, ତାହା ୱାନ୍ ୱେ ଥିଲା । ଏହି କାରଣରୁ ରେଲୱେକୁ ତିନି କୋଟି ଟଙ୍କା କ୍ଷତି ହେଲା ।
ଖବର ଅନୁସାରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବାରମ୍ୱାର ଝଗଡ଼ା ହେଉଥିଲା । ରେଲୱେକୁ କ୍ଷତି ହେବା ପରେ ସ୍ୱାମୀଙ୍କୁ ସସ୍ପେଣ୍ଡ କରାଯାଇଛି । ଏହାପରେ ସ୍ୱାମୀ ନିଜ ସ୍ତ୍ରୀଙ୍କ ଠାରୁ ଅଲଗା ହେବା ପାଇଁ କୋର୍ଟରେ ପହଞ୍ଚିଛନ୍ତି । ବିଶାଖପାଟଣା ଫ୍ୟାମିଲି କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି । କୋର୍ଟରେ ସ୍ୱାମୀ-ସ୍ତ୍ରୀ ପରସ୍ପର ବିରୋଧରେ ଅଭିଯୋଗ ଆଣିଛନ୍ତି । ସ୍ୱାମୀଙ୍କ ଅଭିଯୋଗ ସ୍ତ୍ରୀ ନିଜ ପ୍ରେମିକ ସହ ଏବେ ବି ସମ୍ପର୍କ ଅଛନ୍ତି । ଅନ୍ୟପଟେ ମହିଳା ଜଣକ ଯୌତୁକ ନିର୍ଯାତନା ଏବଂ ସ୍ୱାମୀଙ୍କ ନିଜ ଭାଉଜ ସହ ଅବୈଧ ସମ୍ପର୍କ ଥିବା ଅଭିଯୋଗ କରିଛନ୍ତି ।