ଲଜ୍ଜାଜନକ ପରାଜୟ ପରେ ନିଜ ଦଳ ଉପରେ ବର୍ଷିଲେ ଅଷ୍ଟ୍ରେଲିଆ ମିଡିଆ ଏବଂ ପୂର୍ବତନ ଖେଳାଳି, ପାଟ୍ କମିନ୍ସ କହିଲେ...

Published By : Prameya-News7 Bureau | February 20, 2023 IST

ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣଜେଟଲୀ  ଷ୍ଟାଡିୟମରେ ଖେଳା ଯାଇଥିବା ଦ୍ଵିତୀୟ ଟେଷ୍ଟରେ ଭାରତ ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟ୍‌ରେ ହରାଇଛି। ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ୦-୨ରେ ପଛୁଆ ରହିଛି କଙ୍ଗାରୁ ଦଳ। ଭାରତ ନିକଟରୁ ଦ୍ଵିତୀୟ ଟେଷ୍ଟରେ ଶୋଚନୀୟ ପରାଜୟ ପରେ ନିଜ ଦଳ ଉପରେ ବର୍ଷିଛନ୍ତି ଅଷ୍ଟ୍ରେଲିଆ ଗଣମାଧ୍ୟମ। ନିଜ ଦଳର ଏମିତି ନୈରାଶ୍ୟଜନକ ପ୍ରଦର୍ଶନ ଦେଖି ମର୍ମାହତ ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି। ନିଜ ଦଳକୁ ଏ ନେଇ ଖୁବ୍ ସମାଲୋଚନା କରିଛନ୍ତି।

ନିଜ ଦେଶର ଗଣମାଧ୍ୟମ ଏବଂ କ୍ରୀଡାଜଗତର ପୂର୍ବତନ ଖେଳାଳି ଦିଲ୍ଲୀ ଟେଷ୍ଟର ପରାଜୟକୁ ଲଜ୍ଜାଜନକ ବୋଲି କହିଛନ୍ତି। ମ୍ୟାଚ୍ ସମୟରେ କମେଣ୍ଟ୍ରି କରୁଥିବା ଅଷ୍ଟ୍ରେଲିଆ ଖେଳାଳି ମାର୍କ ଓ୍ଵ କହିଛନ୍ତି, ଏହି ପରାଜୟ ଅଷ୍ଟ୍ରେଲିଆ ଦଳ ପାଇଁ ବହୁତ କ୍ଷତିଦାୟକ ହେବ।

ମାର୍କ ଓ୍ଵ କହିଛନ୍ତି, ଅଷ୍ଟ୍ରେଲିଆ ଦଳ ନିକଟରେ ଦିଲ୍ଲୀ ଟେଷ୍ଟ ଜିତିବାର ସୁଯୋଗ ଥିଲା। କିନ୍ତୁ ଏବେ ଆଉ ସିରିଜ୍‌ରେ ପ୍ରତ୍ୟାବର୍ତ୍ତନ କରିବା ବହୁତ ମୁସ୍କିଲ। ଏମିତି ଶୋଚନୀୟ ପରାଜୟ ପରେ ଦଳର ଆତ୍ମ ବିଶ୍ଵାସ ନିଶ୍ଚିତ ଭାବେ ଦୋହଲି ଯାଇଥିବ। କମେଣ୍ଟ୍ରି ପ୍ୟାନେଲ୍‌ରେ ସାମିଲ୍ ପୂର୍ବତନ ଖେଳାଳି ମାଥ୍ୟୁ ହେଡେନ କହିଛନ୍ତି ବିରୋଧୀ ଦଳର ଖେଳାଳି ବିଶ୍ଵସ୍ତରୀୟ। ସେମାନେ ମ୍ୟାଚ୍ ଜିତିବା ପାଇଁ ଉକ୍ତ ସେସନରେ ପାରୁ ପର୍ଯ୍ୟନ୍ତ ଲଢିଲେ। କିନ୍ତୁ ଅଷ୍ଟ୍ରେଲିଆ ଆକ୍ରମଣାତ୍ମକ ଖେଳିବାରେ ପଛରେ ରହିଗଲା।

ଭର୍ତ୍ସନା କଲେ ବର୍ଡର

ଫକ୍ସ କ୍ରିକେଟ୍ ସହ ଆଲୋଚନା କରି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଆଲାନ ବର୍ଡର କହିଛନ୍ତି, ଦଳର ଏମିତି ଲଜ୍ଜାଜନକ ପରାଜୟରେ ମୁଁ ବହୁତ ନିରାଶ ଏବଂ ସ୍ତବ୍ଧ। ଆଜି ଯେଉଁଭଳି ଅଷ୍ଟ୍ରେଲିଆ କ୍ରିକେଟ୍ ଖେଳିଛି, ତାହା ଦେଖି ମନରେ କ୍ରୋଧ ଆସୁଛି। ପାଳି ସମ୍ଭାଳିବା ପାଇଁ ଏବଂ ଡିଫେନ୍ସ କ୍ରିକେଟ୍ ଖେଳିବା ପାଇଁ କେହି ନଥିଲେ। ଖେଳାଳି  ପ୍ରାୟ ପ୍ରତି ବଲ୍ରେ ସ୍ଵିପ୍ ସଟ୍ ଏବଂ ରିଭର୍ସ ସ୍ଵିପ୍ ଖେଳି ନିଜର ଓ୍ଵିକେଟ୍ ହରାଇଥିଲେ। ଏହି ପରି ଟ୍ରାକରେ କେମିତି ବ୍ୟାଟିଂ କରାଯାଏ ସେ ନେଇ ଯୋଜନା ରହିବା ଉଚିତ୍ ବୋଲି ଆଲାନ ବର୍ଡର କହିଛନ୍ତି।

ନିରାଶ ଅଧିନାୟକ

ପରାଜୟ ପରେ ଅଧିନାୟକ ପାଟ୍ କମିନ୍ସ କହିଛନ୍ତି, ମୋ ହିସାବରେ ପ୍ରଥମ ଇନିଂସରେ ୨୬୦/୨୬୩ ସ୍କୋର ବହୁତ ଭଲ ଥିଲା। ମାତ୍ର ଭାରତୀୟ ଦଳ ଚମତ୍କାର ବ୍ୟାଟିଂ କଲା। ଆପଣ କେବଳ ଗୋଟିଏ କି ଦୁଇଟି ଭାଗିଦାରୀ ସହ ୨୬୦ ସ୍କୋର ପର୍ଯ୍ୟନ୍ତ ସହଜରେ ପହଞ୍ଚି ପାରିବେ। ପ୍ରଥମ ପାଳିରେ ମ୍ୟାଚ୍ ବରାବର ସ୍ଥିତିରେ ଥିଲା। ମୁଁ ବହୁତ ନିରାଶ ଯେ ମ୍ୟାଚ୍ ଆମ ହାତରେ ଥିଲା। ମାତ୍ର ଆମେ ମ୍ୟାଚ୍‌କୁ ହାତଛଡା କରିଛୁ। ପରାଜୟର ସମୀକ୍ଷା କରିବାକୁ ପଡିବ। ଆମକୁ ବ୍ୟାଟିଂରେ ସଟ୍ ଚୟନ ଉପରେ ମଧ୍ୟ ସମୀକ୍ଷା କରିବାକୁ ପଡିବ। ଦୁଇ ମ୍ୟାଚ୍ ଆମ ପାଇଁ ବହୁତ ନିରାଶଜନକ ରହିଛି ବୋଲି କହିଛନ୍ତି ପାଟ୍ କମିନ୍ସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.