ଭୁବନେଶ୍ୱର 13/11 : ଦୁଇ ସୁନ୍ଦର ସହର। ଗୋଟିଏ କଟକ ଆଉ ଗୋଟିଏ ଭୁବନେଶ୍ୱର। ମନ୍ଦିର ମାଳିନୀ ସହର ଭୁବନେଶ୍ୱର । ଯେଉଁଠି ବାବା ଲିଙ୍ଗରାଜ ମନ୍ଦିରଠୁ ନେଇ ଖଣ୍ଡଗିରି ଉଦୟଗିରିର ବେଶ୍ ପ୍ରସିଦ୍ଧ। ଅନ୍ୟପଟେ ଭାଇଚାରାର ସହର କଟକ। ବାରବାଟୀ ଦୁର୍ଗଠୁ ନେଇ ଐତିହାସିକ ବାଲିଯାତ୍ରା ସାରା ବିଶ୍ୱରେ ପ୍ରସିଦ୍ଧ। କିନ୍ତୁ ସୁନ୍ଦର ସହରକୁ କାହିଁକି ଅସୁନ୍ଦର ଭାବୁଛନ୍ତି ଅନେକ । କାହିଁକି ଏ ଦୁନିଆରୁ ଫେରାଇ ନେଉଛନ୍ତି ଜୀବନ। ଏକଥା ଆମେ କହୁନୁ କହୁଛି ରିପୋର୍ଟ। ଟ୍ୱିନ୍ ସିଟିକୁ ନେଇ ଚିନ୍ତା। କଟକ ଭୁବନେଶ୍ୱରେ ବଢ଼ୁଛି ଅପମୃତ୍ୟୁ ମାମଲା । ଏଠାରେ ଜୀବନ ହାରୁଛନ୍ତି ଶହଶହ । କିଏ ବିଷ ପିଇ ତ କିଏ ନିଆଁରେ ଜଳି ତ ଆଉ କିଏ ପାଣିରେ ବୁଡ଼ି । କାରଣ ଯାହା ବି ହେଉନା କାହିଁକି, ଏହି ଅଘଟଣ ଦେଇଛି ଦୁଃଖ ଓ କଷ୍ଟ।
ଦ୍ୱୈତନଗରୀରେ ବଢ଼ି ଚାଲିଛି ଆତ୍ମହତ୍ୟା ହାର । ଗତ ଅକ୍ଟୋବରରେ ମୋଟ ୯୪ଜଣ ବିଷ ପିଇ ହାରିଛନ୍ତି ଜୀବନ । ସେଥିରୁ ୩୨ଜଣ ରାଜଧାନୀର । ବାକି ୬୨ଜଣ କଟକର। ଅର୍ଥାତ, ରାଜଧାନୀ ଅପେକ୍ଷା କଟକରେ ୨ ଗୁଣା ବିଷ ପିଇଛନ୍ତି । କମିଶନରେଟ ପୁଲିସର ଅପମୃତ୍ୟୁ ଜନିତ ମାମଲାର ତଥ୍ୟରୁ ଏହା ଜଣାପଡିଛି ।
ତଥ୍ୟ ଅନୁସାରେ, ଗତ ଅକ୍ଟୋବରରେ ମୋଟ ୪୬୮ଟି ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା । ଯେଉଁଥିରୁ ୯୪ଜଣ ବିଷ ପିଇ ଜୀବନ ହାରିଥିଲେ। ମୋଟ ୨୬ଜଣ ବେକରେ ରଶି, ଗାମୁଛା, ଲୁଗା ଓ ଚୁନରି ଗୁଡ଼ାଇ ଜୀବନ ହାରିଥିଲେ । ଭୁବନେଶ୍ୱରରୁ ୧୫ଜଣ, କଟକରୁ ୧୧ଜଣ ଜୀବନ ହାରିବା ପାଇଁ ଆପଣାଇଥିଲେ ଏଭଳି ପନ୍ଥା । ସେହିପରି ନିଆଁରେ ପୋଡି ହୋଇ ୨୨ଜଣଙ୍କ ଜୀବନ ଯାଇଛି । ସେଥିରୁ ଭୁବନେଶ୍ୱରରୁ ୧୦ଜଣ ଓ କଟକରୁ ୧୨ଜଣ ଅଛନ୍ତି । ପାଣିରେ ବୁଡି ୧୨ଜଣଙ୍କ ଜୀବନ ଯାଇଛି। । ସାପ କାମୁଡିବା ଯୋଗୁଁ ୩୧ଜଣଙ୍କ ପ୍ରାଣ ଯାଇଛି । ଛାତ କିମ୍ବା ପାହାଡ଼ରୁ ଡେଇଁ ୧୫ଜଣଙ୍କ ଜୀବନ ଯାଇଛି।
ଦ୍ୱୈତନଗରୀରେ ଅପମୃତ୍ୟୁ ମାମଲାରେ ସର୍ବାଧିକ ୩୪୪ ଜଣ ପୁରୁଷ ଅଛନ୍ତି । ଭୁବନେଶ୍ୱରରେ ୧୫୮ଜଣ ପୁରୁଷଙ୍କ ମୃତ୍ୟୁ ଘଟିଥିବା ବେଳେ କଟକରେ ୧୮୭ ଜଣଙ୍କ ମୃତ୍ୟୁ ଘଟିଛି । ୧୨୪ ଜଣ ମହିଳାଙ୍କର ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ଭୁବନେଶ୍ୱରରୁ ୫୪ ଓ କଟକରୁ ଅଛନ୍ତି ୭୦ଜଣ ମହିଳା।
ବଡ଼ କଥା ହେଲା, ୩୧ରୁ ୪୦ ବର୍ଷ ବୟସ ଭିତରେ ସର୍ବାଧିକ ୭୦ଜଣ ପୁରୁଷ ଜୀବନ ହାରିଛନ୍ତି । ସେହିପରି ୪୧ରୁ ୫୦ ବର୍ଷ ବୟସ ଭିତରେ ୬୪ଜଣଙ୍କ ପ୍ରାଣ ଯାଇଛି । ଅଘଟଣ ଯୋଗୁ ୧୦ରୁ କମ୍ ବୟସ୍କ ୫ଜଣ ଶିଶୁପୁତ୍ରଙ୍କର ମୃତ୍ୟୁ ଘଟିଛି । କିନ୍ତୁ ମହିଳାଙ୍କ କ୍ଷେତ୍ରରେ ସାମାନ୍ୟ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଗତ ମାସରେ ୫୧ରୁ ୬୦ ବୟସ୍କ ମୋଟ ୨୯ଜଣ ମହିଳାଙ୍କ ମୃତ୍ୟୁ ଘଟିଛି।
ଏହି ତଥ୍ୟ ନିହାତି ଭାବେ ଚିନ୍ତାଜନକ। କାହିଁକିନା ଗୋଟିଏ ମାସରେ ଶହ ଶହ ଅପମୃତ୍ୟୁକୁ ଗ୍ରହଣ କରିବା ବି କଷ୍ଟକର ହୋଇପଡ଼ୁଛି। କାହିଁକି ବଢ଼ୁଛି ଆତ୍ମହତ୍ୟା ପ୍ରବଣତା ଏହା ଆଜିର ଦିନରେ ଏକ ବଡ଼ ପ୍ରଶ୍ନ।
Also read- ବାହାରେ ଦର ଉଚ୍ଚ ଅଛି, ନାଫେଡ଼ ଜରିଆରେ କେ.ଜି. ପ୍ରତି ୩୦ଟଙ୍କାରେ ବିକିବାକୁ କୁହାଯାଇଛି : ଯୋଗାଣ ମନ୍ତ୍ରୀ