ନୂଆଦିଲ୍ଲୀ: ଦୀର୍ଘ ୪୬ ବର୍ଷ ପରେ ଉତ୍ତର ପ୍ରଦେଶ ସମ୍ଭଲରେ ଥିବା କାର୍ତ୍ତିକେୟ ମନ୍ଦିରରେ ଆରମ୍ଭ ହୋଇଛି କାର୍ବନ ଡେଟିଂ। ଦୀର୍ଘ ବର୍ଷ ପରେ ଡିସେମ୍ବର ୧୩ ତାରିଖରେ ମନ୍ଦିର ଖୋଲାଯାଇଥିଲା। ଶୁକ୍ରବାର(ଡିସେମ୍ବର ୨୦) ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଫ୍ ଇଣ୍ଡିଆ (ASI) ଏହି କାର୍ତ୍ତିକେୟ ମନ୍ଦିରରେ କାର୍ବନ ଡେଟିଂ କରିଛି। ଏହି ଅଞ୍ଚଳରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟି ହୋଇଥିବାରୁ ଏଠାରେ ରହୁଥିବା ହିନ୍ଦୁମାନେ ୧୯୭୮ରେ ଛାଡ଼ି ପଳାଇଥିଲେ। ସେହିଦିନ ଠାରୁ ଏଠାରେ କାର୍ତ୍ତିକେୟମନ୍ଦିର ବନ୍ଦ କରିଦିଆ ଯାଇଥିଲା।
ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ଙ୍କ ସୂଚନା ଅନୁସାରେ, ମନ୍ଦିରରେ ଗୁପ୍ତ ଭାବରେ ଏଏସ୍ଆଇ ତଦନ୍ତ କରାଯାଇଥିଲା। ଚାରିଜଣିଆ ଟିମ୍ ଏହି ତଦନ୍ତ କରିଥିଲେ। ଅଧିକାରୀମାନେ କାର୍ବନ ଡେଟିଂ କରିଥିଲେ ଏବଂ ଭଦ୍ରକ ଆଶ୍ରମ, ସ୍ୱର୍ଗଦୀପ ଏବଂ ଚକ୍ରପାନି ସମେତ ପାଞ୍ଚଟି ତୀର୍ଥସ୍ଥାନ ଓ ୧୯ ଟି କୂଅର ଯାଞ୍ଚ କରାଯାଇଥିଲା। ଯାଞ୍ଚର ପୂରା ପ୍ରକ୍ରିୟା ମିଡିଆ ଠାରୁ ଦୂରରେ ରହିବା ଦରକାର ବୋଲି ASI ପ୍ରଶାସନକୁ ଅନୁରୋଧ କରିଥିଲା।
ଜବରଦସ୍ତ ସମ୍ପତ୍ତି ଉଚ୍ଛେଦ କଲା ବେଳେ ମନ୍ଦିର ବିଷୟରେ ଜଣାପଡ଼ିଥିଲା। ଖୋଳାଖୋଳି ବେଳେ ମନ୍ଦିର ସମ୍ପର୍କରେ ଜଣାପଡ଼ିଥିଲା। ଏହା କୌଣସି ନିୟୋଜିତ ଘଟଣା ନଥିଲା ବୋଲି ପ୍ରଶାସନ ପୂର୍ବରୁ କହି ସାରିଛି। ଏହି ଅଞ୍ଚଳରେ ବିଦ୍ୟୁତ ଚୋରି ବିରୋଧରେ ଅଭିଯାନର ନେତୃତ୍ୱ ନେଉଥିବା ସବ-ଡିଭିଜନାଲ ମାଜିଷ୍ଟ୍ରେଟ (ଏସଡିଏମ) ବନ୍ଦନା ମିଶ୍ର କହିଛନ୍ତି ଯେ ଏହି ଅଞ୍ଚଳ ଯାଞ୍ଚ କରିବାବେଳେ ଆମେ ଏହି ମନ୍ଦିର ବିଷୟରେ ଜାଣିବାକୁ ପାଇଥିଲୁ। ଏହାପରେ ମୁଁ ତୁରନ୍ତ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ଜଣାଇଲି ବୋଲି ସେ କହିଛନ୍ତି।
ବନ୍ଦନା ମିଶ୍ର ଆହୁରି କହିଛନ୍ତି ଯେ ମନ୍ଦିର ନିକଟରେ ଏକ କୂଅ ଖୋଳିବା ସମୟରେ ପ୍ରାୟ ଚାରିରୁ ଛଅ ଇଞ୍ଚର ତିନିଟି ମୂର୍ତ୍ତି ମିଳିଲା। ସେଥିରୁ ଦୁଇ ମୂର୍ତ୍ତୀ ଦେବୀ ପାର୍ବତୀ ଏବଂ ଲକ୍ଷ୍ମୀଙ୍କ ପ୍ରତିମା ପରି ଲାଗୁଥିଲା। ସେମାନେ ୧୫ ରୁ ୨୦ ଫୁଟ ଗଭୀରରେ ଖୋଳିବା ପରେ ମୂର୍ତ୍ତି ମିଳିଥିଲା। ମୂର୍ତ୍ତିଗୁଡ଼ିକ ସାମାନ୍ୟ ବିଖଣ୍ଡିତ ହୋଇଛି।
ମନ୍ଦିରରେ ମୂର୍ତ୍ତି ଏବଂ କୂଅ ଆବିଷ୍କାର ହେବା ପରେ ସମ୍ବଲ ପ୍ରଶାସନ ଧର୍ମସ୍ଥଳର କାର୍ବନ ଡେଟିଂ କରିବା ପାଇଁ ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ୍ ଇଣ୍ଡିଆ (ASI) କୁ ଚିଠି ଲେଖିଥିଲା। ଏହାପରେ ମାମଲା କୋର୍ଟରେ ପହଞ୍ଚିବାରୁ କୋର୍ଟ ସର୍ଭେ କରିବାକୁ ଅର୍ଡର ଦେଇଥିଲେ। ହେଲେ ଏହି ମନ୍ଦିରଟି ଶାହି ଜାମା ମସଜିଦଠାରୁ ମାତ୍ର ଅଳ୍ପ ଦୂରରେ ଥିବାରୁ ସର୍ଭେ ବେଳେ ନଭେମ୍ବର ୧୪ରେ ଏଠାରେ ଦଙ୍ଗା ହୋଇଥିଲା। ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା।