ହାଇସିକ୍ୟୁରିଟିରେ ଚାଲିଛି ‘ସିକନ୍ଦର’ର ସୁଟିଂ, ସଲମାନଙ୍କ ସହ ଅଛନ୍ତି ୫୦-୭୦ ସୁରକ୍ଷାକର୍ମୀ

Published By : Prameya-News7 Bureau | November 10, 2024 IST

ମୁମ୍ଵାଇ ୧୦।୧୧; ହତ୍ୟା ଧମକ ମଧ୍ୟରେ ହାଇଦ୍ରାବାଦରେ ଅପ୍‌କମିଙ୍ଗ ଫିଲ୍ମ ‘ସିକନ୍ଦର୍‌’ର ସୁଟିଂ ଆରମ୍ଭ କରିଛନ୍ତି ଦବଙ୍ଗ  ସଲମାନ ଖାନ୍‌ । ସେଥିପାଇଁ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜଭୁତ କରାଯାଇଛି । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌  ତରଫରୁ ସଲ୍ଲୁଙ୍କୁ ଅନେକ ଥର ହତ୍ୟା ଧମକ ମିଳିଛି । ଏବେ ସେ ୪-ସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ  କାମ କରୁଛନ୍ତି । ତାଙ୍କ ସହିତ ସର୍ବଦା ୫୦-୭୦ ଜଣ ସୁରକ୍ଷାକର୍ମୀଙ୍କର ଟିମ୍‌ ରହୁଛନ୍ତି ।  ହାଇଦ୍ରାବାଦର ପ୍ରସିଦ୍ଧ ଫଲକନୁମା ପ୍ୟାଲେସ୍‌ ହୋଟେଲରେ ‘ସିକନ୍ଦର୍‌’ ସୁଟିଂ ଚାଲିଛି ।   ସଲ୍ଲୁଙ୍କ ସୁରକ୍ଷାରେ ଏନ୍‌ଏସ୍‌ଜି କମାଣ୍ଡୋ ଓ ପୋଲିସ କର୍ମୀ ମୁତୟନ ହୋଇଛନ୍ତି ।  ଏଥିରେ ତାଙ୍କର ନିଜସ୍ୱ ସୁରକ୍ଷାକର୍ମୀ ମଧ୍ୟ ଅଛନ୍ତି, ଯିଏକି ଜଣେ ପୂର୍ବତନ ପାରାମିଲିଟ୍ରି ଯବାନ । 

ସଲ୍ଲୁଙ୍କ ବଡିଗାର୍ଡ ଶେରାଙ୍କ ଟିମ୍‌ ମଧ୍ୟ ତାଙ୍କ ସୁରକ୍ଷା ଦାୟିତ୍ୱରେ ଅଛନ୍ତି ।  ହାଇଦ୍ରାବାଦ ଓ ମୁମ୍ବାଇ ପୁଲିସ ତରଫରୁ ବି ସଲ୍ଲୁଙ୍କୁ ସୁରକ୍ଷା ପ୍ରଦାନ କରାଯାଉଛି ।  ମୋଟାମୋଟି କହିଲେ ସଲ୍ଲୁ ୨୪ ଘଣ୍ଟା ସୁରକ୍ଷାକର୍ମୀଙ୍କ ବଳୟ ଭିତରେ ରହୁଛନ୍ତି । ଏଆର ମୁରୁଗଡସଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ସିକନ୍ଦର୍‌’ର ଟିମ୍‌ ସଲ୍ଲୁଙ୍କ ସୁରକ୍ଷା ସହ  କୌଣସି ସାଲିସ କରିବାକୁ ଚାହୁଁନାହିଁ । ସେଥିପାଇଁ ହାଇଦ୍ରାବାଦରେ ସୁଟିଂ  ସମୟରେ ତାଙ୍କ ସୁରକ୍ଷା ଲାଗି କଡ଼ା ପଦକ୍ଷେପ ନେଇଛି । ରିପୋର୍ଟ ଅନୁସାରେ,  ସଲ୍ଲୁ ରହୁଥିବା ହୋଟେଲରେ ରୁମ୍‌ ବୁକ୍‌ କରିବା ପୂର୍ବରୁ ଅତିଥିଙ୍କୁ ବିଭିନ୍ନ ସ୍ତରୀୟ   ଯାଞ୍ଚ୍‌ ଦେଇ ଯିବାକୁ ହେବ । ସୁଟିଂ ସମୟରେ ଫାଲକନୁମା ପ୍ୟାଲେସ୍‌ ହୋଟେଲକୁ  ସମ୍ପୂର୍ଣ୍ଣ ରୂପେ ସିଲ୍‌ କରାଯାଉଛି ।

 ହୋଟେଲକୁ ଆସୁଥିବା ଅତିଥିଙ୍କର  ହୋଟେଲ ଓ ସଲମାନଙ୍କ ସୁରକ୍ଷା ଟିମ୍‌ ପକ୍ଷରୁ ଯାଞ୍ଚ୍‌  କରାଯାଉଛି ।   ସଲମାନଙ୍କ ପାଇଁ ଫଲକନୁମା  ପ୍ୟାଲେସ୍‌ ହୋଟେଲକୁ ଦୁର୍ଗରେ  ରୂପାନ୍ତର କରାଯାଇଛି । ସୁଟିଂ  ପାଇଁ ୩ଟି ଷ୍ଟାଣ୍ଡିଂ ସେଟ୍‌  ରହିଛି । କିନ୍ତୁ ମୁଖ୍ୟ ସେଟ୍‌  ହେଉଛି ପ୍ୟାଲେସ୍‌  ହୋଟେଲ । ଫିଲ୍ମରେ  ସଲ୍ଲୁଙ୍କ ଅପୋଜିଟ୍‌ରେ  ଅଭିନେତ୍ରୀ ରଶ୍ମିକା  ମନ୍ଦନା ନଜର   ଆସିବେ । ତାଙ୍କ  ସହ ଦୁଇଟି ଗୀତର  ସୁଟିଂ ପାଇଁ ସଲ୍ଲୁ  ହାଇଦ୍ରାବାଦରେ   ଥିବା କୁହାଯାଉଛି ।  ଏଥିପାଇଁ ମାସକର  ସୁଟିଂ ସିଡ୍ୟୁଲ୍‌  ପ୍ରସ୍ତୁତ ହୋଇଛି ।  ଏହା ପରେ ସଲ୍ଲୁ   ନିଜର ଦବଙ୍ଗ୍‌  ରିଲୋଡେଡ୍‌ ଶୋ’  ପାଇଁ ଦୁବାଇ ଯିବେ ।  ‘ସିକନ୍ଦର୍‌’ରେ ସୁନୀଲ  ଶେଟ୍ଟୀ, କାଜଲ ଅଗ୍ରୱାଲ   ଗୁରୁତ୍ୱପୂର୍ଣ୍ଣ ଭୂମିକାରେ  ଅଭିନୟ କରିଛନ୍ତି । ଆସନ୍ତା  ବର୍ଷ ଇଦରେ ଫିଲ୍ମଟି ମୁକ୍ତିଲାଭ  କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.