ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତା ବୁଧବାର ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକ ଶେଷ ହୋଇଛି । ରାଜ୍ୟ କ୍ୟାବିନେଟରେ ମୋଟ ୮ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏଥିରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ୫ ପ୍ରସ୍ତାବ ରହିଛି । ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଧେୟକ ୨୦୨୪କୁ ବି କ୍ୟାବିନେଟ୍ ମଞ୍ଜୁରି ମିଳିଛି ।
ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଧେୟକ ୨୦୨୪ କ୍ୟାବିନେଟ୍ ଅନୁମୋଦନ ମିଳିଛି । ଏଥିରେ କୌଣସି ସରକାରୀ ନିଯୁକ୍ତି ଏବଂ ପ୍ରବେଶିକା ପରୀକ୍ଷା ପ୍ରକ୍ରିୟାରେ ଅନିୟମିତତା, ଜାଲିଆତି କିମ୍ବା ଚଞ୍ଚକତା କ୍ଷେତ୍ରରେ ଦଣ୍ଡ ବିଧାନ ପ୍ରବଧାନ କରାଯାଇଛି । ଦୋଷୀଙ୍କୁ ୩ରୁ ୫ ବର୍ଷ ଜେଲ୍ ଦଣ୍ଡ ସହ ୧୦ ଲକ୍ଷ ଜରିମାନା ପ୍ରବଧାନ ରହିଛି ।
ଏହି ଅଧିନିୟମ ଅଧୀନରେ ସମସ୍ତ ଅପରାଧ, ଜାମିନ ବିହୀନ ଏବଂ ରଫା ଅଯୋଗ୍ୟ (non-compoundable) ହେବ । କୌଣସି ବ୍ୟକ୍ତି ଅନୁଚିତ ଉପାୟ ଏବଂ ଅପରାଧର ଆଶ୍ରୟ ନେଲେ, ତାଙ୍କୁ ତିନିରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଏବଂ ଦଶ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦଣ୍ଡରେ ଦଣ୍ଡିତ କରାଯିବ । ସେବା ପ୍ରଦାନକାରୀ ମଧ୍ୟ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ସହ ଦଣ୍ଡିତ ହେବେ ଏବଂ ଏହିପରି ସେବା ପ୍ରଦାନକାରୀଙ୍କ ଠାରୁ ଆନୁପାତିକ ପରୀକ୍ଷା ଖର୍ଚ୍ଚ ମଧ୍ୟ ଆଦାୟ କରାଯିବ । ଜରିମାନା ପୈଠ କରିବାରେ ବିଫଳ ହେଲେ, ଭାରତୀୟ ନ୍ୟାୟ ସଂହିତା, ୨୦୨୩ର ବ୍ୟବସ୍ଥା ଅନୁଯାୟୀ, ଅତିରିକ୍ତ କାରାବାସ ଦଣ୍ଡ ଲାଗୁ କରାଯିବ ।