ପାକିସ୍ତାନକୁ ବୁଡ଼ାଇ ଦେଲେ ୩ ଖେଳାଳି, ଗୋଟିଏ ଟିମ୍‌ରେ ତିନି ଗୋଷ୍ଠୀ

Published By : Prameya-News7 Bureau | June 15, 2024 IST

abp live

ନୂଆଦିଲ୍ଲୀ: ପାକିସ୍ତାନ ଟି-୨୦ ବିଶ୍ଵକପ୍ ୨୦୨୪ରେ ନିରାଶଜନକ ପ୍ରଦର୍ଶନ କରିଛି। ଦଳର ଏମିତି ଦୁର୍ଗତି ହୋଇଛି ଯେ, ସୁପର-୮ରେ ବି ପହଞ୍ଚି ପାରିନି। ଏହା ପୂର୍ବରୁ ଦିନିକିଆ ବିଶ୍ଵକପ୍ ୨୦୨୩ରେ ମଧ୍ୟ ଦଳ ଶୋଚନୀୟ ପ୍ରଦର୍ଶନ  କରିଥିଲା। ଏହା ମଧ୍ୟରେ ପାକିସ୍ତାନ ଦଳକୁ ନେଇ ଗୁରୁତ୍ଵପୂର୍ଣ୍ଣ ସୂଚନା ଆସିଛି। ରିପୋର୍ଟରେ ଦାବି କରାଯାଇଛି ଯେ, ପାକିସ୍ତାନ ଦଳରେ କନ୍ଦଳ ଦେଖା ଦେଇଛି। ଦଳ ତିନୋଟି ଗୋଷ୍ଠୀରେ ବିଭାଜନ ହୋଇଛନ୍ତି। ଆଉ ଏହାର ପରିଣାମ ଦଳକୁ ଟି-୨୦ ବିଶ୍ଵକପ୍‌ରେ ଭୋଗିବାକୁ ପଡ଼ିଛି। 

ପାକିସ୍ତାନ ଟିମ ଟି-୨୦ ବିଶ୍ଵକପ୍ ୨୦୨୪ର ଗ୍ରୁପ ପର୍ଯ୍ୟାୟରେ ଏ ପର୍ଯ୍ୟନ୍ତ ୩ଟି ମ୍ୟାଚ୍ ଖେଳିଛି। ଦଳ ଦୁଇଟି ହାରିଥିବା ବେଳେ ଗୋଟିଏ ଜିତିଛି। ଭାରତଠୁ ପରାଜିତ ହେବା ସହ ଆମେରିକା ଠାରୁ ମଧ୍ୟ ପରାଜୟର ମୁହଁ ଦେଖିଛି ବାବର ଆଜମଙ୍କ ଟିମ୍। ପାକିସ୍ତାନର ଶୋଚନୀୟ ପ୍ରଦର୍ଶନର କାରଣ ଦଳରେ ଚାଲିଥିବା ରାଜନୀତି କୁହାଯାଉଛି। ଟାଇମ୍ସ ଅଫ ଇଣ୍ଡିଆର ଖବର ଅନୁଯାୟୀ, ଦଳ ତିନୋଟି ଗୋଷ୍ଠୀରେ ବିଭାଜନ ହୋଇଛି। ଗୋଟିଏ ଗୋଷ୍ଠୀ ବାବରଙ୍କ ସମର୍ଥନରେ ଥିବା ବେଳେ ଶାହୀନଙ୍କ ପାଖରେ ଦ୍ଵିତୀୟ ଗୋଷ୍ଠୀ ଏବଂ  ଅନ୍ୟ ଗୋଷ୍ଠୀ ମହମ୍ମଦ ରିଜଓ୍ଵାନଙ୍କ ସମର୍ଥନରେ ଅଛନ୍ତି।

ପାକିସ୍ତାନ ଦଳ ଦୀର୍ଘ ସମୟ ଧରି ନାନା ସମସ୍ୟା ଦେଇ ଗତି କରୁଛି। ପାକିସ୍ତାନ ଖରାପ ପ୍ରଦର୍ଶନ କରି ଦିନିକିଆ ବିଶ୍ଵକପ୍ ୨୦୨୩ରୁ ବାଦ୍ ପଡ଼ିଥିଲା। ଏହା ପରେ ବାବର ଆଜମଙ୍କୁ ଅଧିନାୟକ ପଦରୁ ହଟାଯାଇଥିଲା। ତାଙ୍କ ସ୍ଥାନରେ ଶାହୀନ ଆଫ୍ରିଦିଙ୍କୁ ଦାୟିତ୍ଵ ଦିଆଗଲା।ପିଏସଏଲ ସରିବାରୁ ପୁଣି ଥରେ ବିବାଦ ଆରମ୍ଭ ହୋଇଥିଲା। ଶାହୀନଙ୍କୁ ଅଧିନାୟକ ପଦରୁ ହଟାଇ ବାବରଙ୍କୁ ପୁଣି ଅଧିନାୟକ ଦାୟିତ୍ଵ ଦିଆଗଲା। ଅଧିନାୟକ ସିନା ବଦଳିଗଲେ ହେଲେ ଦଳର ପ୍ରଦର୍ଶନରେ କୌଣସି ଫରକ ପଡ଼ିଲା ନାହିଁ। ଓଲଟା ଦଳ ନିରାଶଜନକ ପ୍ରଦର୍ଶନ କରି ଟି-୨୦ ବିଶ୍ଵକପ୍ ୨୦୨୪ ଲିଗ୍ ପର୍ଯ୍ୟାୟରୁ ବାଦ୍ ପଡ଼ିଛି।

 

  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.