ନୂଆଦିଲ୍ଲୀ: ମହିଳା ଟି-୨୦ ବିଶ୍ଵକପ୍ ୨୦୨୪ର ଆୟୋଜନ ପ୍ରଥମେ ବାଂଲାଦେଶରେ ହେବାର ଥିଲା। ମାତ୍ର ସେଠାରେ ବିରୋଧ ପ୍ରଦର୍ଶନ କାରଣରୁ ପରିସ୍ଥିତି ସ୍ଵାଭାବିକ ହୋଇ ପାରିନି। ଫଳରେ ଆଇସିସି ୟୁଏଇକୁ ଆଗାମୀ ମହିଳା ବିଶ୍ଵକପ୍ ଆୟୋଜନ ଭାର ହସ୍ତାନ୍ତର କରିଛି। ଏବେ ଆଇସିସି ଟିକେଟ୍ ଦର ଘୋଷଣା କରିଛି। ଟିକେଟ୍ ମୂଲ୍ୟ ମାତ୍ର ୫ ଦିରହମ ଅର୍ଥାତ ଭାରତୀୟ ମୁଦ୍ରା ହିସାବରେ ୧୧୪.୨୮ ଟଙ୍କା ରହିଛି।
ୟୁଏଇରେ ୧୮ ଦିନ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟକୁ ସ୍ମରଣୀୟ କରିବାକୁ ଆଇସିସି ପକ୍ଷରୁ ଉଦ୍ୟମ ଜାରି ରହିଛି। ଯେମିତି ଅଧିକରୁ ଅଧିକ ଦର୍ଶକ ଷ୍ଟାଡିୟମକୁ ଆସିବେ, ଏହାକୁ ଦୃଷ୍ଟିରେ ରଖି ଟିକେଟ୍ ଦାମ ବହୁତ କମ ରଖା ଯାଇଛି। ୧୮ ବର୍ଷରୁ କମ ବୟସର ପିଲାଙ୍କ ପାଇଁ ଷ୍ଟାଡିୟମରେ ମାଗଣା ପ୍ରବେଶ ସୁବିଧା କରାଯାଇଛି। ଆଇସିସି ଏକ ଭିଡିଓ ଜାରି କରିଛି, ଯେଉଁଥିରେ ଦୁନିଆର ସବୁଠୁ ଉଚ୍ଚ ଅଟ୍ଟାଳିକା ବୁର୍ଜ ଖଲିଫାରେ ଲେଜର ଶୋ ମାଧ୍ୟମରେ ଆଗାମୀ ବିଶ୍ଵକପ୍କୁ ପ୍ରମୋଟ୍ କରିବାକୁ ପ୍ରୟାସ କରାଯାଇଛି।
Also read: ଆଫଗାନିସ୍ତାନ-ନ୍ୟୁଜିଲାଣ୍ଡ ମ୍ୟାଚ୍ରେ ଅବ୍ୟବସ୍ଥା ଚରମରେ, ଭଡ଼ାରେ ଅଣାଗଲା ପଙ୍ଖା ଓ କଭର
ଏ ସମ୍ବନ୍ଧରେ ଆଇସିସିର ସିଇଓ ଜଫ ଏଲାର୍ଡିସ କହିଛନ୍ତି, ୟୁଏଇରେ ମହିଳା ଟି-୨୦ ବିଶ୍ଵକପ୍ ସମୟରେ ସମଗ୍ର ବିଶ୍ଵର ପ୍ରତିନିଧି ଯୋଗ ଦେବେ। ଏଠାରେ ସମସ୍ତ ୧୦ ଦଳ ପାଇଁ ଏହି ବିଶ୍ଵକପ୍ ସ୍ମରଣୀୟ ହେବାକୁ ଯାଉଛି। ଏଠାରେ ସବୁ ବର୍ଗର ଦର୍ଶକଙ୍କ ସମର୍ଥନ ମିଳୁଛି। ମୋତେ ଏହା ଘୋଷଣା କରି ଖୁସି ଲାଗୁଛି ଯେ, ଟିକେଟ୍ ଦାମ ମାତ୍ର ୧୧୪ ଟଙ୍କା ରହିଛି। ୧୮ ବର୍ଷରୁ କମ ବୟସର ପିଲାଙ୍କୁ ଷ୍ଟାଡିୟମରେ ମାଗଣା ପ୍ରବେଶ ସୁବିଧା ଦିଆଯାଇଛି।
ଅକ୍ଟୋବର ୩ରେ ମହିଳା ଟି-୨୦ ବିଶ୍ଵକପ୍ ୨୦୨୪ରେ ଆରମ୍ଭ ହୋଇ ଅକ୍ଟୋବର ୨୦ ପର୍ଯ୍ୟନ୍ତ ଜାରି ରହିବ। ଏଥିରେ ମୋଟ୍ ୧୦ଟି ଦଳ ଅଂଶଗ୍ରହଣ କରିବେ। ପାଞ୍ଚଟି ଲେଖାଏଁ ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି। ଭାରତ ସହିତ ଅଷ୍ଟ୍ରେଲିଆ, ପାକିସ୍ତାନ, ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କାକୁ ଗ୍ରୁପ ଏରେ ରଖା ଯାଇଛି। ସୂଚନାଯୋଗ୍ୟ, ଆଜି ପର୍ଯ୍ୟନ୍ତ ଭାରତ ମହିଳା ଟି-୨୦ ବିଶ୍ଵକପ୍ ଜିତି ପାରିନି। ଦଳ କେବଳ ଥରୁଟିଏ ଫାଇନାଲ୍ରେ ପହଞ୍ଚି ପାରିଛି।