ତିରୁପତି ମନ୍ଦିର ଲଡୁରେ ଚର୍ବି ଘଟଣାରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମାଗିଲା ରିପୋର୍ଟ, ନଡ୍ଡା କହିଲେ- ଆକ୍ସନ ହେବ

Published By : Prameya-News7 Bureau | September 20, 2024 IST

ନୂଆଦିଲ୍ଲୀ: କୋଟି କୋଟି ହିନ୍ଦୁଙ୍କ ଆସ୍ଥାର କେନ୍ଦ୍ର ମଧ୍ୟରୁ ଅନ୍ୟତମ ତିରୁପତି ମନ୍ଦିରରେ ମିଳୁଥିବା ଲଡୁରେ ମାଛ ତେଲ ଏବଂ ପଶୁ ଚର୍ବି ମିଶିବା ସ୍ପଷ୍ଟ ହେବ ପରେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ଲଡୁର ଲ୍ୟାବ ପରୀକ୍ଷଣରୁ ଜଣାପଡ଼ିଛି ଯେ ଏଥିରେ ଗାଈ, ଘୁଷୁରିର ଚର୍ବି ଏବଂ ମାଛ ତେଲ ରହିଛି । ଏହି ରିପୋର୍ଟ ଆନ୍ଧ୍ର ପ୍ରଦେଶ ରାଜନୀତିରେ ହଇଚଇ ସୃଷ୍ଟି କରିଛି । ଏହା ବ୍ୟତୀତ ତିରୁପତି ପ୍ରସାଦର ଶୁଦ୍ଧତା ସହ ସାଲିସ୍ କରି କିପରି କୋଟି କୋଟି ହିନ୍ଦୁଙ୍କ ସହ ଆସ୍ଥାକୁ ଆଘାତ ପହଞ୍ଚାଯାଇଛି ତାକୁ ନେଇ ଚର୍ଚ୍ଚା ଚାଲିଛି ।

ଏହାରି ଭିତରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ମାମଲାରେ ଏବେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ଜବାବତଲବ କରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଶୁକ୍ରବାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଆମେ ରାଜ୍ୟ ସରକାରଙ୍କୁ ବିସ୍ତୃତ ରିପୋର୍ଟ ମାଗିଛୁ । ଏହାପରେ ତଦନ୍ତ କରାଯିବ ଏବଂ ଦୋଷୀଙ୍କ ବିରୋଧରେ FSSAI ନିୟମ ଅଧିନରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ କେବଳ ରିପୋର୍ଟ ମଗାଯାଇଛି, ତଦନ୍ତ ରିପୋର୍ଟ ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ନଡ୍ଡା କହିଛନ୍ତି ଯେ ମିଳିଥିବା ସୂଚନା ଅନୁସାରେ ଲଡୁରେ ଘୁଷୁରି ଚର୍ବି, ମାଛ ତେଲ ଏବଂ ବିଫ୍ ଟେଲୋରେ ତିଆରି ଘିଅ ବ୍ୟବହାର କରାଯାଉଥିଲା ।

ନଡ୍ଡା କହିଛନ୍ତି ସୂଚନା ମିଳିବା ପରେ ଆମେ ରାଜ୍ୟ ସରକାରଙ୍କ ସହ କଥା ହୋଇଛି । ଆମେ ଚନ୍ଦ୍ରବାବୁ ନାଇଡୁ ସରକାରଙ୍କୁ ଯାହା ବି ତଥ୍ୟ ଅଛି ଉପଲବ୍ଧ କରାଇବା ପାଇଁ କହିଛୁ । ରିପୋର୍ଟ ଆସିବା ପରେ ଆକ୍ସନ ନିଆଯିବ । ଉଲ୍ଲେଖଯୋଗ୍ୟ ଯେ ଏହି ମାମଲାରେ ପୂର୍ବରୁ ଜଗନମୋହନ ରେଡ୍ଡି ସରକାରଙ୍କୁ ଘେରାଯାଉଛି । କୁହାଯାଉଛି ଯେ ତାଙ୍କ ସମୟରେ ହିଁ ବ୍ୟବସ୍ଥାରେ ପରିବର୍ତ୍ତନ ଅଣାଯାଇଥିଲା ଏବଂ ଯେଉଁ ଠିକାଦାରଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା ସେ ଏଭଳି କାମ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.