ତିରୁପତି ମନ୍ଦିରଙ୍କୁ କେଜି ୩୨୦ ଟଙ୍କା ଦରରେ ଦେଉଥିଲା ଘିଅ, ଜାଣନ୍ତୁ କିପରି ଧରାପଡିଲା ଦୁଗ୍ଧ କମ୍ପାନୀ

Published By : Prameya-News7 Bureau | September 21, 2024 IST

ନୂଆଦିଲ୍ଲୀ ୨୧।୯:   ତିରୁପତି ବାଲାଜୀ ମନ୍ଦିରର ପ୍ରସାଦ ବିବାଦ ଏବେ ଉଗ୍ର ହେବାରେ ଲାଗିଛି। ମନ୍ଦିରରେ ଭକ୍ତଙ୍କ ନିମନ୍ତେ ପ୍ରସାଦ ଲାଗି ଯେଉଁ ଲଡୁ ପ୍ରସ୍ତୁତ ହେଉଥିଲା ସେଥି ଲାଗି ବ୍ୟବହୃତ ହେଉଥିବା ଘିଅ ପଶୁ ଚର୍ବିରେ ପ୍ରସ୍ତୁତ ହେଉଥିଲା ବୋଲି ଅଭିଯୋଗ ହୋଇଛି। ବିବାଦ ଉପୁଜିବା ପୂର୍ବରୁ ତିରୁପତି ବାଲାଜୀ ମନ୍ଦିରକୁ ଏ.ଆର.ଡାଏରୀ ଫୁଡ ପ୍ରାଇଭେଟ ଲିମିଟେଡ ଘିଅ ଯୋଗାଣ କରୁଥିଲା। ବିବାଦ ଉପୁଜିବା ପରେ ଏବେ ଏହି କମ୍ପାନୀ ଉପରେ ପ୍ରଶ୍ନ ଚିହ୍ନ ଲାଗିଛି। 

ତିରୁମାଲା ତିରୁପତି ଦେବସ୍ଥାନମ (ଟିଟିଡି) ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରର ପରିଚାଳନା କରନ୍ତି। ତାମିଲନାଡୁର ଏ.ଆର.ଡାଏରୀ କହିଛନ୍ତି ଯେ ତାଙ୍କ ପ୍ରଡକ୍ଟର ସାମ୍ପୁଲକୁ ଅଧିକାରୀମାନେ କ୍ୱାଲିଟି ପାଇଁ ଆଇନତଃ ମଞ୍ଜୁରୀ ଦେଇଛନ୍ତି। କମ୍ପାନୀ କହିଛି ଯେ ମନ୍ଦିରକୁ ଯେବେ ବି ଘିଅ ସପ୍ଲାଇ କରାଯାଇଛି ସେତେବେଳେ ତାହାକୁ ରେଜିଷ୍ଟର୍ଡ ଲ୍ୟାବ ଦ୍ୱାରା ଯାଞ୍ଚ କରାଯାଇଛି। ତେବେ ଟିଟିଡି କାର୍ଯ୍ୟକାରୀ ଅଧିକାରୀ ଜେ.ଶ୍ୟାମଲା ରାଓ କହିଛନ୍ତି ଯେ ସତର୍କତା ପରେ ବି ଏ.ଆର ଫୁଡସ ପଠାଇଥିବା ୪ଟି ଘିଅ ଟ୍ୟାଙ୍କର ପ୍ରଥମ ଦୃଷ୍ଟିରେ ନିମ୍ନମାନର ବୋଲି ଜଣାପଡିଥିଲା। 

ରାଓ କହିଛନ୍ତି ଯେ କେବଳ ଏ.ଆର. ଡାଏରୀ ନୁହେଁ ଟିଟିଡିର ୫ ଘିଅ ଯୋଗାଣକାରୀ ଅଛନ୍ତି। ଏମାନେ ହେଉଛନ୍ତି ପ୍ରିମିୟର ଏଗ୍ରି ଫୁଡସ୍, କୃପାରାମ ଡଏରୀ, ବୈଷ୍ଣବୀ ଓ ଶ୍ରୀ ପରାଗ ମିଲ୍କ। ସେମାନେ ମନ୍ଦିରକୁ କେଜି ପିଛା ୩୨୦ ଟଙ୍କାରୁ ୪୧୧ ଟଙ୍କା ମଧ୍ୟରେ ଘିଅ ଯୋଗାଣ କରିଥାନ୍ତି। ଏହା ପୂର୍ବରୁ ୨୦୧୩ରୁ ୨୦୧୮ ପର୍ଯ୍ୟନ୍ତ କର୍ଣ୍ଣାଟକର ନନ୍ଦିନୀ ବ୍ରାଣ୍ଡ ଟିଟିଡିକୁ ୪,୦୦୦ମେଟ୍ରିକ ଟନ ଘିଅ ଯୋଗାଇ ଦେଇଥିଲେ। ତେବେ ନନ୍ଦିନୀ ୨୦୨୦ରୁ ଅସ୍ଥାୟୀ ରୂପେ ଟିଟିଡିକୁ ଘିଅ ଯୋଗାଣ କରୁନଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.