ଭାରତ ସହ ସମ୍ପର୍କ ଖରାପ ହେବା ପରେ ସମାଲୋଚନା କଲେ କାନାଡ଼ା ନେତା: କହିଲେ- ଜଷ୍ଟିନ ଟ୍ରୁଡୋ ଭାରତରେ ହସର ପାତ୍ର

Published By : Prameya-News7 Bureau | October 22, 2023 IST

ଓଟ୍ଟାୱା: ଭାରତ ସହ କୁଟନୈତିକ ସମ୍ପର୍କ ଖରାପ କରିବା ପରେ ଜଷ୍ଟିନ ଟ୍ରୁଡୋଙ୍କୁ ସମାଲୋଚନା କରିଛନ୍ତି କାନାଡ଼ା ବିରୋଧୀ ଦଳର ନେତା। ଟ୍ରୁଢୋ ଭାରତରେ ହସର ପାତ୍ର ହୋଇ ରହିଯାଇଛନ୍ତ ବୋଲି କଞ୍ଜରଭେଟିବ ପାର୍ଟି ନେତା ପିଏରା ପଲିଏଭ୍ରେ କହିଛନ୍ତି। ଏକ ନେପାଳି ଗଣମାଧ୍ୟମ ନମସ୍ତେ ରେଡିଓ ଟୋରୋଣ୍ଟୋକୁ ପ୍ରତିକ୍ରିୟା ଦେଇ ପଲିଏଭ୍ରେ ଏପରି କହିଛନ୍ତି।

ବିଶ୍ୱର ବୃହତ ଗଣତନ୍ତ୍ରିକ ରାଷ୍ଟ୍ର ଭାରତରେ ଜଷ୍ଟିନ ଟ୍ରୁଡୋ କେବଳ ହସର ଏକ ପାତ୍ର ହୋଇ ରହିଯାଇଛନ୍ତି ବୋଲି ପଲିଏଭ୍ରେ କହିଛନ୍ତି। ଭାରତ କାନାଡ଼ାର କୁଟନୀତିଜ୍ଞମାନଙ୍କୁ ଦେଶ ଛାଡ଼ି ଚାଲିଯିବାକୁ କହିବା ନେଇ ପ୍ରଶ୍ନ କରିବା ପରେ ପଲିଏଭ୍ରେ ଏପରି କହିଛନ୍ତି। ସେ ଏଥିପାଇଁ ଟ୍ରୁଡୋଙ୍କୁ ଦାୟୀ କରିଛନ୍ତି। ଅଯୋଗ୍ୟତା ଓ ଅପରିପକ୍ୱତା ଯୋଗୁ ଏପରି ହୋଇଛି ବୋଲି ସେ କହିଛନ୍ତି। ବର୍ତ୍ତମାନ କାନାଡ଼ାର ଭାରତ ସମେତ ବିଶ୍ୱର ବଡ଼ ବଡ଼ ଶକ୍ତି ସହ ବିବାଦ ରହିଛି ଏଥିପାଇଁ ଟ୍ରୁଡୋଙ୍କ ଅପରିପକ୍ୱତା ହିଁ ଦାୟୀ ବୋଲି ସେ କହିଛନ୍ତି।

ସୂଚନା ଥାଉକି ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜର ହତ୍ୟାର ଦୋଷ ଲଦିବା ପରେ ଭାରତ ସହ କାନାଡ଼ାର ସମ୍ପର୍କ ଖରାପ ହୋଇଯାଇଛି। ଦୁଇ ଦେଶର ଭିଜା ବ୍ୟାନ୍ ସହ ଅନ୍ୟାନ୍ୟ କଟକଣା ବି ଲାଗିଛି। ଏହି କ୍ରମରେ ଭାରତ କାନାଡ଼ାକୁ ନିଜର ୪୧ ରାଷ୍ଟ୍ରଦୂତଙ୍କୁ ଭାରତରୁ ଫେରାଇ ନେବାକୁ ଡେଡ୍‌ଲାଇନ୍ ଦେଇଥିଲା। କାନାଡ଼ା ସମସ୍ତଙ୍କୁ ନିଜ ଦେଶକୁ ଫେରାଇ ନେଇଛି। ଯାହାକୁ ନେଇ ବିବାଦ ଦେଖିବାକୁ ମିଳିଛି।

ପଢ଼ନ୍ତୁ-ରାଷ୍ଟ୍ରଦୂତ ପ୍ରତ୍ୟାବର୍ତ୍ତନ ମାମଲା: ଜୟଶଙ୍କର କହିଲେ- କାନାଡ଼ା କୁଟନୀତିଜ୍ଞଙ୍କର ଭାରତୀୟ ବ୍ୟାପାରରେ ହସ୍ତକ୍ଷେପ ଚିନ୍ତାର ବିଷୟ ଥିଲା

ଘଟଣାକୁ ନେଇ ଟ୍ରୁଡୋଙ୍କୁ ଦାୟୀ କରି ପଲିଏଭ୍ରେ କହିଛନ୍ତି ଯେ କାନାଡ଼ା ଭାରତ ପ୍ରଫେସନାଲ୍ ସମ୍ପର୍କ ରଖିବା ଦରକାର। ମୁଁ ଯଦି ପ୍ରଧାନମନ୍ତ୍ରୀ ହେବେ ତେବେ ଭାରତ ସହ ପୁଣିଥରେ କୁଟନୀତିଜ୍ଞ ସମ୍ପର୍କକୁ କାର୍ଯ୍ୟକ୍ଷମ କରିବି। ସେ କହିଛନ୍ତି “ ଭାରତ ବିଶ୍ୱରେ ବୃହତ ଗଣତନ୍ତ୍ରିକ ଦେଶ। ପରସ୍ପର ମଧ୍ୟରେ ମତଭେଦ ରହିବା ଜଣେ ଅନ୍ୟ ଜଣଙ୍କ ଉପରେ ଦୋଷ ଲଦିବା ଠିକ୍ ଅଛି। କିନ୍ତୁ ଆମ ଭିତରେ ପ୍ରଫେସ୍‌ନାଲ ସମ୍ପର୍କ ରହିବା ଦରକାର।” ସେହିପରି କାନାଡ଼ର ବୈଦେଶିକ ସମ୍ପର୍କ ଉପରେ ଟିପ୍ପଣୀ କରି ପଲିଏଭ୍ରେ କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଟ୍ରୁଡୋଙ୍କୁ ପା ପୋଛ(ଡୋରମେଟ୍) ଭଳି ବ୍ୟବାହର କରୁଛନ୍ତି। କଣ୍ଢେଇ ପରି ଭାବି ଚାରିପଟୁ ଚାପୁଡ଼ା ମାରୁଛନ୍ତି। ସେହିପରି କାନାଡ଼ାରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣକୁ ସେ କଡ଼ା ନିନ୍ଦା କରିଛନ୍ତି।

ଏନେଇ ପଲିଏଭ୍ରେ କହିଛନ୍ତି “ହିନ୍ଦୁ ମନ୍ଦିରଗୁଡ଼ିକ ହୋଇଥିବା ଆକ୍ରମଣକୁ ମୁଁ କଡ଼ା ନିନ୍ଦା କରୁଛି। ହିନ୍ଦୂ ନେତମାନଙ୍କୁ ଧମକ, ସାଧାରଣ କାର୍ଯ୍ୟକ୍ରମଗୁଡ଼ିକରେ ଭାରତୀୟ କୂଟନୀତିଜ୍ଞଙ୍କ ବିରୋଧରେ ଆକ୍ରୋଶମୂଳକ ମନୋଭାବ ଆଦୌ ଗ୍ରହଣୀୟ ନୁହେଁ। ମୁଁ ଏହାକୁ ସବୁବେଳେ ନିନ୍ଦା କରିବି।” ଯେଉଁମାନେ ହିନ୍ଦୁ ଓ ହିନ୍ଦୁ ମନ୍ଦିରଙ୍କ ଉପରେ ଆକ୍ରମଣ କରୁଛନ୍ତି ତାଙ୍କ ବିରୋଧରେ ଅପରାଧିକ ମାମଲା ହେବା ଉଚିତ୍ ବୋଲି ପଲିଏଭ୍ରେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.