ନୂଆଦିଲ୍ଲୀ: ଟ୍ରେନରେ ଟିଟିଇ ଓ ଦୁଇ କୋଚ ଆଟେଣ୍ଡାଣ୍ଟଙ୍କ ନୃଶଂସତା। ଯାତ୍ରୀଙ୍କୁ ତଳେ ପକାଇ ନିର୍ଧୁମ ପିଟିଲେ। ଖାଲି ସେତିକି ନୁହେଁ ଯାତ୍ରୀଙ୍କ ବେକ ଉପରେ ବସିଗଲେ ଟିଟିଇ। ସୋସିଆଲ ମିଡିଆ ଏକ୍ସରେ ଭାଇରାଲ ହେଉଛି ଏଭଳି ଏକ ଭିଡିଓ । ଯେଉଁଥିରେ ଜଣେ ଟିଟିଇ ଏବଂ ଯାତ୍ରୀଙ୍କ ମଧ୍ୟରେ ହାତାହାତି ଦେଖିବାକୁ ମିଳିଛି। ଭିଡିଓ ଅମୃତସରରୁ କଟିହାର ଯାଉଥିବା ଆମ୍ରପାଲି ଏକ୍ସପ୍ରେସର ଏମ୨ର।
ସୂଚନା ଅନୁଯାୟୀ, ଶେଖ ମୁଜାବିଲ ନାମକ ଜଣେ ବ୍ୟକ୍ତି ଏହି ଟ୍ରେନରେ ଯାତ୍ରା କରୁଥିଲେ। ହେଲେ ସେ ମଦ ନିଶାରେ ଚୁର୍ ହୋଇ ବାନ୍ତି କରିବା ସହ କୋଚରେ ହିଁ ପରିସ୍ରା କରିଥିଲେ। ଯାହାକୁ ନେଇ ପ୍ରଥମେ ତାଙ୍କର ଦୁଇ କୋଚ ଆଟେଣ୍ଡାଣ୍ଟଙ୍କ ସହ ବଚସା ହୋଇଥିଲା। ପରବର୍ତ୍ତୀ ସମୟରେ ଯେତେବେଳେ ଟିଟିଇ ସମାଧାନ କରିବାକୁ ଚେଷ୍ଟା କରିଥିଲେ। ସେତେବେଳେ ଯାତ୍ରୀ ଜଣଙ୍କ ତାଙ୍କୁ ଚାପୁଡ଼ା ମାରିଥିଲେ। ଏଥିରେ ରାଗିଯାଇ ଟିଟିଇ ଏବଂ ଦୁଇ କୋଚ ଆଟେଣ୍ଡାଣ୍ଟ ଯାତ୍ରୀଙ୍କୁ ତଳେ ପକାଇ ପିଟିଥିଲେ।
ପ୍ରଥମେ ଷ୍ଟାଫ୍ ଯାତ୍ରୀଙ୍କୁ ବେଲ୍ଟରେ ପିଟିଥିଲେ। ଟିଟିଇ ଯାତ୍ରୀଙ୍କୁ ଖୁବ୍ ଗୋଇଠା-ବିଧା ମାରିବା ସହ ତାଙ୍କ ବେକ ଉପରେ ବସିଯାଇଥିଲେ। ଏହି ସମୟରେ ଖୁବ୍ ଗାଳି ଗୁଲଜ ହେଉଥିବା ମଧ୍ୟ ଭଇରାଲ ଭିଡିଓରେ ଦେଖାଯାଇଛି। ମୁଜାବିଲଙ୍କୁ ଟ୍ରେନରୁ ବାହାରକୁ ଫିଙ୍ଗିଦେବାକୁ ମଧ୍ୟ ଧମକ ଦିଆଯାଇଥିବା କଥା କହିଛନ୍ତି କିଛି ଯାତ୍ରୀ।
ତେବେ ଅଭିଯୋଗ ପରେ ଆରପିଏଫ ଆରପିଏଫ ଟୁଣ୍ଡଲା ଯାତ୍ରୀ ଶେଖ ମୁଜାବିଲଙ୍କୁ ହେପାଜତକୁ ନେଇଛି। ସେହିଭଳି ରେଲଓ୍ବେ ଟିଟିଇ ରାଜେଶ କୁମାରଙ୍କୁ ମଧ୍ୟ ସସପେଣ୍ଡ୍ କରାଯାଇଛି। କୋଚରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ସୋସିଆଲ ମଡିଆ ଏକ୍ସରେ ପୋଷ୍ଟ କରିଥିଲେ ଏବଂ ମାମଲାର ଅଭିଯୋଗ କରିଥିଲେ। ଏହା ପରେ ଆରପିଏଫ, ଜିଆରପି ଏବଂ ପୋଲିସ ଅଧିକାରୀ ଯାଞ୍ଚରେ ଲାଗିପଡ଼ିଥିଲେ।
ଆରପିଏଫ୍ ଇନସ୍ପେକ୍ଟର ସୁଶୀଲ କୁମାର କହିଛନ୍ତି ଯେ, ମଦ ନିଶାରେ ଥିବା ଯାତ୍ରୀଙ୍କ ନାଁ ଶେଖ ମୁଜାବିଲ୍। ଟିଟିଇ ତାଙ୍କୁ ଟିକେଟ ମାଗିଥିଲେ, କିନ୍ତୁ ଯାତ୍ରୀ ଜଣକ ଯୁକ୍ତି ତର୍କ କରି ଟିଟିଇଙ୍କୁ ଚାପୁଡ଼ା ମାରିଥିଲେ । ଏହା ପରେ ମାରପିଟ୍ ଆରମ୍ଭ ହୋଇଯାଇଥିଲା।