UCCIL ଗ୍ଲୋବାଲ ଟ୍ରେଡ୍‌ ଶୋ’ : ଡବଲ୍ ଇଞ୍ଜିନ୍‌ ସରକାରରେ ପୁଞ୍ଜିପତି ଓ ଉଦ୍ୟୋଗୀଙ୍କୁ ଥାର୍ଡ଼ ଇଞ୍ଜିନ୍ ହେବାକୁ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | August 30, 2024 IST

ଭୁବନେଶ୍ବର ୩୦।୮: ରାଜ୍ୟରେ ବୃହତ୍ତ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ୨୦୪୭ ସୁଦ୍ଧା ଦେଶର ୧ ନମ୍ବର ଶିଳ୍ପ ଭିତ୍ତିକ ରାଜ୍ୟ ହେବ ଓଡ଼ିଶା । ଅଣୁ, କ୍ଷୁଦ୍ର, ମଧ୍ୟମ ଓ ବୃହତ୍ତ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହୀ ପୁଞ୍ଜିପତି ଓ ଶିଳ୍ପପତିଙ୍କୁ ଗୁରୁତ୍ବ ଦିଆଯିବ । ଆଜି ଭୁବନେଶ୍ବରରେ ଆୟୋଜିତ UCCIL ଗ୍ଲୋବାଲ ଟ୍ରେଡ୍‌ ଶୋ’କୁ ଉଦ୍‌ଘାଟନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଡବଲ ଇଞ୍ଜିନ୍‌ ସରକାରରେ ପୁଞ୍ଜିପତି ଓ ଉଦ୍ୟୋଗୀଙ୍କୁ ଥାର୍ଡ଼ ଇଞ୍ଜିନ୍‌ ଭାବେ ଯୋଡ଼ି ହୋଇ ରାଜ୍ୟ ବିକାଶରେ ଭାଗିଦାରୀ ହେବା ପାଇଁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଶିଳ୍ପ ପ୍ରତିଷ୍ଠା ପାଇଁ ଭିତ୍ତିଭୂମି ଯୋଗାଇଦେବେ ସରକାର । ଖୁବ୍‌ ଶୀଘ୍ର ମେକ୍‌ ଇନ୍‌ ଓଡ଼ିଶାର ଚତୁର୍ଥ ସଂସ୍କରଣ ଅନୁଷ୍ଠିତ ହେବ । ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଭଳି ଦେଶର ବଡ଼ ସହର ଓ ବିଦେଶରେ ବି ପୁଞ୍ଜି ନିବେଶ ପାଇଁ ରୋଡ୍‌ ଶୋ’ କରିବେ ରାଜ୍ୟ ସରକାର । ଛୋଟବଡ଼ ଉଦ୍ୟୋଗୀଙ୍କୁ ବାଛବିଚାର ନକରି ସମସ୍ତଙ୍କୁ ପ୍ରାଧାନ୍ୟ ଦିଆଯିବ । ସମସ୍ତଙ୍କୁ ମିଳିବ ସିଙ୍ଗଲ୍‌ ଓ୍ବିଣ୍ଡୋ ସର୍ଭିସ୍‌ । ସେମି କଣ୍ଡକ୍ଟର ଦିଗରେ ବଡ଼ ବିପ୍ଳବ ଆସିବ । ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଅପଗ୍ରେଡ୍‌ ହେବ । ପୂର୍ବୋଦୟର ବିକାଶ ଓଡ଼ିଶାରୁ ହିଁ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ମୋଦି ଯାହା କହିବେ ରାଜ୍ୟରେ ମୋହନ ସରକାର ତାହା କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି କୃଷି ଭିତ୍ତିକ ଶିଳ୍ପ ସହିତ କୃଷିରେ ମୂଲ୍ୟ ଭିତ୍ତିକ ଶିଳ୍ପକୁ ମଧ୍ୟ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । 

ସେହିଭଳି କାର୍ଯ୍ୟକ୍ରମରେ ଯୋଗଦେଇ ଶିଳ୍ପ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ଅପାର ସମ୍ଭାବନା ସତ୍ବେ ଓଡ଼ିଶା ଶିଳ୍ପ କ୍ଷେତ୍ରରେ ଯେଉଁ ସ୍ଥାନରେ ପହଞ୍ଚିବା କଥା ପହଞ୍ଚି ପାରିନାହିଁ । ଏବେ ଡବଲ ଇଞ୍ଜିନ୍‌ ସରକାର ଥିବାରୁ ଶିଳ୍ପ କ୍ଷେତ୍ରରେ ନୂଆ ନୂଆ ଯୋଜନାକୁ ନେଇ ଆଗକୁ ବଢ଼ିବ ରାଜ୍ୟ । ଫରେନ୍‌ ଇନଭେଷ୍ଟମେଣ୍ଟ ପାଇଁ ମଧ୍ୟ କ୍ଷେତ୍ର ପ୍ରସ୍ତୁତ କରାଯିବ । ଓଡ଼ିଶାରେ ହେବ ମଲଟି ମୋଡାଲ ଲଜିଷ୍ଟିକ୍‌ ହବ୍‌ । ବିଜେଡି ଶାସନ ଅମଳରେ   ୩୫ ବୃହତ୍ତ ଶିଳ୍ପ ବନ୍ଦ ହୋଇ ପଡ଼ିଛି । ସେସବୁ ଶିଳ୍ପର ପୁନରୁଦ୍ଧାର କରାଯିବ । ସେହିଭଳି ଶିଳ୍ପ ସଚିବ କହିଛନ୍ତି  ଓଡ଼ିଶାରେ ନୂଆ ସରକାର ଆସିବା ପରେ ନୂଆ ଆଶା ସଂଚାର କରିଛି । ଓଡ଼ିଶାରେ ଶିଳ୍ପର ବିକାଶ ପାଇଁ ଆବଶ୍ୟକ କଞ୍ଚାମାଲ, ଭିତ୍ତିଭୂମି, ଶିଳ୍ପନୀତି ଓ ସରକାରୀ ସହଯୋଗ, ମାନବ ସମ୍ବଳର ଅଭାବ ନାହିଁ । ତେଣୁ ଓଡ଼ିଶାରେ ଶିଳ୍ପାୟନର ବିକାଶର ସମ୍ଭାବନା ଅଧିକ ରହିଛି । 

୨୦୩୬ରେ ଓଡ଼ିଶା ଶହେ ବର୍ଷ ପୂରଣ କରିବ । ତେଣୁ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଶିଳ୍ପର ବିକାଶକୁ ନେଇ ବଡ଼ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । 

You Can Read:

ରାସ୍ତା ତଳକୁ ଓଲଟିଲା ସ୍କୁଲ ଭ୍ୟାନ୍, ୧୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.