ଗରିବଙ୍କୁ ଲୁଟୁଛନ୍ତି ବହୁରାଷ୍ଟ୍ରୀୟ କମ୍ପାନି; ଏବେବି ଚାଲିଛି ଇଷ୍ଟ ଇଣ୍ଡିଆ ଭଳି ନୀତି , ୨୦୨୪ରେ ୨୦୪ ନୂଆ ଆରବପତି

Published By : Prameya-News7 Bureau | January 21, 2025 IST

ନୂଆଦିଲ୍ଲୀ,୨୧/୦୧: ୧୭୬୫ରୁ ୧୯୪୭ ଭାରତର ଆର୍ଥନୈତିକ ଲୁଟ୍ ହୋଇଛି । ପ୍ରାୟ ୨ଶହ ବର୍ଷ ଧରି ଏକଛତ୍ରବାଦ ଶାସନ ଚଳାଇଥିଲା ଇଷ୍ଟ ଇଣ୍ଡିଆ କମ୍ପାନି । ଇଂରେଜ ଶାସନ କାଳରେ ଭାରତର ଅର୍ଥନୀତି ରସାତଳଗାମୀ ହୋଇଥିଲା । ବ୍ୟବସାୟ କରିବାକୁ ଆସି ପ୍ରଥମେ ଭାରତର ଶାସନ ବ୍ୟବସ୍ଥା ଉପରେ ଆଖି ପକାଇଥିଲେ । ପରେ ଏମାନେ ସୁବର୍ଣ୍ଣ ଭାରତକୁ ଲୁଟି ଥିଲେ । ଦେଶରୁ ଲୁଟି ନେଇଥିଲେ ୬୪ ଲକ୍ଷ ୮୨ ହଜାର କୋଟି ଡଲାରର ସମ୍ପତ୍ତି । ଗଙ୍ଗା ନଦୀ ଉପକୂଳରୁ ସମ୍ପତ୍ତି ବୋହି ନେଇ ଥେମାନ ଉପକୂଳକୁ ଭର୍ତ୍ତି କରିଥିଲେ । ଏହି  ସମ୍ପତ୍ତି ଯାଇଥିଲା ବ୍ରିଟେନର ୧୦% ଧନୀ ବ୍ୟକ୍ତିଙ୍କ ପାଖକୁ । ୨୦୦ ବର୍ଷ ଆମ ଘରୋଇ ଶିଳ୍ପ ଉପରେ କଟକଣା ଲଗାଇ ସେମାନଙ୍କ ଅଭିବୃଦ୍ଧି ବାଟ ବନ୍ଦ କରିଦେଇଥିଲେ । ଭାରତୀୟ ବଜାରରେ ବ୍ରିଟେନ ସାମଗ୍ରୀକୁ ଲଗାତାର ପ୍ରୋତ୍ସାହନ ଭାରତକୁ ଦୁର୍ବଳ କରିଥିଲା  । 

ସେହି ସ୍ଥିତି ଏବେ ବି ଅନ୍ୟ ଏକ ଢଙ୍ଗରେ ଜାରି ରହିଛି । ଇଷ୍ଟଇଣ୍ଡିଆ କମ୍ପାନି ଭଳି ବହୁଦେଶୀୟ   କମ୍ପାନି ଗୁଡିକ ଏଭଳି ଶୋଷଣ ନୀତି ଜାରି ରଖିଛନ୍ତି ।  ଏକଚାଟିଆ ନୀତି, ସାମରିକ କ୍ଷମତା ବ୍ୟବହାର କରି ଦୁର୍ବଳ ରାଷ୍ଟ୍ରଗୁଡିକର ଯୋଗ୍ୟ ମାନବ ସମ୍ବଳ  ଏବଂ ପ୍ରାକୃତିକ ସମ୍ବଳକୁ ଲୁଟ୍ କରୁଛନ୍ତି ସେମାନେ । ଏଭଳି ତଥ୍ୟ ଅକ୍ସଫାମ ଇଣ୍ଟରନ୍ୟାସନାଲ ପକ୍ଷରୁ ଜାରି ‘ଟେକର୍ସ ନଟ୍‌ ମେକର୍ସ ରିପୋର୍ଟରୁ  ଜଣାପଡିଛି । ସ୍ୱିଜରଲାଣ୍ଡର ଡାଭୋସରେ ଚାଲିଥିବା ୱାର୍ଲଡ ଇକୋନୋମିକ ଫୋରମ୍ ବାର୍ଷିକ ବୈଠକ ଅବସରରେ ଅକ୍ସଫାମ ଏଭଳି ଏକ ରିପୋର୍ଟ  ଜାରି କରିଛି । ଏଥିରେ କୁହାଯାଇଛି ଯେ,  ବର୍ତ୍ତମାନର ବହୁଦେଶୀୟ କମ୍ପାନି ଗୁଡିକ ଯୋଗାଣ ଶୃଙ୍ଖଳାକୁ ନିୟନ୍ତ୍ରଣ କରି ସମ୍ବଳ ଲୁଟୁଛନ୍ତି । ଯାହା  ‘ଗ୍ଲୋବାଲ ସାଉଥ‘କୁ ଗଭୀର କ୍ଷତି ପହଞ୍ଚାଉଛି ।  

ଏଭଳି କର୍ପୋରେଟଗୁଡିକ ନିଜେ ବେଶ ଭଲ ଫାଇଦା କମାଉଛନ୍ତି । ମାତ୍ର ଏହାର ଲାଭ ଅନ୍ୟ  ଦେଶଗୁଡିକୁ ମିଳୁନି । ଇଂରେଜ ଶାସନ ସମୟରେ ବୁଣାଯାଇଥିବା ଅସମାନତାର ମଞ୍ଜି ବର୍ତ୍ତମାନ ରୂପ  ବଦଳାଇ କାୟା ବିସ୍ତାର କରିଛି, ତାର ବାସ୍ତବ ଛବି ମଧ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।  ୧୭୬୫ରୁ ୧୯୦୦ ଯାଏ ବ୍ରିଟେନ ଭାରତରୁ ୬୪.୮୨ ଲକ୍ଷ କୋଟି ଡଲାର ସମ୍ପତ୍ତି ଲୁଟି  ନେଇଥିଲା । ଏଥି ମଧ୍ୟରୁ ଅର୍ଦ୍ଧାଧିକ ସମ୍ପତ୍ତି କେବଳ ବ୍ରିଟେନର ୧୦% ଲୋକଙ୍କ ନିକଟକୁ  ଯାଇଥିଲା । ଏହି ସମ୍ପତ୍ତି ବ୍ରିଟେନର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିଥିବା ବେଳେ ଭାରତକୁ କାଙ୍ଗାଳ କରିଦେଇଥିଲା । ଉପନିବେଶବାଦ ରୀତିମତ ଭାବେ ଭାରତର ଶିଳ୍ପ କ୍ଷେତ୍ରକୁ ଦୀର୍ଘ ମିଆଦୀ ଭିତ୍ତିରେ ପଙ୍ଗୁ କରିଦେଲା । 

୨୦୨୪ରେ ଅରବପତିଙ୍କ ସମ୍ପତ୍ତି ୨ ଲକ୍ଷ କୋଟି ଡଲାର ବଢ଼ିଛି । ଏହା ଏବେ ୧୫ ଲକ୍ଷ କୋଟି ଡଲାର ଛୁଇଁଛି । ଗତ ବର୍ଷ ତୁଳନାରେ ଏଥିରେ ୩ ଗୁଣା ବୃଦ୍ଧି  ହୋଇଛି । ଗତ ବର୍ଷ ସାରା ବିଶ୍ୱରେ ସୃଷ୍ଟି ହୋଇଛନ୍ତି ୨୦୪ ନୂଆ ଅରବପତି । ଗୋଟିଏ ପଟେ ଅତିଧନୀ ବ୍ୟକ୍ତି ବିଶେଷଙ୍କ ଅଭ୍ୟୁଦୟ ଏବଂ ଅନ୍ୟପଟେ ଦାରିଦ୍ର‌୍ୟର ବିକଳ ଚିତ୍ରକୁ ଅକ୍ସଫାମ ଏହାର ରିପୋର୍ଟରେ ଦର୍ଶାଇଛି । 

୬୦% ଅରବପତି ସେମାନଙ୍କ ସମ୍ପତ୍ତି ବଂଶାନୁକ୍ରମିକ ଏବଂ ଏକଚାଟିଆ  ଭାବେ ଲାଭ କରିଛନ୍ତି । ଏହି ରିପୋର୍ଟ ଆତ୍ମ ପ୍ରୟାସରେ ଅରବପତି ହୋଇଥିବା   ବ୍ୟକ୍ତିଙ୍କ ଦାବିକୁ ଚ୍ୟାଲେଞ୍ଜ କରିବା ସହ ବଂଶାନୁକ୍ରମିକ ସମ୍ପତ୍ତି ସମାଜରେ  ଅସମାନତା ସୃଷ୍ଟି କରୁଥିବା ଦର୍ଶାଇଛି । ୨୦୩୪ ବେଳକୁ ବଂଶାକୁକ୍ରମିକ  ଭାବେ ୫.୨ ଲକ୍ଷ କୋଟି ଡଲାର ସମ୍ପତ୍ତି ପରପୀଢ଼ି ଦାୟାଦଙ୍କ ନିକଟକୁ ଯିବ । ଯାହା ସମ୍ପତ୍ତି ମାତ୍ର କିଛି ଲୋକଙ୍କ ନିକଟରେ ଠୁଳ ବୋଲି ଦର୍ଶାଉଛି ।  

ବେତନର ଅସମାନତା ଉଚ୍ଚ ଆୟକାରୀ ରାଷ୍ଟ୍ର ଗୁଡିକରେ ମଧ୍ୟ ରହିଛି ।  ଏଠାରେ ପୁରୁଷଙ୍କୁ ତୁଳନାରେ ମହିଳା ମାନେ ୨୦.୯% କମ୍‌ ପାରିଶ୍ରମିକ ପାଉଛନ୍ତି । ସମାନ ଦକ୍ଷତା ଥାଇ ଏହି ଦେଶ ଗୁଡିକର ପ୍ରଫେସନାଲଙ୍କ  ତୁଳନାରେ ଗ୍ଲୋବାଲ ସାଉଥର ବ୍ୟକ୍ତିବିଶେଷ ୯୫% ଯାଏ କମ୍‌ ପାରିଶ୍ରମିକରେ   କାମ କରୁଥିବା ରିପୋର୍ଟରେ ଦର୍ଶାଯାଇଛି ।   

ଏବେ ବିଶ୍ୱ ଯୋଗାଣ ଶୃଙ୍ଖଳା ଇଂରେଜ ଶାସନ ଅମଳରେ ଲୁଟ୍‌ ଭଳି  ବ୍ୟବହାର ହେଉଛି । ଗ୍ଲୋବାଲ ସାଉଥର ପ୍ରଫେସନାଲମାନେ ଖରାପ କାର୍ଯ୍ୟ  ସ୍ଥିତି, ସ୍ୱଳ୍ପ ବେତନ ଏବଂ ସାମାଜିକ ସୁରକ୍ଷା ଲାଭରୁ ବଞ୍ଚିତ ହେଉଛନ୍ତି ।  କର୍ପୋରେଟ ଗୁଡିକ ହଜାର ହଜାର କୋଟିର ଲାଭ କମାଉଥିବା ବେଳେ  କର୍ମଚାରୀଙ୍କ ଅଧିକାରକୁ ଭୃକ୍ଷେପ କରୁନାହାନ୍ତି । ସ୍ୱଚ୍ଛଳ ନ ଥିବାରୁ ଦେଶ   ଗୁଡିକରେ ଏଭଳି ସ୍ଥିତି ବିରୋଧରେ ଲଢ଼େଇ କରିବାକୁ ସାହସ କରୁନାହାନ୍ତି । ରିପୋର୍ଟ ମୁତାବକ, ୧୭୫୦ରେ ଶିଳ୍ପ କ୍ଷେତ୍ରରେ ଭାରତର ଅଂଶ ୨୫%  ଥିଲା ଯାହା ୧୯୦୦ ବେଳକୁ ମାତ୍ର ୨%କୁ ଖସି ଆସିଲା । ଭାରତୀୟ ଶିଳ୍ପ   ଗୁଡିକ ଉପରେ କଡା କଟକଣା ଜାରି କରିବା ସହ ବ୍ରିଟେନ ଫ୍ୟାକ୍ଟ୍ରି ଗୁଡିକର  କଞ୍ଚାମାଲ ଏବଂ ଉତ୍ପାଦ ବ୍ୟବହାର କରିବାକୁ ବାଧ୍ୟ କରାଯାଇଥିଲା । ବ୍ରିଟେନ  ଅଶୋଧିତ ତୈଳ, ଖଣିଜ ଖନନ କରି ନିଜ ଦେଶକୁ ବୋହି ନେଉଥିଲା ।  ଯାହା ଜଳବାୟୁ ପରିବର୍ତ୍ତନର ଅନ୍ୟତମ କାରଣ ପାଲଟିଥିଲା ।  

ଏହି ରିପୋର୍ଟରେ ବିକଶିତ ଦେଶ ଗୁଡିକର କୋଭିଡ-୧୯ ଭାକ୍ସିନ  ପ୍ରସ୍ତୁତିରେ ବୈାଦ୍ଧିକ ସମ୍ପତ୍ତି ବିବାଦକୁ ମଧ୍ୟ ଦର୍ଶାଯାଇଛି । ଏ କ୍ଷେତ୍ରରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଭଳି ଦେଶ ଗୁଡିକର ପ୍ରୟାସକୁ ଅଣଦେଖା  କରାଯାଇଛି । ସେହିଭଳି ଗ୍ଲୋବାଲ ସାଉଥକୁ ପାଣ୍ଠି ଯୋଗାଣ ଦ୍ୱାରା ଶୋଷଣ   କରାଯାଉଛି । ଫଳରେ ଏହା ମଧ୍ୟ ନିୟୁତାଧିକ ଲୋକଙ୍କୁ ଦାରିଦ୍ର‌୍ୟ ମୁଖକୁ  ଠେଲି ଦେଉଥିବା ରିପୋର୍ଟରେ କୁହାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.