ନୂଆଦିଲ୍ଲୀ 08/10 : ଯଦି ଆପଣ ଚାକିରି ପାଇଁ ଆବେଦନ କରିଥିବେ। ଆଉ ୪୮ବର୍ଷ ପରେ ତାର ଉତ୍ତର ପାଇବେ । ତାହେଲେ ତାକୁ କଣ କହିବେ ଭାଗ୍ୟର ବିଡମ୍ବନା ନା ଆଉ କିଛି। ସେମିତି ଏକ ଅଜବ ଧରଣର ଘଟଣା ଘଟିଛି ଜଣେ ମହିଲାଙ୍କ ସହ। ଏହି ମହିଳାଙ୍କ ନାଁ ଟିଜି ହଡସନ୍। ଯିଏ ଲିଙ୍କନସାୟରର ବାସୀନ୍ଦା। ସେ ୪୮ ବର୍ଷ ପୂର୍ବେ ମୋଟରସାଇକେଲ ଷ୍ଟଣ୍ଟ୍ ରାଇଡର୍ ଚାକିରି ପାଇଁ ଆବେଦନ କରିଥିଲେ। ଏବେ ସେହି ଚିଠିକୁ ସେ ଫେରି ପାଇଛନ୍ତି ।
୭୦ ବର୍ଷୀୟ ଟିଜି ହଡ୍ସନ ଜଣେ ପୂର୍ବତନ ଷ୍ଟଣ୍ଟ୍ଓମ୍ୟାନ୍ । ୪୮ ବର୍ଷ ପୂର୍ବେ ପଠାଇଥିବା ଆବେଦନ ପତ୍ରକୁ ଦେଖି ସେ ଚକିତ ହୋଇଛନ୍ତି । ୧୯୭୬, ଜାନୁଆରୀରେ ସେ ଏହି ଆବେଦନ ପତ୍ର ପଠାଇଥିଲେ । ତାହା ଏକ ଡାକଘର ଡ୍ରୟର ଭିତରେ ବର୍ଷ ବର୍ଷ ଧରି ପଡ଼ିରହିବା ପରେ ପ୍ରାୟ ୫ ଦଶନ୍ଧି ପରେ ହଡ୍ସନଙ୍କ ପାଖକୁ ଫେରିଆସିଛି । ଏଥିସହ ଏକ ହାତଲେଖା ଚିଠି ବି ଆସିଛି, ଯେଉଁଥିରେ ଉଲ୍ଲେଖ ହୋଇଛି ‘ଷ୍ଟେନେସ୍ ପୋଷ୍ଟ୍ ଅଫିସ୍ ଦ୍ୱାରା ବିଳମ୍ବରେ ଡେଲିଭରୀ । ଡ୍ରୟର ଭିତରେ ହଠାତ୍ ମିଳିଲା । ମାତ୍ର ପ୍ରାୟ ୫୦ ବର୍ଷ ବିଳମ୍ବରେ । କିନ୍ତୁ ଏହି ଚିଠି କିଏ ଲେଖିକଛନ୍ତି ତାଙ୍କ ବିଷୟରେ କିଛି ସ୍ୱଚନା ନାହିଁ। ’
ଏହି ଅପ୍ରତ୍ୟାଶିତ ଚିଠି ହଡ୍ସନ୍ ଯୁବ ବୟସରେ ଚାକିରିକୁ ନେଇ ଦେଖିଥିବା ସ୍ୱପ୍ନର ସ୍ମୃତିକୁ ପୁଣି ଥରେ ତାଜା କରିଦେଇଛି । ସେ କହିଛନ୍ତି ‘ମୋତେ ସର୍ବଦା ଆଶ୍ଚର୍ଯ୍ୟ ଲାଗୁଥିଲା ଯେ ଚାକିରିକୁ ନେଇ ମୋତେ କାହିଁକି କଦାପି ଉତ୍ତର ମିଳିଲା ନାହିଁ । ଏବେ ମୁଁ କାହିଁକିର ଉତ୍ତର ପାଇଲି ।’ ଦୀର୍ଘ ୫ ଦଶନ୍ଧିର ସ୍ମୃତିକୁ ମନେପକାଇ ହଡ୍ସନ୍ କହିଛନ୍ତି, ଲଣ୍ଡନ ସ୍ଥିତ ଏକ ଘରେ ସେ ଆବେଦନ ପତ୍ରକୁ ଟାଇପ୍ କରିଥିଲେ । ପ୍ରତିକ୍ରିୟାକୁ ଅତ୍ୟନ୍ତ ଉତ୍ସାହର ସହ ଅପେକ୍ଷା କରିଥିଲେ । କନ୍ତୁ ତାହା କଦାପି ଆସିଲା ନାହିଁ । ପ୍ରତିଦିନ ସେ ଚିଠିକୁ ଅପେକ୍ଷା କରୁଥିଲେ, କିନ୍ତୁ ପ୍ରତିକ୍ରିୟା ଆସୁନଥିଲା । ଶେଷରେ ସେ ଖୁବ୍ ନିରାଶ ହେଲେ କାରଣ ସେ ଜଣେ ମୋଟରସାଇକେଲ ଷ୍ଟଣ୍ଟ୍ ରାଇଡର୍ ହେବାକୁ ଚାହୁଁଥିଲେ । ତେବେ ଚିଠିଟି ଦୀର୍ଘ ଦଶନ୍ଧି ପରେ ଫେରିଥିବାରୁ ସେ ବହୁତ ଖୁସି ।
Also Read- ହରିୟାଣାରେ ବିଜେପିର ଐତିହାସିକ ବିଜୟରେ ସେୟାର ମାର୍କେଟକୁ ଫେରିଲା ଉତ୍ସାହ, ନିବେଶକଙ୍କ ଲାଭ ୮ ଲକ୍ଷ କୋଟି ଟଙ୍କା
ଚିଠିର ଉତ୍ତର ନ ଆସିବାରୁ ହଡ୍ସନ୍ ଅନ୍ୟ କ୍ଷେତ୍ରରେ ଫୋକସ୍ କଲେ । ଆଫ୍ରିକା ଯାଇ ସାପ ଧରାଳି ଓ ଘୋଡ଼ା ଚଢ଼ାଳି କାମ କଲେ । ଏହା ପରେ ସେ ବିମାନ ଉଡ଼ାଣ ଶିଖିଲେ ଏବଂ ଜଣେ ଏରୋବାଟିକ୍ ପାଇଲଟ୍ ଓ ପ୍ରଶିକ୍ଷକ ହେଲେ । ସେ ଜଣେ ମହିଳା ବୋଲି ଲୋକଙ୍କୁ ନ ଜଣାଇବାକୁ ଖୁବ୍ ସଚେତନ ରହୁଥିଲେ । କାରଣ ତାଙ୍କ ଧାରଣା ଥିଲା ଯେ ଚାକିରି ସାକ୍ଷାତକରର ସୁଯୋଗ ବି ତାଙ୍କୁ ମିଳିନପାରେ । ହଡ଼ ସନ୍ ଏକଥା ବି କହିଛନ୍ତି ଯେ, ତାଙ୍କ ପାଖରେ ଏହି ଚିଠି ପହଞ୍ଚିବା ଏକ ରହସ୍ୟଭଳି। କାହିଁକିନା ଏତିକି ବର୍ଷରେ ସେ ଅନେକ ଥର ଘର ବଦଳାଇଛନ୍ତି। ଏମିତି କି ସେ 4ରୁ 5ଥର ବିଦେଶ ବି ଯାଇଛନ୍ତି।