କାହିଁକି ଗାଦିଚ୍ୟୁତ ହେଲେ ରାଷ୍ଟ୍ରପତି ବଶର ଅଲ ଅସଦ? ଗାଦିଚ୍ୟୁତ କରିବା ପଛରେ ମାଷ୍ଟର ମାଇଣ୍ଡ କିଏ ?

Published By : Prameya-News7 Bureau | December 09, 2024 IST

ବିଦ୍ରୋହିଙ୍କ କବଜାରେ ସିରିଆ । ୧୧ ଦିନର ବିଦ୍ରୋହର ଘଟିଛି ଅନ୍ତ । ୨୪ ବର୍ଷ ଶାସନ କରୁଥିବା ରାଷ୍ଟ୍ରପତି ଗାଦିଚ୍ୟୁତ । ଇସ୍ତଫା ପରେ ଋଷରେ ଆଶ୍ରୟ ନେଲେ ବସର-ଅଲ-ଅସଦ । ରାଷ୍ଟ୍ରପତି ପଳାଇବା ପରେ ବାସବଭନରେ ପଶିଲେ ବିରୋଧୀ । ଦାମୀ ଜିନିଷ ଲୁଟି ମନାଇଲେ ଉତ୍ସବ । ତେବେ ଏଠି ପ୍ରଶ୍ନ ଉଠିଛି ରାଷ୍ଟ୍ରପତିଙ୍କ ଗାଦିଚ୍ୟୁତ କରିବା ପଛରେ କିଏ? କଣ ତାର ଉଦ୍ଦେଶ୍ୟ? କାହିଁକି ଗାଦିଚ୍ୟୁତ ହେଲେ ବଶର ଅଲ ଅସଦ? ଦୀର୍ଘଦିନ ଧରି ଚଳାଇଥିଲା ବିଦ୍ରୋହର ଅଭିଯାନ । 

ଅସଦଙ୍କ ୨୪ ବର୍ଷର ରାଜ୍‌କୁ ଧ୍ୱଂସ । ବିଦ୍ରୋହ ପଛରେ ଅବୁ ମହମ୍ମଦ ଅଲ ଜୁଲାନି । ସିରିଆର ସବୁଠାରୁ ଶକ୍ତିଶାଳୀ ସଶସ୍ତ୍ର ବାହିନୀ ହାୟତ ତାହରିର ଅଲ ଶାହମ(ଏଚଟିଏସ)ର ମୁଖ୍ୟ। ଇସଲାମିକ ଗ୍ରୁପ ଏକଦା କୁଖ୍ୟାତ ଆତଙ୍କୀ ସଂଗଠନ ଅଲ-କାଏଦା ସହ ମିଶି କରୁଥିଲା କାମ । ୨୦୧୮ରେ ଆମେରିକା ପକ୍ଷରୁ ଏଚଟିଏସକୁ ଗୋଟିଏ ବିଦେଶୀ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରାଯାଇଥିଲା। 

ଏହାର ମୁଖ୍ୟ ଜୁଲାନିଙ୍କ ଉପରେ ମଧ୍ୟ ୧୦ ମିଲିୟନ ଡଲାରର ପୁରସ୍କାର ଘୋଷଣା କରିଥିଲା। ତଥାପି ଦୀର୍ଘ ବର୍ଷ ହେଲାଣି ଜୁଲାନି ନିଜର ଛବି ସଜାଡ଼ିବା ପାଇଁ ଅନେକ ଲୋକାଭିମୁଖ୍ୟ କାର୍ଯ୍ୟ କରୁଥିବା ସମସ୍ତଙ୍କୁ କହି ଚାଲିଛନ୍ତି। ସେ ନିରୀହ ଲୋକଙ୍କ ନିର୍ଯାତନା ବିରୋଧରେ ଅଭିଯାନ ଚଳାଇଥିବା ସବୁବେଳେ କହି ଆସୁଛନ୍ତି।

ଗୁପ୍ତ ସ୍ଥାନରେ ରହି ପୂରା ଅପରେସନକୁ କଣ୍ଟ୍ରୋଲ କରୁଥିଲେ ଜୁଲାନି । ମୂଳ ଲକ୍ଷ୍ୟ ଥିଲା ସିରିଆରେ ବିଦ୍ରୋହ, ରାଷ୍ଟ୍ରପତି ଅସଦଙ୍କ ଶାସନକୁ ଉପାଡ଼ି ଫିଙ୍ଗିବା। ଦେଶରେ ଏମିତି ଏକ ସରକାର ଗଠନ ହେବ, ଯାହାକୁ ଲୋକମାନେ ଚୟନ କରିବ। ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପରିଷଦ ତିଆରି ହେବ। ବର୍ତ୍ତମାନ ଅସଦ ଶାସନରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଦୀର୍ଘ ୨୪ ବର୍ଷ ହେଲା ଚାଲିଥିବା ଏକଛତ୍ର ଶାସନର ମୂଳପୋଛ ହୋଇଛି ବୋଲି ସେ କହିଛନ୍ତି।

୧୯୮୨ରେ ସାଉଦି ଆରବରେ ଜନ୍ମ । ପ୍ରଥମ ୭ ବର୍ଷ ରିୟାଦରେ କାଟିଥିଲା ଜୁଲାନି । ସେଠି ତାଙ୍କ  ବାପା ପେଟ୍ରୋଲିୟମ ଇଞ୍ଜିନିୟର ଭାବେ କାମ କରୁଥିଲେ। ୧୯୮୯ରେ ଜୁଲାନି ସିରିଆକୁ ଆସିଥିଲେ ଓ ତାଙ୍କ ପରିବାର ଦାମାସକସ ନିକଟରେ ରହିବା ଆରମ୍ଭ କରିଥିଲେ। ରିପୋର୍ଟ ଅନୁସାରେ, ଜୁଲାନି ୨୦୦୩ରେ ଅଲକାଏଦାରେ ସାମିଲ ହୋଇଥିଲେ। 


ଆତଙ୍କବାଦର ମୂଳପୋଛ କରିବା ନାଁରେ ଆମେରିକା ମଧ୍ୟପ୍ରାଚ୍ୟରେ ପ୍ରବେଶ କରୁଥିବା ବେଳେ ଜୁଲାନି ଇରାକରେ ରହି ଅଲକାଏଦା ପାଇଁ କାମ କରୁଥିଲେ। ଅଲକାଏଦା ଭଳି ଆତଙ୍କୀ ସଂଗଠନ ପାଇଁ କାମ କରିବା ବେଳେ ଜୁଲାନି ଅଲଗା ନାଁରେ ଏଚଟିଏସ ଗଠନ କରିଥିଲେ। ସେତେବେଳେ ଏହାର ନାଁ ଜବହତ ଅଲ ନୁସ୍ରା ରହିଥିଲା। ୨୦୧୧ରେ ଏହା ଅଲକାଏଦାର ସିଧାସଳଖ ଗୋଟିଏ ଅଙ୍ଗ ଭାବେ କାମ କରୁଥିଲା। 

ଅଲକାଏଦାରେ ଥିବା ସମୟରେ ଜୁଲାନି ଆଇଏସଆଇଏସ୍‌ ମୁଖ୍ୟ ଅବୁ ବକର ଅଲ ବାଗଦାଦୀ ସହ ମଧ୍ୟ କାମ କରିଥିଲେ। ୨୦୨୨ରେ ବାଗଦାଦୀକୁ ଆମେରିକା ସିରିଆରେ ହତ୍ୟା କରିଥିଲା। ଏହାପୂର୍ବରୁ ୨୦୧୩ରେ ଜୁଲାନି ହଠାତ୍‌ ବାଗଦାଦୀ ସହ ସବୁ ସମ୍ପର୍କଚ୍ଛିନ୍ନ କରିଥିଲେ। ନୁସ୍ରା ପ୍ରଣ୍ଟକୁ ୨୦୧୩ରେ ବାଗଦାଦୀ ଏକତରଫା ଭାବେ ନିଜ ସହ ମିଶାଇବାକୁ ଚେଷ୍ଟା କରିବାରୁ ଜୁଲାନି ରକ୍ତାକ୍ତ ଲଢ଼େଇ ମଧ୍ୟ କରିଥିଲେ। ଅଲକାଏଦା ସହ ସମ୍ପର୍କଚ୍ଛିନ୍ନ କରିବାର ପ୍ରାୟ ୮ ବର୍ଷ ପରେ ଜୁଲାନି ପୁଣି ମିଡିଆରେ ଚର୍ଚ୍ଚାକୁ ଆସିଥିଲେ। 

ଏହି ସମୟରେ ଆମେରିକା ବିରୋଧରେ ସେ ମତ ରଖିଥିଲେ। ତାଙ୍କ ସଂଗଠନ ନିରୀହ ଲୋକଙ୍କ ହତ୍ୟାକୁ ବିରୋଧ କରୁଥିବା ସେ କହିଥିଲେ। ୨୦୨୨ରେ ବାଗଦାଦୀର ମୃତ୍ୟୁପରେ ସିରିଆରେ ଆଇଏସଆଇଏସର ଦବଦବା କମି ଯାଇଥିଲା। ଏତିକି ବେଳେ ଜୁଲାନିଙ୍କ ଏଚଟିଏସ ସିରିଆର ଇଡଲିବକୁ ଦଖଲ କରିଥିଲା। ଏଠାରେ ସଂଗଠନ ପକ୍ଷରୁ ସାଲଭେସନ ସରକାର ନାଁରେ ଶାସନ ଆରମ୍ଭ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.