ସଫା ସୁଟ୍ ବୁଟ୍ ସହ ଭିଡୁଥିଲେ ନୀଳ ଟାଏ, ମୃତକୁ ଜୀବିତ ଦାବି କରୁଥିଲେ: ଏମିତି କହି ଠକୁଥିଲେ ଭୋଲେ ବାବା

Published By : Prameya-News7 Bureau | July 04, 2024 IST

ଉତ୍ତରପ୍ରଦେଶ ୦୪/୦୭:  ହାଥରସରେ ଚାଲିଥିଲା ସତସଙ୍ଗ। ପ୍ରବଚନ ଦେଉଥିଲେ ଭୋଲେ ବାବା। ତାଙ୍କୁ ଶୁଣିବାକୁ ଯୋଗ ଦେଇଥିଲେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ। ପୁରୁଷ, ମହିଳା, ଶିଶୁ ଓ ବୟସ୍କ। ଶ୍ରଦ୍ଧାଳୁଙ୍କ ଏତେ ଭିଡ଼ ଥିଲା ଯେ, ପାଦ ପକାଇବାକୁ ଜାଗା ନଥିଲା। ଆରମ୍ଭ ହୋଇଥିଲା ଦଳାଚକଟା ପ୍ରସ୍ତୁତି । ନିମିଷକେ ଚାଲିଯାଇଥିଲା ଏକାଧିକ ଜୀବନ । 

ଆଉ ଏହି ଘଟଣାରେ ବାବା ଏବେ ପୋଲିସର ମୋଷ୍ଟ ଓ୍ୱାଣ୍ଟେଡ୍ ତାଲିକାରେ । ଦଳଚକଟା ମାମଲାରେ ବାବାଙ୍କୁ ଖୋଜୁଛି ପୋଲିସ । ଆଶ୍ରମକୁ ଯାଇ ଛାନଭିନ୍‌ ଚଳାଇଛି ପୋଲିସ । ତଥାପି ତାଙ୍କର କୌଣସି ପତ୍ତା ନାହିଁ, ସେ ଫେରାର । ତେବେ ଜାଣିଛନ୍ତି କି, କିଏ ଏହି ଭୋଲେ ବାବା? କଣ ତାଙ୍କର ପରିଚୟ । ଯାହାଙ୍କ ସତସଙ୍ଗରେ ଘଟିଲା ଏତେ ବଡ ଘଟଣା ।

ଭୋଲେ ବାବାଙ୍କ ଅସଲି ନାଁ ସୁରଜ ପାଲ । ୟୁପିର ବାହାଦୂର ନଗର ରହୁଛନ୍ତି ଭୋଲେ ବାବା । ୧୭ ବର୍ଷ ତଳେ ପୋଲିସ ଚାକିରି ଛାଡି ଆରମ୍ଭ କରିଥିଲେ ସତସଙ୍ଗ । ୨୬ ବର୍ଷ ତଳେ ଚାକିରି ଛାଡ଼ି ସେ ପ୍ରବଚନ ଦେବା ଆରମ୍ଭ କରିଥିଲେ। ଧୀରେ ଧୀରେ ବଢିଥିଲା ଲୋକପ୍ରିୟତା । ତା ସହିତ ଶ୍ରୋତା, ଶ୍ରଦ୍ଧାଳୁ ଓ ଅନୁଗାମୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା। 

ୟୁପି ଛଡା ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବି ଅଛନ୍ତି ଭୋଲେ ବାବାଙ୍କ ଅନୁଗାମୀ । ତେବେ ବାବା ଓ ତାଙ୍କ ଅନୁଗାମୀ ସର୍ବଦା ଗଣମାଧ୍ୟମରୁ ରହିଥାନ୍ତି ଦୂରେଇ । ଭିଆରଏସ ନେବା ପରେ ଅଚାନକ ଭଗବାନଙ୍କୁ ଭେଟିଥିବା ଦାବି କରିଥିଲେ ଭୋଲେ ବାବା । ପରେ ମୁହାଁଇଥିଲେ ଆଧ୍ୟାତ୍ମିକ ଆଡକୁ । 


ରୋଚକ କଥା ହେଉଛି, ସୋସିଆଲ ମିଡିଆରେ ସେତେଟା ସକ୍ରିୟ ନାହାଁନ୍ତି ଭୋଲେ ବାବା । ତଥାପି ବାବାଙ୍କର ୟୁଟ୍ୟୁବ୍‌ ଚ୍ୟାନେଲ ସହ ଫେସବୁକ୍‌ ପୃଷ୍ଠା ବି ରହିଛି । ୟୁଟ୍ୟୁବ୍‌ରେ ତାଙ୍କର ୩୧ ହଜାର ସବ୍‌ସ୍କ୍ରାଇବର । ବାବାଙ୍କର ପ୍ରାଇଭେଟ୍‌ ଆର୍ମି ବି ଅଛି । ସେମାନେ ସତ୍‌ସଙ୍ଗରେ ସୁରକ୍ଷା ଦାୟିତ୍ୱ ସମ୍ଭାଳିଥାନ୍ତି । ୟୁପିର ସୁଟ୍‌ ବୁଟ୍‌ ବାବା ଭାବେ ପରିଚିତ ସେ । କାରଣ ସେ ଅନ୍ୟ ବାବାଙ୍କ ଭଳି ପିନ୍ଧନ୍ତିନି କୌଣସି ଗୈରିକ ବସ୍ତ୍ର । 

ପ୍ୟାଣ୍ଟ ଓ ସାର୍ଟ ସହ ପରିଧାନ କରିଥାନ୍ତି ବୁଟ୍‌ । ଅନେକ ଥର କୁର୍ତ୍ତା, ପାଇଜାମାରେ ବି ସେ ଆସିଥାନ୍ତି ନଜର । ବାବାଙ୍କ ପାଖରେ ଅଛି ଦାମୀ ଓ ସୌଖୀନ କାର । ତେବେ ପ୍ରବଚନ ବେଳେ ତାଙ୍କର ପତ୍ନୀ ମଧ୍ୟ କାର୍ଯ୍ୟକ୍ରମରେ ରହିଥାନ୍ତି ଉପସ୍ଥିତ । ବାବା ଯାଦବ ହୋଇଥିବାବେଳେ ପଶ୍ଚିମ ଉତ୍ତରପ୍ରଦେଶ, ହରିୟାଣା, ରାଜସ୍ଥାନ, ଦିଲ୍ଲୀ ଓ ଉତ୍ତରାଖଣ୍ଡରେ ଅନେକ ସଂଖ୍ୟାରେ ଅଛନ୍ତି ଅନୁଗାମୀ । ରାଜନେତାଙ୍କ ସହ ମଧ୍ୟ ତାଙ୍କର ସଂପୃକ୍ତି ରହିଛି ।

ହାଥରସ୍ ପୂର୍ବରୁ ବି ଚର୍ଚ୍ଚାରେ ଅଛନ୍ତି ଭୋଲେ ବାବା । ଯୌନ ନିର୍ଯାତନା ସମେତ ଅନେକ ମାମଲା ବି ରହିଛି ତାଙ୍କ ନାଁରେ । କରୋନା ସମୟରେ ବି ଉତ୍ତରପ୍ରଦେଶର ଫାରୁଖାବାଦରେ ସତସଙ୍ଗର ଆୟୋଜନ କରିଥିଲେ ବାବା । ସୁରକ୍ଷା ଦୃଷ୍ଟିରୁ ସେହି ସମୟରେ ଜିଲ୍ଲା ପ୍ରଶାସନ କେବଳ ପଚାଶ ଜଣଙ୍କୁ ସତସଙ୍ଗରେ ଯୋଗଦେବାକୁ ଦେଇଥିଲା ଅନୁମତି । କିନ୍ତୁ ନିମୟର ଖିଲାପ କରି ସତସଙ୍ଗରେ ସାମିଲ ହୋଇଥିଲେ ପଚାଶ ହଜାର ଲୋକ । ଆଉ ଏବେ ଦୁଇ ବର୍ଷ ପରେ ପୁଣି ବିବାଦରେ ଫସିଛନ୍ତି ଭୋଲେ ବାବା । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.