ଉତ୍ତରପ୍ରଦେଶ ୨୫/୩: ପରକୀୟା ପ୍ରୀତିର କରୁଣ ପରିଣତି । ପ୍ରେମିକ ପାଇଁ ସ୍ବାମୀକୁ ମାରି ବିଧବା ହେଲା ନବବିହାହିତା । ବିବାହର ୨ ସପ୍ତାହ ପରେ ସ୍ବାମୀକୁ କରିଛି ହତ୍ୟା । ପ୍ରେମିକ ସହ ମିଶି ସୁପାରି କିଲର ସହାୟତାରେ ହତ୍ୟା । ଉତ୍ତରପ୍ରଦେଶର ଔରେୟାର ପ୍ରଗତି ଯାଦବ । ୧୫ ଦିନ ତଳେ ହୋମ ନିଆଁକୁ ସାକ୍ଷୀ ରଖି ଦିଲ୍ଲୀପ ଯାଦବଙ୍କୁ ବିବାହ କରିଥିଲା । ଆଉ ମଥାରେ ପିନ୍ଧିଥିଲା ସିନ୍ଦୁର । ବେଶ ଧୁମଧାମରେ ହୋଇଥିବା ବାହାଘର ୧୫ ଦିନ ବି ତିଷ୍ଠି ପାରିଲାନି । ପୂର୍ବ ପ୍ରେମ ଏତେ ବାଉଳା କଲା ଯେ ସ୍ବାମୀକୁ ମାରି ନିଜେ ପୋଛି ଦେଲା ନିଜ ମଥାର ସିନ୍ଦୂର । ପ୍ରେମିକ ଅନୁରାଗ ଯାଦବଙ୍କ ପାଇଁ ହତ୍ୟାକାରୀ ସାଜିଲା ପ୍ରଗତି । ପୋଲିସର ସୂଚନା ମୁତାବକ ପ୍ରଗତି ଓ ଅନୁରାଗଙ୍କର ଦୀର୍ଘ ୪ ବର୍ଷ ଧରି ପ୍ରେମ ସଂପର୍କ ଥିଲା । ମାର୍ଚ୍ଚ ୫ ତାରିଖରେ ତାଙ୍କ ଇଚ୍ଛା ବିରୋଧରେ ପରିବାର ଲୋକ ପ୍ରଗତିର ଦିଲ୍ଲୀପ ସହ ବିବାହ କରାଇ ଦେଇଥିଲେ । ଯାହାକୁ ଗ୍ରହଣ କରିପାରିନଥିଲା ପ୍ରଗତି । ପ୍ରେମିକ ଅନୁରାଗ ସହ ମିଶି ସ୍ବାମୀ ଦିଲ୍ଲୀପଙ୍କୁ ରାସ୍ତାରୁ ହଟାଇବାକୁ କରିଥିଲା ପ୍ଲାନ ।
ଉତ୍ତରପ୍ରଦେଶ ମିରଟ ପରେ ଔରେୟାରୁ ଆସିଛି ଏପରି ଛାତି ଥରାଇଲା ପରି ଘଟଣା । ମାର୍ଚ୍ଚ ୧୯ ତାରିଖରେ ଘର ନିକଟ ଏକ ପଡିଆରୁ ଦିଲ୍ଲୀପଙ୍କୁ କ୍ଷତାକ୍ତ ଅବସ୍ଥାରେ ପଡିଆରେ ପଡିଥିବା ଦେଖିବାକୁ ମିଳିଥିଲା । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ଦିଲ୍ଲୀପଙ୍କ ଭାଇଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲାର ଖୋଳତାଡ କରି ଏହା ଏକ ପ୍ରିପ୍ଲାନଡ ମର୍ଡର ବୋଲି ପର୍ଦ୍ଦାଫାଶ କରିଛି । ରାମଜୀ ଚୌଧୁରୀ ନାମକ ଜଣେ ସୁପାରି କିଲର ସହାୟତାରେ ପ୍ରଗତି ଓ ପ୍ରେମିକ ଅନୁରାଗ ହତ୍ୟା ଯୋଜନା କରିଥିବା ପୋଲିସ କହିଛି । ପୋଲିସ ଆଗରେ ସବୁ ସତ ମାନିଛନ୍ତି ଉଭୟ । ବିବାହର ମୁହଁ ଦେଖା ଟଙ୍କାରେ ସେ ସ୍ବାମୀକୁ ମାରିବାକୁ ସୁପାରି ଦେଇଥିବା ପୋଲିସକୁ କହିଥିଲା । ସିସିଟିଭି ଫୁଟେଜ ଆଧାରରେ ପୋଲିସ ୩ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରିଛି ।