ନୂଆଦିଲ୍ଲୀ ୦୨/୧୧: ମଣିଷ ସହଜରେ ତିଷ୍ଠି ନ ପାରିବା ଭଳି ବିଶ୍ୱର ସବୁଠୁ ଥଣ୍ଡା, ଶୁଷ୍କ ଜଳବାୟୁ ଥିବା ଆଣ୍ଟାର୍କଟିକାରେ ଦ୍ରୁତଗତିରେ ବଢ଼ୁଛି ନିର୍ମାଣ କାର୍ଯ୍ୟ । ଏଠାକାର ତାପମାତ୍ରା ବିଯୁକ୍ତ ୮୯ ଡିଗ୍ରୀ ସେଲ୍ସିୟସ ପର୍ଯ୍ୟନ୍ତ ଖସୁଥିବାବେଳେ ପବନର ବେଗ ଘଣ୍ଟା ପ୍ରତି ୩୨୧ କିମିରୁ ବି ଅଧିକ ବେଗରେ ବହିଥାଏ । ଏପରିକି ଶୀତଦିନେ ଆଣ୍ଟାର୍କଟିକାରେ ୬ ମାସ ଅନ୍ଧାର ରହିଥାଏ । ଏହା ସତ୍ତେ୍ୱ ଖରାଦିନେ ଏଠାକାର ଜନସଂଖ୍ୟା ୫ ହଜାର ରହୁଥିବାବେଳେ ଶୀତଦିନେ ୧ ହଜାରରୁ ଊଦ୍ଧ୍ୱର୍ ଲୋକ ବାସ କରିଥାନ୍ତି ।
ଆଶ୍ଚର୍ଯ୍ୟକ୍ରମେ ସେଠାକାର ବାସିନ୍ଦାଙ୍କ ପାଇଁ ସହରରେ ବାର୍, ଦୋକାନ ଏପରିକି ଛୋଟ ଛୋଟ ସିନେମା ଘର ମଧ୍ୟ ରହିଛି । ଏହି ଦୋକାନବଜାର ସହ ଆଣ୍ଟାର୍କଟିକାର ସହରୀକରଣ ବେଶ୍ ଦ୍ରୁତଗତିରେ ବଢ଼ୁଛି । ବିଶ୍ୱର ସବୁଠୁ ଆହ୍ୱାନପୂର୍ଣ୍ଣ ଜଳବାୟୁ ସତ୍ତେ୍ୱ ତାହାକୁ ଅକ୍ତିଆର କରିବା ଲାଗି ଦେଶଗୁଡ଼ିକ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧିପାଇଛି ।
ଏବେ ଆଣ୍ଟାର୍କଟିକାରେ ବିଶେଷକରି ବିଭିନ୍ନ ଦେଶର ବୈଜ୍ଞାନିକମାନେ ରହୁଥିବାବେଳେ ସେଠାରେ ଅନେକ ଗବେଷଣା ଚାଲିଛି । ଏଥିଲାଗି ସେଠାରେ ବହୁସଂଖାରେ ଲାବରେଟୋରୀ ସ୍ଥାପନ ହୋଇଛି । ୨୦୨୪ ପ୍ରାରମ୍ଭରେ ରୁଷୀୟ ଭୂତତ୍ତ୍ୱବିଦ୍ ଆଣ୍ଟାର୍କଟିକାରେ ବିଶାଳ ତୈଳ ଭଣ୍ଡାର ଆବିଷ୍କାର କରିଥିଲେ, ଯାହା କି ସାଉଦି ଆରବରେ ଥିବା ତୈଳର ପ୍ରାୟ ୨ ଗୁଣ । ଏହି ଆବିଷ୍କାର ପରେ ଏହି ବରଫାବୃତ ମହାଦେଶର ଚାହିଦା ବଢ଼ିଯାଇଛି ।
ଆଣ୍ଟାର୍କଟିକାର ଭୂମିକୁ ବୈଜ୍ଞାନିକ ଗବେଷଣା ଦିଗରେ ଶାନ୍ତିପୂର୍ଣ୍ଣ ଭାବେ ବ୍ୟବହାର କରିବା ଲାଗି ୧୯୬୧ରୁ ଦେଶଗୁଡ଼ିକ ମଧ୍ୟରେ ଚୁକ୍ତି ହୋଇଥିଲା । ଚୁକ୍ତି ଅନୁସାରେ ସେଠାରେ କୌଣସି ଦେଶ ନିଜ ସେନା ଘାଟି ସ୍ଥାପନ କରିପାରିବେ ନାହିଁ କିମ୍ବା ତୈଳ ସମ୍ବନ୍ଧିତ ମିଶନ ହୋଇପାରିବନି । ଏହି ଚୁକ୍ତିନାମା ୨୦୪୮ରେ ଶେଷ ହେବାକୁ ଯାଉଛି । ତେଣୁ ଏହା ପୂର୍ବରୁ ବିଭିନ୍ନ ଦେଶ ସେଠାରେ ନିଜର ଦାବିଦାରି ରଖିବାକୁ ବୈଜ୍ଞାନିକ ଗବେଷଣା ଆଳରେ ଅନେକ ଭିତ୍ତିଭୂମି ନିର୍ମାଣ କରୁଛନ୍ତି ।
ଆଗକୁ ଏହି ମହାଦେଶ ପାଇଁ ବଡ଼ଧରଣର ସଂଘର୍ଷ ଦେଖିବାକୁ ମିଳିପାରେ ବୋଲି ଆଶଙ୍କା କରାଯାଇଛି । ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଜର୍ମାନୀ ସେଠାରେ ଏକ ସିକ୍ରେଟ ସେନା ଘାଟି ନିର୍ମାଣ ଉଦ୍ୟମ କରିଥିଲା । ଏହା ପରେ ଆମେରିକା ବ୍ରିଟେନ ମଧ୍ୟ ସମାନ ପଦଚିହ୍ନ ଅନୁକରଣ କରିଥିଲେ । ୧୯୫୮ରେ ଆମେରିକା ଏହି କ୍ଷେତ୍ରରେ ୩ଟି ପରମାଣୁ ଅସ୍ତ୍ର ବିସ୍ଫୋରଣ କରିଥିଲା । ପରେ ଶୀତଳଯୁଦ୍ଧ ବଢ଼ିବା ଆଶଙ୍କାରେ ୧୨ ଦେଶ ଉକ୍ତ ଚୁକ୍ତିରେ ସହମତ ହୋଇଥିଲେ ।
ଏବେ ଅଧିକ ସଂଖ୍ୟାରେ ଦେଶ ଆଣ୍ଟାର୍କଟିକାରେ ନିଜ ଉପସ୍ଥିତି ଜାହିର କରିବାକୁ ଉଦ୍ୟମ ଚଳାଇଛନ୍ତି । ନିକଟରେ ବ୍ରିଟେନ ଟିମ୍ ଆଣ୍ଟାର୍କଟିକାରେ ଏକ ଡିସ୍କଭରି ବିଲ୍ଡିଂ ନିର୍ମାଣ ଶେଷ କରିଛି । ଏହା ସେଠାରେ ବ୍ରିଟେନର ସବୁଠୁ ବଡ଼ ରିସର୍ଚ୍ଚ ସେଣ୍ଟର । ସେଥିମଧ୍ୟରେ ଏକ ସାଇଣ୍ଟିଫିକ୍ ୱାର୍କଶପ୍, ମେଡିକାଲ ସେଣ୍ଟର, ଅପରେସନ ହବ୍ ସହ ଏକ ଜିମ୍ ମଧ୍ୟ ରହିଛି । ପୂର୍ବରୁ ଆମେରିକାର ମଧ୍ୟ ଏଠାରେ ରିସର୍ଚ୍ଚ ବେସ୍ ରହିଛି । ଏହା ଭିତରେ ଆର୍ଜେଣ୍ଟିନା, ଚିଲି, ଫ୍ରାନ୍ସ, ନ୍ୟୁଜିଲାଣ୍ଡ, ନରୱେ ଆଣ୍ଟାର୍କଟିକାରେ ନିଜ ନିଜ ରିସର୍ଚ୍ଚ ସେଣ୍ଟର ବାହାନାରେ ବହୁସଂଖ୍ୟାରେ ଢାଞ୍ଚା ନିର୍ମାଣରେ ଲାଗିଛନ୍ତି ।