ଦକ୍ଷିଣ ଆଫ୍ରିକା ରାଷ୍ଟ୍ରଦୂତଙ୍କୁ ଅସ୍ୱୀକାର୍ଯ୍ୟ ବ୍ୟକ୍ତି ଘୋଷଣା କଲା ଆମେରିକା: ଦେଶ ଛାଡ଼ିବାକୁ ନିର୍ଦ୍ଦେଶ

Published By : Prameya-News7 Bureau | March 18, 2025 IST

indiatoday

ନୂଆଦିଲ୍ଲୀ: ଗତ ସପ୍ତାହରେ ଆମେରିକାରେ ଥିବା ଦକ୍ଷିଣ ଆଫ୍ରିକା ରାଷ୍ଟ୍ରଦୂତଙ୍କୁ ପର୍ସୋନା ନନ ଗ୍ରାଟା(ଅସ୍ୱୀକାର୍ଯ୍ୟ ବ୍ୟକ୍ତି) ଘୋଷଣା କରିଛନ୍ତି ଟ୍ରମ୍ପ ସରକାର। ତେଣୁ ତାଙ୍କୁ ଖୁବ୍‌ଶୀଘ୍ର ଆମେରିକା ଛାଡ଼ି ଯିବାକୁ ହେବ। ଶୁକ୍ରବାର ପର୍ଯ୍ୟନ୍ତ ତାଙ୍କ ପାଖରେ ସମୟ ରହିଛି।    

ରାଷ୍ଟ୍ରଦୂତ ଇବ୍ରାହିମ ରସୁଲଙ୍କୁ ଆମେରିକା ପାଇଁ ଅନୁପଯୁକ୍ତ ମନେ କରିବା ପରେ ବୈଦେଶିକ ସଚିବ ମାର୍କୋ ରୁବିଓ ଗତ ଶୁକ୍ରବାର ସୋସିଆଲ ମିଡିଆରେ ଏହା ପୋଷ୍ଟ କରି ଜଣାଇଥିଲେ। ଏଥିରେ ଦକ୍ଷିଣ ଆଫ୍ରିକୀୟ ଦୂତାବାସ କର୍ମଚାରୀଙ୍କୁ ବୈଦେଶିକ ବିଭାଗ କାର୍ଯ୍ୟାଳୟକୁ ଡକାଯାଇ ନିଷ୍ପତ୍ତି ବିଷୟରେ ମଧ୍ୟ ଜଣାଯାଇଥିଲା ଓ ଆନୁଷ୍ଠାନିକ କୂଟନୈତିକ ଚିଠି ପ୍ରଦାନ କରାଯାଇଥିଲା ବୋଲି ରୁବିଓ କହିଥିଲେ। 

ଆମେରିକା ବୈଦେଶିକ ବିଭାଗ ଏ ନେଇ କହିଛି "ଆମେ ଦୂତାବାସକୁ ଅବଗତ କରାଇଥିଲୁ ଯେ ରାଷ୍ଟ୍ରଦୂତ ରସୁଲଙ୍କୁ ତାଙ୍କ ଦେଶର ପ୍ରତିନିଧି ହେବା ଆମେରିକାରେ ଗ୍ରହଣୀୟ ନୁହେଁ। ରସୁଲଙ୍କ କୂଟନୈତିକ ସୁବିଧା ଏବଂ ସୁରକ୍ଷା ସୋମବାର ଶେଷ ହୋଇଛି। ଏବଂ ତାଙ୍କୁ ଶୁକ୍ରବାର ସୁଦ୍ଧା ଆମେରିକା ଛାଡିବାକୁ ପଡିବ। ସେ ଏବେ ଆମେରିକାରେ ଅଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।" 

କାନାଡାରେ ଅନୁଷ୍ଠିତ ଜି-୭ ବୈଠକରୁ ଆମେରିକା ଫେରିବା ସମୟରେ ରୁବିଓ ଏକ୍ସରେ ଏକ ପୋଷ୍ଟରେ ତାଙ୍କର ଏହି ନିଷ୍ପତ୍ତି ବିଷୟରେ ଘୋଷଣା କରିଥିଲେ। ଏଥିରେ ସେ ରସୁଲଙ୍କୁ ଜଣେ "ଜାତି-ଭେଦକାରୀ ରାଜନେତା" ବୋଲି ଅଭିଯୋଗ କରିବା ସହ ସିଏ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଘୃଣା କରନ୍ତି ବୋଲି ଅଭିଯୋଗ କରିଥିଲେ। ତେଣୁ ତାଙ୍କୁ ଆମେରିକାରେ ଗ୍ରହଣ କରାଯାଇପାରିବ ନାହିଁ ବୋଲି ରୁବିଓ ପୋଷ୍ଟ କରିଥିଲେ। 

ପଢନ୍ତୁ- ବିଦ୍ରୋହୀଙ୍କ ଉପରେ ଏୟାରଷ୍ଟ୍ରାଇକ୍ କଲା ଦକ୍ଷିଣ ସୁଦାନ ସେନା: ୧୯ ମୃତ

ନିକଟରେ ରସୁଲ ଦକ୍ଷିଣ ଆଫ୍ରିକାର ଏକ ରୁଢ଼ିବାଦୀ ଗଣମାଧ୍ୟମ ସଂସ୍ଥାକୁ ଟ୍ରମ୍ପଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଥିଲେ। ଭଡିଓ କନଫରେନ୍ସି ମାଧ୍ୟମରେ ସେ ଏପରି କହିଥିଲେ। ତାକୁ ନେଇ ଆମେରିକାର ଏହି କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି କୁହାଯାଉଛି।  ତେବେ ଆମେରିକା ଦ୍ୱାରା ଜଣେ ବିଦେଶୀ ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିବା ଏକ ଛୋଟ କଥା ନୁହେଁ।  ଯଦିଓ ନିମ୍ନ ପଦସ୍ଥ କୂଟନୀତିଜ୍ଞମାନଙ୍କୁ ବ୍ୟକ୍ତିଗତ ନନ୍ ଗ୍ରାଟା କରି ଟାର୍ଗେଟ୍ କରାଯାଏ ହେଲେ ରାଷ୍ଟ୍ରଦୂତଙ୍କ ବିରୋଧରେ ଆମେରିକାର ଏଭଳି କାର୍ଯ୍ୟାନୁଷ୍ଠାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। 

ନିକଟରେ ଟ୍ରମ୍ପ ପ୍ରଶାସନ ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ କରିଛି। ଦକ୍ଷିଣ ଆଫ୍ରିକାକୁ ପାଣ୍ଠି ଯୋଗାଣ ବନ୍ଦ କରିବାକୁ ଗତ ମାସରେ ଟ୍ରମ୍ପ ସରକାରୀ ନିର୍ଦ୍ଦେଶନାମାରେ ହସ୍ତାକ୍ଷର କରିଥିଲେ। ଦକ୍ଷିଣ ଆଫ୍ରିକା ସରକାର ଗୋରା ଲୋକଙ୍କୁ ବିରୋଧ କରିବା ସହିତ ହମାସ ଭଳି କୁସଂଗଠନକୁ ସମର୍ଥନ କରୁଛି ବୋଲି ଟ୍ରମ୍ପ ପ୍ରଶାସନ କହିଥିଲା।

ପଢ଼ନ୍ତୁ- ଇସ୍ରାଏଲ୍‌ ଆଟାକରେ ହମାସ ସରକାରର ମୁଖ୍ୟଙ୍କ ସମେତ ଏକାଧିକ ମନ୍ତ୍ରୀଙ୍କ ମୃତ୍ୟୁ: ଆକ୍ରମଣ ବିଷୟରେ ଜାଣିଥିଲା ଆମେରିକା

ଇବ୍ରାହିମ ରସୁଲଙ୍କୁ ଆମେରିାକେର ପର୍ସୋନା ନନଗ୍ରାଟା ଘୋଷଣା କରିବା ନେଇ ଗତ ସପ୍ତାହରେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମଫୋସାଙ୍କ ଦୁଃଖ ପ୍ରକାଶ କରିଥିଲେ। ଆମେରିକା ସହିତ ନିୟମିତ କୂଟନୈତିକ ସମ୍ପର୍କ କାଏମ ରଖିବାକୁ କାମ ଜାରି ରହିଛି ବୋଲି ସେ କହିଥିଲେ।   

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.