ଆମେରିକା ନିର୍ବାଚନ; ରେଡ୍, ବ୍ଲୁ ଏବଂ ପର୍ପଲ ଷ୍ଟେଟ୍ କ’ଣ ? ସ୍ବିଙ୍ଗ୍ ଷ୍ଟେଟରେ ଜୋରଦାର ଲଢ଼େଇ !

Published By : Prameya-News7 Bureau | November 05, 2024 IST

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନ । ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ କମ୍‌ଲା ହାରିସ୍ ଏବଂ ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହେବ କଡ଼ା ଟକ୍କର । ହ୍ବାଇଟ୍ ହାଉସ୍ ଟକ୍କରରେ କିଏ ମାରିବ ବାଜି ଶୀଘ୍ର ଚିତ୍ର ସ୍ପଷ୍ଟ ହୋଇଯିବ । ମାତ୍ର ଏହା ପୂର୍ବରୁ ଆମେରିକାରେ ରଙ୍ଗ ରାଜନୀତିକୁ ବୁଝିବାକୁ ପଡ଼ିବ । ୟୁଏସଏରେ ଦୁଇଟି ରାଜନୈତିକ ଦଳ ରହିଛି । ଯଥା ଡେମୋକ୍ରାଟିକ୍ ପାର୍ଟି ଏବଂ ରିପବ୍ଲିକାନ ପାର୍ଟି । ଏହି ଦୁଇ ପଲିଟିକାଲ୍ ପାର୍ଟି ଦୁଇ ରଙ୍ଗକୁ ଦର୍ଶାଇଥାଏ । ଡେମୋକ୍ରାଟିକ୍ ପାର୍ଟି ନୀଳ ରଙ୍ଗକୁ ଏବଂ ରିପବ୍ଲିକାନ୍ ପାର୍ଟି ଲାଲ୍ ରଙ୍ଗକୁ ଦର୍ଶାଇଥାଏ । ହେଲେ ଆମେରିକା ରାଜନୀତିରେ ପର୍ପଲ ରଙ୍ଗର ମଧ୍ୟ ଏକ ସ୍ବତନ୍ତ୍ର ସ୍ଥାନ ରହିଛି ।   ସଂଯୁକ୍ତ ଆମେରିକାର ୫୦ ରାଜ୍ୟ, ବିଶେଷ ଭାବେ ତିନୋଟି ରଙ୍ଗରେ ବିଭାଜିତ ହୋଇଛି । ଯେଉଁଥିରେ ରେଡ୍ ଷ୍ଟେଟ୍, ବ୍ଲୁ ଷ୍ଟେଟ୍ ଏବଂ ପର୍ପଲ ଷ୍ଟେଟ୍ ଭାବେ ମାନି ନିଆଯାଇଛି । ରେଡ୍ ଷ୍ଟେଟ୍ ଏଭଳି ରାଜ୍ୟ ଯେଉଁଠି ରିପବ୍ଲିକାନ୍ ପାର୍ଟିର ଦବଦବା ରହିଛି । ୧୯୮୦ରୁ ଏ ପର୍ଯ୍ୟନ୍ତ ଏହି ରାଜ୍ୟଗୁଡ଼ିକରେ ରିପବ୍ଲିକାନ୍ ପାର୍ଟିର ସାଂସଦ ମାନେ ଜିତି ଆସୁଛନ୍ତି । ରିପବ୍ଲିକାନ୍ ପାର୍ଟିର ଦଳୀୟ ପତକା ମଧ୍ୟ ଲାଲ୍ ରଙ୍ଗ । ତେଣୁ ଅଧିକାଂଶ ପାଲିଟିକାଲ୍ ରାଲିରେ ଡୋନାଲ୍ଡ ଟ୍ରମ୍ପ ଲାଲ୍ ରଙ୍ଗର ଟୋପି ପିନ୍ଧୁଥିବା ଦେଖିବାକୁ ମିଳିଥାଏ । ସେହିପରି ଆମେରିକାର ବ୍ଲୁ ଷ୍ଟେଟ୍ ଅର୍ଥ, ସେହିସବୁ ରାଜ୍ୟ ଯେଉଁଠି ଡେମୋକ୍ରାଟିକ୍ ପାର୍ଟି ନେତାଙ୍କ ରାଜ୍ ଚାଲୁଛି । ୧୯୯୨ରୁ ଏଠାରେ ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀମାନେ ନିର୍ବାଚନ ଜିତି ଆସୁଛନ୍ତି । ତୃତୀୟ ସ୍ଥାନରେ ରହିଛି ପର୍ପଲ ଷ୍ଟେଟ୍ ବା ସ୍ବିଙ୍ଗ୍ ଷ୍ଟେଟ୍ ।   

ପର୍ପଲ ଷ୍ଟେଟ୍ ବା ସ୍ବିଙ୍ଗ୍ ଷ୍ଟେଟ୍  ?

ପର୍ପଲ ଷ୍ଟେଟ୍ ବା ସ୍ବିଙ୍ଗ୍ ଷ୍ଟେଟ୍ ହେଉଛି ଏଭଳି ରାଜ୍ୟ ଯେଉଁଠି ନା ଡେମୋକ୍ରାଟିକ୍ ପାର୍ଟି ନା ରିପବ୍ଲିକାନ୍ ପାର୍ଟି ନେତାଙ୍କ ଦବଦବା ରହିଛି । ଏହି ସବୁ ରାଜ୍ୟରେ ନିର୍ବାଚନୀ ଫଳାଫଳ ସବୁବେଳେ ଚମକାଇ ଦେଇଥାଏ । ଏଠାରେ ଦୁଇ ଦଳର ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥାଏ । ଏହି ରାଜ୍ୟ ଗୁଡ଼ିକରେ କିଏ ବାଜି ମାରିବ ତାହା ଆକଳନ କରିବା ମୁସ୍କିଲ୍ ହୋଇଥାଏ । ହ୍ବାଇଟ୍ ହାଉସ୍ ଏଣ୍ଟ୍ରି ଏହି ରାଜ୍ୟ ଗୁଡ଼ିକର ଫଳାଫଳ ଉପରେ ନିର୍ଭର କରିଥାଏ । ନିର୍ବାଚନ ପ୍ରଚାର ଶେଷ ପର୍ଯ୍ୟାୟରେ ଦୁଇ ଦଳ ନେତାମାନେ ଏହି ସବୁ ରାଜ୍ୟରେ ଜୋର୍ ଲଗାଇଥାନ୍ତି । ଏହାର ଅନ୍ୟ ଏକ ଦିଗକୁ ଲକ୍ଷ୍ୟ କଲେ, ପର୍ପଲ ଷ୍ଟେଟ୍ କହିବାର କାରଣ ଲାଲ୍ ଏବଂ ନୀଳ ରଙ୍ଗ ମିଶି ପର୍ପଲ ହୋଇଥାଏ ।  ନିର୍ବାଚନୀ ରଣାଙ୍ଗନରେ ଏଠାରେ କୌଣସି ଦଳର ନେତା ବିଜୟୀ ହୋଇଥାନ୍ତି । ତେଣୁ ଏହାକୁ ପର୍ପଲ ଷ୍ଟେଟ୍ ବା ସ୍ବିଙ୍ଗ ଷ୍ଟେଟ୍ ବୋଲି କୁହାଯାଉଛି ।..

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.