ନଭେମ୍ବର ୫ରୁ ଆମେରିକା ରାଷ୍ଟ୍ରପତି ନିର୍ବାଚନ, ଜାଣନ୍ତୁ କେବେ ଆସିବ ଫଳାଫଳ?

Published By : Prameya-News7 Bureau | November 03, 2024 IST

ୱାସିଂଟନ ୩।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ଆଉ ମାତ୍ର ୨ ଦିନ ବାକି। ନଭେମ୍ବର ୫ ତାରିଖରୁ ୨୪୪ ନିୟୁତ (୨୪.୪କୋଟି) ଭୋଟର ନୂଆ ରାଷ୍ଟ୍ରପତି ବାଛିବାକୁ ଭୋଟ ଦେବେ। ଏଥିର ପ୍ରତିଦ୍ୱନ୍ଦ୍ୱୀତା ମୁଖ୍ୟତଃ ଡେମୋକ୍ରାଟିକ ପ୍ରାର୍ଥୀ କମଲା ହ୍ୟାରିସ୍ ଓ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହେଉଛି। କମଲା ହ୍ୟାରିସଙ୍କ ସହିତ ଉପରାଷ୍ଟ୍ରପତି ପଦବୀ ନିମନ୍ତେ ଟିମ୍ ଭାଲଜ୍ ମୈଦାନରେ ଥିବା ବେଳେ ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଜେ.ଡି.ଭେନସ୍ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି। ତେବେ ଆସନ୍ତୁ ଜାଣିବା ଆମେରିକା ରାଷ୍ଟ୍ରପତି ନିର୍ବାଚନର ଟାଇମଲାଇନ। 

ନଭେମ୍ବର ୫ ତାରିଖରୁ ଭୋଟର ରାଷ୍ଟ୍ରପତିଙ୍କ ନିମନ୍ତେ ତାଙ୍କ ଭୋଟ ଦେବେ। ଏହି ଭୋଟିଂ ପ୍ରକ୍ରିୟା ପାଖାପାଖି ୨୦ ଦିନ ଚାଲିବ। ୧୭ ରାଜ୍ୟଙ୍କ ନିମନ୍ତେ ଡାକ ମତପତ୍ର ଗ୍ରହଣ ଲାଗି ନଭେମ୍ବର ୨୫ ଶେଷ ତାରିଖ ହେବ। ଆମେରିକା ରାଷ୍ଟ୍ରପତି ନିର୍ବାଚନ ନଭେମ୍ବର ୫ ତାରିଖରୁ ଆରମ୍ଭ ହେବା ସହ ସେହି ଦିନଠାରୁ ଭୋଟଗଣନା ଆରମ୍ଭ ହୋଇଯିବ। ତେବେ ଚୂଡ଼ାନ୍ତ ଫଳାଫଳ ଆସିବାକୁ ଅନେକ ଦିନ ଲାଗିପାରେ। ଆମେରିକୀୟ ଭୋଟରଙ୍କୁ ସେ ପର୍ଯ୍ୟନ୍ତ ଚୂଡ଼ାନ୍ତ ଫଳାଫଳ ଜଣା ପଡିବ ନାହିଁ ଯେଉଁ ପର୍ଯ୍ୟନ୍ତ କମଲା ହ୍ୟାରିସ ଓ ଡୋନାଲ୍ଡ ଟ୍ରମ୍ପ ସେମାନଙ୍କ ସ୍ୱିଙ୍ଗ ଷ୍ଟେଟ୍ ରୁ ବିଜୟୀ ନ ହୋଇଛନ୍ତି। 

ଯଦି ଉଭୟ ପ୍ରତିଦ୍ୱନ୍ଦ୍ୱୀଙ୍କ ବିଜୟରେ ବଡ଼ ଅନ୍ତର ନ ରହିଲା ତେବେ ପୁନର୍ଗଣନା ସହିତ ବିବାଦୀୟ ପରିଣାମ ସମାଧାନ ନିମନ୍ତେ କିଛିଦିନ ଏପରିକି ସପ୍ତାହ ମଧ୍ୟ ଲାଗିପାରେ। ଏଥର ବିବାଦର ଆଶଙ୍କା ଏଥି ପାଇଁ କରାଯାଉଛି ଯେ ଡୋନାଲ୍ଡ ଟ୍ରମ୍ପ ପୁଣି ମୈଦାନରେ ଅଛନ୍ତି। ୨୦୨୦ରେ ଜୋ ବାଇଡେନ ରାଷ୍ଟ୍ରପତି ନିର୍ବାଚିତ ହେବା ଘଟଣାକୁ ଟ୍ରମ୍ପ ୪ ବର୍ଷ ପରେବି ସ୍ୱୀକାରକରି ନାହାନ୍ତି। ଏଥିରେ ଯଦି ଟ୍ରମ୍ପ ହାରନ୍ତି ତେବେ ସେ ନିଶ୍ଚିତ ରୂପେ ଆଇନଗତ ଲଢେଇର ରାସ୍ତା ଆପଣେଇ ପାରନ୍ତି। କେବଳ ଟ୍ରମ୍ପ ନୁହନ୍ତି ହ୍ୟାରିସ ମଧ୍ୟ ଏହି ପଥ ଅନୁସରଣ କରିପାରନ୍ତି। ଯଦି ସେମାନଙ୍କ ବିଜୟ ଅନ୍ତର କମ ରହିଲା ତେବେ ସେମାନେ ପରସ୍ପରକୁ କୋର୍ଟରେ ଭେଟି ପାରନ୍ତି। ଏଥିପାଇଁ ସେମାନଙ୍କ ଓକିଲ ଏବେଠୁ ପ୍ରସ୍ତୁତ ହୋଇ ରହିଛନ୍ତି। 

ଜାଣନ୍ତୁ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା 
ଉଲ୍ଲେଖଯୋଗ୍ୟ ଯେ ଆମେରିକୀୟ ସିଧାଶଳଖ ରାଷ୍ଟ୍ରପତିଙ୍କ ନିର୍ବାଚନ କରନ୍ତି ନାହିଁ। ରାଷ୍ଟ୍ରପତିଙ୍କ ନିର୍ବାଚନ ୫୩୮ ଇଲେକ୍ଟୋରାଲ କଲେଜରେ ହୋଇଥାଏ। ଜିତିବା ପାଇଁ ପ୍ରାର୍ଥୀଙ୍କୁ ବହୁମତ ୨୭୦ ବା ଏହାଠୁ ଅଧିକ ଇଲେକ୍ଟୋରାଲ କଲେଜରୁ ହାସଲ କରିବାକୁ ପଡିଥାଏ। ଏଣୁ ଜଣେ ପ୍ରାର୍ଥୀଙ୍କୁ ଲୋକପ୍ରିୟ ଭୋଟରୁ ବହୁମତ ମିଳିପାରେ, ହେଲେ ବି ସେ ପରାସ୍ତ ହୋଇ ପାରନ୍ତି। ଯଦି ସେ ତାଙ୍କ ଲୋକପ୍ରିୟତାକୁ ଇଲେକ୍ଟୋରାଲ କଲେଜରେ ବହୁମତରେ ପରିଣତ କରି ନପାରିଲେ।     

୨୦୧୬ରେ ଡେମୋକ୍ରାଟ ହିଲାରୀ କ୍ଲିଣ୍ଟନ ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ୩ ନିୟୁତରୁ ଅଧିକ ଭୋଟ ଜିତିଥିଲେ, କିନ୍ତୁ ନିର୍ବାଚନରେ  ହାରି ଯାଇଥିଲେ। କାରଣ ଟ୍ରମ୍ପ ୩୦୬ ଇଲେକ୍ଟୋରାଲ କଲେଜ ଜିତି ସଂଖ୍ୟାଗରିଷ୍ଠତା ହାସଲ କରିଥିଲେ। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ସେହି ୭ ରାଜ୍ୟମାନଙ୍କରୁ ଆସିବ ଯେଉଁ ରାଜ୍ୟମାନଙ୍କରେ କୌଣସି ପାର୍ଟିର ନିଶ୍ଚିତ ବହୁମତ ନାହିଁ ଓ ଏଠାରେ ନିର୍ବାଚନ ଫଳାଫଳ କାହା ସପକ୍ଷରେ ବି ଯାଇ ପାରେ। ଏହି ରାଜ୍ୟମାନଙ୍କରେ ମୋଟ ୯୩ ଇଲେକ୍ଟୋରାଲ କଲେଜ ଭୋଟ ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.