କେମିତି ହୁଏ ଆମେରିକାର ରାଷ୍ଟ୍ରପତି ନିର୍ବାଚନ? ଦୁନିଆ ସର୍ବପୁରାତନ ଗଣତନ୍ତ୍ରରେ କଣ ରହିଛି ପଦ୍ଧତି?

Published By : Prameya-News7 Bureau | November 04, 2024 IST

News7

ନୂଆଦିଲ୍ଲୀ: କେମିତି ହୁଏ ଆମେରିକାର ରାଷ୍ଟ୍ରପତି ନିର୍ବାଚନ? ଦୁନିଆ ସର୍ବପୁରାତନ ଗଣତନ୍ତ୍ରରେ କଣ ରହିଛି ପଦ୍ଧତି? ଏଥର ମୈଦାନରେ ଅଛନ୍ତି ଡେମୋକ୍ରାଟିକ୍ ପାର୍ଟିର କମଲା ହାରିସ୍ ଏବଂ ରିପବ୍ଲିକାନ୍ ପାର୍ଟିର ଡୋନାଲ୍ଡ ଟ୍ରମ୍ପ। ଦୁହିଁଙ୍କ ମଧ୍ୟରେ ଚାଲିଛି କଡ଼ା ଟକ୍କର। ନଭେମ୍ବର ୫ରେ ଭୋଟ୍‌ ଗ୍ରହଣ ହେଲେ ବି କିନ୍ତୁ ଫଳାଫଳ ଘୋଷଣା ପାଇଁ ଅନେକ ଦିନ ଲାଗିପାରେ। ଏଭଳି ପରିସ୍ଥିତିରେ ଦୁନିଆର ସବୁଠାରୁ ଜଟିଳ ନିର୍ବାଚନ ପ୍ରକ୍ରିୟା ଆମେରିକାରେ କେମିତି ହୁଏ ଆସନ୍ତୁ ଜାଣିବା। 

ପ୍ରତି ଚାରି ବର୍ଷରେ ଆମେରିକାରେ ଅନୁଷ୍ଠିତ ହୋଇଥାଏ ରାଷ୍ଟ୍ରପତି ନିର୍ବାଚନ। ଭୋଟ୍‌ ଗ୍ରହଣ ନଭେମ୍ବର ମାସର ପ୍ରଥମ ମଙ୍ଗଳବାରରେ ଅନୁଷ୍ଠିତ ହୋଇଥାଏ। ମାତ୍ର ଏଠାରେ ୬୦ ଦିନ ପୂର୍ବରୁ ଭୋଟ୍‌ ଦାନ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ଏହି ଅବଧିରେ ଆମେରିକା ବାହାରେ ରହୁଥିବା ଲୋକେ ମଧ୍ୟ ଅନ୍‌ଲାଇନ୍‌ରେ ଭୋଟ୍‌ ଦେଇପାରିବେ।

ଦେଶର ପ୍ରମୁଖ ଦଳ ରିପବ୍ଲିକାନ୍ ଏବଂ ଡେମୋକ୍ରାଟିକ୍ରେ ଏକାଧିକ ପ୍ରତିଯୋଗୀମାନେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ନିଜକୁ ମନୋନୀତ କରନ୍ତି। ଅର୍ଥାତ୍ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଦଳ ଭିତରେ ଥିବା ପ୍ରାର୍ଥିତ୍ୱ ହାସଲ କରିବାକୁ ପଡେ। ଏଥିପାଇଁ ପ୍ରତ୍ୟେକ ଦଳ ରାଜ୍ୟଗୁଡିକରେ  ପ୍ରାଇମେରୀ ଏବଂ କାଉକାସସ୍ ମାଧ୍ୟମରେ ପ୍ରାର୍ଥୀ ଚୟନ କରନ୍ତି।  ତେବେ ପ୍ରାଇମେରୀ ଏବଂ କାଉକାସସ୍ ନିର୍ବାଚନ କଣ ଆସନ୍ତୁ ଜାଣିବା।


ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ କେବଳ ଦୁଇଟି ପ୍ରମୁଖ ଦଳ ହେଉଛି ରିପବ୍ଲିକାନ୍ ଏବଂ ଡେମୋକ୍ରାଟିକ୍। କିନ୍ତୁ ସମାନ ଦଳରୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପାଇଁ ୧୦ ପ୍ରତିଯୋଗୀ ଛିଡା ହୋଇଥିଲେ। ଏହି ପ୍ରତିଯୋଗୀମାନଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରିବା ପରେ ତାଙ୍କୁ ଆନୁଷ୍ଠାନିକ ଭାବେ ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଏ। ଏଥିପାଇଁ ଦେଶର ପ୍ରତ୍ୟେକ ରାଜ୍ୟରେ ପ୍ରାଇମେରୀ ଏବଂ କାଉକାସସ୍ ନିର୍ବାଚନ ହୋଇଥାଏ।

ପ୍ରାଇମେରୀ ପାଇଁ ସିଧାସଳଖ ନିର୍ବାଚନ ଅନୁଷ୍ଠିତ ହୁଏ, ଯେଉଁଥିରେ ଦଳର ପଞ୍ଜିକୃତ ଭୋଟରମାନେ ସେମାନଙ୍କ ପସନ୍ଦର ପ୍ରାର୍ଥୀ ପାଇଁ ଭୋଟ୍ ଦିଅନ୍ତି। ସାଧାରଣତଃ ଦୁଇ ପ୍ରକାରର ପ୍ରାଇମେରୀ ଅଛି। ଗୋଟିକରେ କେବଳ ଦଳର ପଞ୍ଜୀକୃତ ଭୋଟରମାନେ ଅଂଶଗ୍ରହଣ କରୁଥିବାବେଳେ ଅନ୍ୟଟି ଦଳର ସଦସ୍ୟ ନହୋଇଥିଲେବି ଭୋଟ୍‌ ଦେଇପାରିବେ। ସେହିପରି କାଉକାସସ୍ ହେଉଛି ସ୍ଥାନୀୟ ସଭା,  ବିଦ୍ୟାଳୟ, ଟାଉନ୍ ହଲ୍ ସମେତ ଯେକୌଣସି ସର୍ବସାଧାରଣ ସ୍ଥାନରେ ଆୟୋଜିତ ହୋଇଥାଏ। ଯିଏ ପ୍ରାଇମେରୀ ଏବଂ କାଉକାସସ୍ ନିର୍ବାଚନରେ ଜିତିବ ସେ ଦଳର ଆନୁଷ୍ଠାନିକ ଭାବେ ରାଷ୍ଟ୍ରପତି ପ୍ରାର୍ଥୀ ହୁଅନ୍ତି।

ଆମେରିକାର ଭୋଟରମାନେ ପରୋକ୍ଷ ଭାବେ ସେମାନଙ୍କର ରାଷ୍ଟ୍ରପତି ନିର୍ବାଚିତ କରିଥାନ୍ତି। ଆମେରିକାରେ ରାଷ୍ଟ୍ରପତି ଚୟନ କରୁଥିବା ସଂସ୍ଥା ହେଉଛି ଇଲେକ୍ଟୋରାଲ କଲେଜ। ଭାରତ ଭଳି ଆମେରିକା ସଂସଦରେ ବି ଦୁଇଟି ସଦନ ରହିଛି। ପ୍ରଥମଟି ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ ଯାହାକୁ ପ୍ରତିନିଧି ସଭା କୁହାଯାଏ। ଏହାର ସଦସ୍ୟ ସଂଖ୍ୟା ୪୩୫। ଅନ୍ୟ ସଦନ ସିନେଟ୍‌ରେ ୧୦୦ ଜଣ ସଦସ୍ୟ ରହିଥାନ୍ତି। ଏହା ବ୍ୟତୀତ ଆମେରିକାର ୫୧ତମ ରାଜ୍ୟ କଲମ୍ବିଆର ୩ ଜଣ ସଦସ୍ୟ ମଧ୍ୟ ଆସିଥାନ୍ତି। ଏଭଳି ଭାବେ ସଂସଦରେ ମୋଟ ୫୩୮ ସଦସ୍ୟ ରହିଥାନ୍ତି।

ଆମେରିକାର ସାଧାରଣ ଭୋଟରମାନେ ପ୍ରଥମେ ଭୋଟ୍ ଦେଇ ଇଲେକ୍ଟରମାନଙ୍କୁ ନିର୍ବାଚିତ କରିଥାନ୍ତି। ପୂରା ଆମେରିକାରୁ ମୋଟ ୫୩୮ ଜଣ ଇଲେକ୍ଟର ନିର୍ବାଚିତ ହୋଇଥାନ୍ତି। ଏହି ଇଲେକ୍ଟରମାନେ ହିଁ ଆମେରିକାର ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବା ପାଇଁ ଭୋଟ୍ ଦେଇଥାନ୍ତି। ଯେଉଁ ପ୍ରାର୍ଥୀଙ୍କୁ ୫୩୮ ଇଲେକ୍ଟରଙ୍କ ଭିତରୁ ୨୭୦ ଜଣ ଇଲେକ୍ଟରଙ୍କ ଭୋଟ୍ ମିଳିଥାଏ, ସେହି ପ୍ରାର୍ଥୀ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥାନ୍ତି। ଆମେରିକା ଆଇନ୍‌ ଅନୁସାରେ ରାଷ୍ଟ୍ରପତି ପଦ ପାଇଁ ଦୁଇଟି କାର୍ଯ୍ୟକାଳ ପରେ କୌଣସି ବ୍ୟକ୍ତି ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିପାରିବେ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.