ୟୁକ୍ରେନ ଯୁଦ୍ଧ ଅପରାଧରେ ଗିରଫଦାରୀର ଭୟ, BRICSରେ ଯୋଗ ଦେବା ପାଇଁ ଦକ୍ଷିଣ ଆଫ୍ରିକା ଆସିଲେନି ପୁଟିନ !

Published By : Prameya-News7 Bureau | August 22, 2023 IST

ନୂଆଦିଲ୍ଲୀ: ଦକ୍ଷିଣ ଅଫ୍ରିକାର ଜୋହାନ୍ସବର୍ଗରେ ବ୍ରିକ୍ସ ସଦସ୍ୟ ମୁଖ୍ୟଙ୍କ ବୈଠକ ଚାଲିଛି । ତିନି ଦିନିଆ ସମ୍ମିଳନୀରେ ଭାଗ ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ, ବ୍ରାଜିଲ୍ ରାଷ୍ଟ୍ରପତି ଲୁଲା ଡି ସିଲଭା ଦକ୍ଷିଣ ଆଫ୍ରିକା ପହଞ୍ଚିଛନ୍ତି । ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସାଇରିଲ୍ ରାମାଫୋସା ମଧ୍ୟ ଏହି ସମ୍ମିଳନୀରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବେ । ତେବେ ଏହି ବୈଠକରେ ଯୋଗ ଦେବା ପାଇଁ ଦକ୍ଷିଣ ଆଫ୍ରିକା ଆସି ନାହାନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ।

ପଢନ୍ତୁ: ବ୍ରିକ୍ସ ସମ୍ମିଳନୀରେ ଭାଗ ନେବା ପାଇଁ ଜୋହାନ୍ସବର୍ଗରେ ପହଞ୍ଚିଲେ ପିଏମ ମୋଦୀ, ବିମାନ ବନ୍ଦରରେ ଜୋରଦାର ସ୍ବାଗତ

କରୋନା ମାହାମାରୀ ପରେ ପ୍ରଥମ ଥର ପାଇଁ ଏହି ସମ୍ମିଳନୀରେ ବ୍ୟକ୍ତିଗତ ଭାବେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରମୁଖ୍ୟ ଏକାଠି ହୋଇଛନ୍ତି । ଅନ୍ୟପଟେ କିନ୍ତୁ ଭ୍ଲାଦିମିର ପୁଟିନ ଭିଡିଓ କନ୍ସଫରେନ୍ସରେ ଯୋଗ ଦେବେ । ମାର୍ଚ୍ଚରେ ଅନ୍ତରାଷ୍ଟ୍ରୀୟ କ୍ରିମିନାଲ କୋର୍ଟଙ୍କ ଦ୍ୱାରା ୟୁକ୍ରେନରେ ଯୁଦ୍ଧ ଅପରାଧ ପାଇଁ ପୁଟିନଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି କରାଯାଇଥିଲା । ତେବେ ଏହି ଗିରଫଦାରୀକୁ ଏଡାଇବା ପାଇଁ ପୁଟିନ ଦକ୍ଷିଣ ଆଫ୍ରିକା ଆସିନଥିବା କୁହାଯାଉଛି । ଉଲ୍ଲେଖଯୋଗ୍ୟ ଯେ ଅନ୍ତରାଷ୍ଟ୍ରୀୟ କ୍ରିମିନାଲ କୋର୍ଟର ସଦସ୍ୟ ରାଷ୍ଟ୍ର ହେଉଛି ଦକ୍ଷିଣ ଆଫ୍ରିକା । ଏବଂ ଆଇସିସିର ଦ୍ୱାରା ଜାରି କରାଯାଇଥିବା ଆଦେଶକୁ ଏହାର ସଦସ୍ୟ ମାନିବାକୁ ବାଧ୍ୟ ଅଟନ୍ତି ।

ଚଳିତ ଥରର ବ୍ରିକ୍ସ ସମ୍ମିଳନୀ ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ଶିଖର ସମ୍ମିଳନୀରେ ବ୍ରିକ୍ସର ବିସ୍ତାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡା । ୨୦ରୁ ଅଧିକ ଏହାର ସଦସ୍ୟ ହେବା ପାଇଁ ଆବେଦନ କରିଛନ୍ତି । ଏହି ଦେଶଗୁଡିକ ମଧ୍ୟରେ ସାଉଦି ଆରବ, ଇରାନ ଏବଂ ୟୁଏଇ ସାମିଲ ଅଛନ୍ତି । ତେବେ ନୂଆ ସଦସ୍ୟ ରାଷ୍ଟ୍ରକୁ ସାମିଲ କରିବା ପୂର୍ବରୁ ବ୍ରିକ୍ସ ଦେଶ ଏକମତରେ ପହଞ୍ଚିବା ଦରକାର । ସୂଚନା ଥାଉକି, ୨୦୦୯ ମସିହାରେ ବ୍ରାଜିଲ, ରୁଷ, ଭାରତ ଏବଂ ଚୀନକୁ ନେଇ ଏହି ଗ୍ରୁପର ଗଠନ ହୋଇଥିଲା । ୨୦୧୦ ମସିହାରେ ଦକ୍ଷିଣ ଆଫ୍ରିକାର ଏହାର ସଦସ୍ୟ ହୋଇଥିଲା ।

Also Read: ବ୍ରିକ୍ସ ସମ୍ମିଳନୀରେ ଜାରିହେଲା ଘୋଷଣାପତ୍ର; ଜାଣନ୍ତୁ କେଉଁ କେଉଁ ପ୍ରସଙ୍ଗରେ କରାଯାଇଛି ଘୋଷଣା  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.