ଚଣ୍ଡିଗଡ଼: ହରିୟାଣା ବିଧାନସଭା ନିର୍ବାଚନରେ ବିଜେପି ଲଗାତାର ତୃତୀୟ ଥର ସରକାର ଗଢିବା ଦିଗରେ ଅଗ୍ରସର ହେଉଛି। ଅନେକ ଆସନରେ ଚୂଡ଼ାନ୍ତ ଫଳାଫଳ ଆସି ଗଲାଣି। ଏ ପର୍ଯ୍ୟନ୍ତ ଦଳ ୪୭ ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୩୭ଟି ସିଟ୍ରେ ଆଗରେ ରହିଛି। ଏହିପରି ହରିୟାଣାରେ ବିଜେପି ନିଜର ଜନାଧାର ବଜାୟ ରଖିବାରେ ସଫଳ ହୋଇଛି। ହରିୟାଣାର ଦଳର ଖରାପ ପ୍ରଦର୍ଶନକୁ ନେଇ କଂଗ୍ରେସର ବରିଷ୍ଠ ନେତା କୁମାରୀ ସେଲଜାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି, ପରାଜୟ କାରଣର ବିସ୍ତୃତ ସମୀକ୍ଷା ହେବା ଉଚିତ୍। କଂଗ୍ରେସ ଭିତରେ କଉଠି ନା କଉଠି ବଡ଼ ତ୍ରୁଟି ହୋଇଛି। ଯେଉଁ କାରଣରୁ ପାର୍ଟି ସଂଘର୍ଷ କରୁଛି।
କୁମାରୀ ସେଲଜା କହିଛନ୍ତି, ଆମେ ୬୦ ସିଟ୍ ଉପରେ ଆଲୋଚନା କରୁଥିଲୁ। ମାତ୍ର ଏବେ ଲାଗୁଛି ଆମେ ସଂଘର୍ଷ କରୁଛୁ। କିଛି ସିଟ୍ରେ ଏବେ ବି କଡ଼ା ସଂଘର୍ଷ ଚାଲିଛି। ଚୂଡ଼ାନ୍ତ ଫଳାଫଳକୁ ଆମେ ଅପେକ୍ଷା କରିଛୁ। ଦେଖିବାକୁ ପଡ଼ିବ ଆମ ଦ୍ଵାରା କେଉଁଠି ତ୍ରୁଟି ହୋଇଛି ନା ବିଜେପି ଭିତିରିଆ ଖେଳ କରିଛି। ଆମେ କାହିଁକି ଜିତି ପାରିଲୁ ନାହିଁ ତାର ଆତ୍ମଚିନ୍ତନ କରିବୁ।
ସେଲଜା ଏହା ଉପରେ ଜୋର ଦେଇ କହିଛନ୍ତି, ସେ ନିର୍ବାଚନ ଲଢିବାକୁ ଚାହୁଁଥିଲେ। ହେଲେ ବର୍ତ୍ତମାନ ଅମକୁ ବ୍ୟକ୍ତିଗତ ଆଲୋଚନାରୁ ଦୂରେଇ ରହିବା ଉଚିତ୍। ଏହା ଆମକୁ ଦେଖିବାକୁ ପଡ଼ିବ ଯେ, ରାଜ୍ୟରେ ଆମକୁ କାହିଁକି ଝଟକା ଲାଗିଲା ଏବଂ କାହିଁକି ଆମେ ପରାଜୟ ଭୋଗିଲୁ।
କୁମାରୀ ସେଲଜାଙ୍କ ଏହି ବୟାନ ଭୂପିନ୍ଦର ସିଂ ହୁଡ୍ଡାଙ୍କ ପାଇଁ ଏକ ସଙ୍କେତ ଥିଲା। ଉଲ୍ଲେଖନୀୟ କୁମାରୀ ସେଲଜା ନିଜକୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଉପସ୍ଥାପନା କରୁଥିଲେ। ତାଙ୍କ କହିବା କଥା ହରିୟାଣାରେ କେବେ ବି ଦଳିତ ମୁଖ୍ୟମନ୍ତ୍ରୀ ହୋଇ ନାହିଁ। ତେବେ ମୋଟାମୋଟି ହରିୟାଣା ପରାଜୟ କଂଗ୍ରେସ ପାଇଁ ଏକ ବଡ଼ ଝଟକା। ପାର୍ଟି ଭିତରେ ଏବେ ଭବିଷ୍ୟତ ରଣନୀତି ଉପରେ ବିଚାର କରାଯିବ।