ନୂଆଦିଲ୍ଲୀ୦୫/୦୩: ନାଁ ବଜିନ୍ଦର ସିଂ । ଚର୍ଚ୍ଚର ପାଦ୍ରି । ଆପଣ ଏ ବ୍ୟକ୍ତିଙ୍କୁ ସୋସିଆଲ ମିଡିଆରେ ଅନେକ ଥର ଦେଖିଥିବେ । ବଜିନ୍ଦରଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ । ବଜିନ୍ଦରଙ୍କ ଦାବି ବଡ ଅସ୍ବାଭାବିକ , କିନ୍ତୁ ଅସମ୍ଭବ ଭାବେ ତାଙ୍କୁ ଭରସା କରନ୍ତି ଅନ୍ଧ ସମର୍ଥକ । ବଜିନ୍ଦର ଦାବି କରନ୍ତି, ସେ ମରିଯାଇଥିବା ଲୋକକୁ ବଞ୍ଚାଇପାରିବେ, କ୍ୟାନସର ଆଦି ଅନେକ ଦୁରାରୋଗ୍ୟରୁ ଆରୋଗ୍ୟ କରିପାରିବେ । ବଜିନ୍ଦରଙ୍କ କାର୍ଯ୍ୟକ୍ରମରେ ଅନେକ ବଲିଉଡ ହସ୍ତୀଙ୍କ ଉପସ୍ଥିତି ମଧ୍ୟ ଦେଖିବାକୁ ମିଳେ । ସୋସିଆଲ ମିଡିଆରେ ଲୋକଙ୍କ ବିଶ୍ବାସ ଜିତିଥିବା ଏ ପାଦ୍ରିଙ୍କ ନାଁରେ କିନ୍ତୁ ଆସିଛି ସଂଗୀନ ଅଭିଯୋଗ । ପୁରା ହଇଚଇ ।
ଜଣେ ୨୨ ବର୍ଷୀୟା ଯୁବତୀ ବଜିନ୍ଦରଙ୍କ ବିରୋଧରେ ଯୌନ ଶୋଷଣର ଆରୋପ ଲଗାଇଛନ୍ତି । ଅଭିଯୋଗ ପରେ ପଞ୍ଜାବ ପୋଲିସ ବଜେନ୍ଦରଙ୍କ ଉପରେ ମାମଲା ରୁଜୁ କରିଛି। ପଞ୍ଜାବ ପୋଲିସ ପୀଡିତାଙ୍କ ଅଭିଯୋଗ ଆଧାରରେ ଆଇପିସି ଧାରା 354-A(ଯୌନ ଉତ୍ପୀଡନ), 354-D(ପିଛା କରିବା) ଓ ୫୦୬ ଅର୍ଥାତ ଅପରାଧିକ ଧମକ ଦେବା ଆଦି ଦଫା ଲଗାଇଛି । ଅଡୁଆରେ ପଡିଯାଇଛନ୍ତି ହିନ୍ଦୁରୁ ଖ୍ରୀଷ୍ଟିଆନ ପାଦ୍ରୀ ପାଲଟିଥିବା ବଜିନ୍ଦର ।
ପୀଡିତାଙ୍କ ଅଭିଯୋଗ “ ମୁଁ ଯେତେବେଳେ ୧୭ ବର୍ଷର । ସେବେଠୁ ବଜିନ୍ଦର ଆଖି ମୋ ଉପରେ । ସେବେଠୁ ସେ ମୋତେ ଶୋଷଣ କରୁଛି । କେବଳ ଏତିକି ନୁହେଁ ମୋତେ ପିଛା କରିବାସହ , ତା ସହ ସଂପର୍କ ରଖିବାକୁ ବାଧ୍ୟ କରୁଛି । ନଚେତ୍ ପରିବାରର କ୍ଷତି କରିବାକୁ ଧମକ ଦେଉଛି । ଏମିତି କି ଏବେ ମୁଁ ବିବାହିତ ହୋଇଥିଲେ ମଧ୍ୟ ମୋତେ ବିବାହ କରିବାକୁ ବାଧ୍ୟ କରୁଛି । ଏମିତିକି ବିବାହ ଓ ପରେ ଗର୍ଭାବସ୍ଥା ସମୟରେ ମଧ୍ୟ ମୋତେ ହଇରାଣ କରିଛି ବଜିନ୍ଦର ।
ଯେତେବେଳେ ମୁଁ କଲେଜ ଯାଉଥିଲି ବଜିନ୍ଦର ମୋତେ କାର୍ରେ ପିଛା କରୁଥିଲା । ଆଉ ମୋତେ ଧମକ ଦେଉଥିଲା ମୁଁ ଯଦି ତାକୁ ବିବାହ ନ କରେ ମୋ ବାପା-ମାଆ ଓ ଭାଇକୁ ମାରିଦେବ । ଏହି ଧମକ ମୋତେ ଅତ୍ୟଧିକ ଭୟଭୀତ କରିଛି ।“
ମାମଲା ରୁଜୁ ହେବା ପରେ ସାମ୍ନାକୁ ଆସିଛି ବଜିନ୍ଦରର ପ୍ରତିକ୍ରିୟା । ଅଭିଯୋଗକୁ ସଂପୂର୍ଣ୍ଣ ଖଣ୍ଡନ କରିବା ସହ ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଇଥିବା କହିଛନ୍ତି । ସେପଟେ ବଜେନ୍ଦର ଉପରେ ହୋଇଥିବା ମାମଲାକୁ ବିରୋଧ କରି ଜଳନ୍ଧରରେ ବିରୋଧ ପ୍ରଦର୍ଶନ କରାଯାଇଛି । ତାଙ୍କ ସମର୍ଥକଙ୍କ କହିବା କଥା ବଜିନ୍ଦରଙ୍କ ବିରୋଧରେ ସୁଚିନ୍ତିତ ଷଡଯନ୍ତ୍ର କରାଯାଇଛି । ସେ କୌଣସି ଭୁଲ କରିନାହାନ୍ତି ।
ହରିୟାଣା ଯମୁନାନଗରର ଏକ ହିନ୍ଦୁ ଜାଠ୍ ପରିବାରରେ ଜନ୍ମ ହୋଇଥିବା ବଜିନ୍ଦର କେମିତି ଖ୍ରୀଷ୍ଟିୟାନ ହେଲେ । ୟା ପଛର କାରଣ ବେଶ ରୋଚକ । ଯୁବା ଅବସ୍ଥାରେ ଖରାପ ଲୋକଙ୍କ ସଂସ୍ପର୍ଶରେ ପଡିଯାଇଥିଲେ ବଜିନ୍ଦର । ଯାହାର ପରିମାଣ ଥିଲା ବେଶ ଭୟଙ୍କର । ମାତ୍ର ୨୦ ବର୍ଷ ବୟସରେ ମାନେ ୨୦୧୦ରେ ହତ୍ୟା ମାମଲାରେ ଫସିଯାଇଥିଲେ ବଜିନ୍ଦର । ଆଉ ତାଙ୍କୁ ଜେଲ୍ ଯିବାକୁ ପଡିଥିଲା । ସେଠାରେ ରହିବା ଭିତରେ ଖ୍ରୀଷ୍ଟିଆନ ଧର୍ମ ପ୍ରତି ତାଙ୍କର ଆକର୍ଷଣ ବଢିଲା । ଯାହା ବଜିନ୍ଦରଙ୍କ ଜୀବନର ମୋଡ ବଦଳାଇଦେଇଥିଲା ।
ଜେଲ୍ରୁ ବାହାରିବା ପରେ ବଜିନ୍ଦର ୨୦୧୨ରେ ଜଳନ୍ଧରର ତାଜପୁର ଗାଁରେ ନିଜର ଆଧ୍ୟାତ୍ମିକ ଯାତ୍ରାର ଆରମ୍ଭ କରିଥିଲେ । ଗୋଟିଏ ଚର୍ଚ୍ଚରେ ପାଦ୍ରି ଭାବରେ କାମ କରିବା ପରେ ୨୦୧୬ରେ ଚର୍ଚ୍ଚ ଅଫ ଗ୍ୟାଲେରୀ ଓ ୱିଜଡମ୍ ନାମରେ ନିଜର ସଂସ୍ଥା ଆରମ୍ଭ କରିଥିଲେ । ସେ ଚମତ୍କାର ଶକ୍ତି ଓ ଭବିଷ୍ୟତବାଣୀ ମାଧ୍ୟମରେ ଲୋକଙ୍କ ଧ୍ୟାନ ଆକର୍ଷଣ କରିବାକୁ ଲାଗିଲେ । ଆଉ ବଜିନ୍ଦରଙ୍କ ପ୍ରସିଦ୍ଧି ବଢିବାରେ ଲାଗିଲା ।
ତେବେ ୨୦୧୮ରେ ବଜିନ୍ଦରଙ୍କୁ ପୁଣି ଏକ ଝଟ୍କା ଲାଗିଥିଲା । ଏକ ରେପ୍ କେସରେ ତାଙ୍କୁ ଗିରଫ କରାଯାଇଥିଲା । ଅଭିଯୋଗ ଥିଲା କି ମହିଳାଙ୍କ ସହ ସଂପର୍କ ରଖି ଭିଡିଓ ରେକର୍ଡିଂ କରିଥିଲେ ବଜିନ୍ଦର । ଆଉ ଭିଡିଓ ଜରିଆରେ ମହିଳାଙ୍କୁ କରୁଥିଲେ ବ୍ଲାକମେଲ୍ । ମାମଲା ରୁଜୁ ପରେ ବଜିନ୍ଦର ଜଳନ୍ଧରରୁ ଲୁଚି ଦିଲ୍ଲୀ ପଳାଇ ଆସିଥିଲେ । ସେଠାରୁ ଲଣ୍ଡନ ଫେରାର ହେବାର ପ୍ଲାନ ଥିଲା । କିନ୍ତୁ ତା ପୂର୍ବରୁ ବଜିନ୍ଦରକୁ ମାଡି ବସିଥିଲା ପୋଲିସ ।
କେବଳ ଏତିକି ନୁହେଁ ଆୟକର ବିଭାଗର ଟାର୍ଗେଟରେ ଥିଲେ ବଜିନ୍ଦର । ତାଙ୍କ ନାଁରେ ଆସିଥିଲା ଠକେଇ ଅଭିଯୋଗ । ସେହିପରି ଜଣେ ଶ୍ରଦ୍ଧାଳୁ ଅଭିଯୋଗ ଆଣିଥିଲେ କି ତାଙ୍କ ମୃତ ପୁଅକୁ ଜୀବିତ କରିବାକୁ ୮୦ ହଜାର ଟଙ୍କା ନେଇଥିଲେ ବଜେନ୍ଦର । ଏମିତିକି ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରିଥିଲେ ।
ତେବେ ସବୁଠୁ ଆଚମ୍ବିତ କଲା ଭଳି କଥା ହେଉଛି ଅନେକ ରୋଗ ଭଲ କରିପାରୁଥିବା ନେଇ ଦାବି କରୁଥିବା ବଜିନ୍ଦର ନିଜେ ରକ୍ତଚାପ ରୋଗରେ ପୀଡିତ । ଆଉ ଉପଚାର ପାଇଁ ବିଶେଷଜ୍ଞ ଡାକ୍ତରଙ୍କ ପାଖକୁ ଯାଆନ୍ତି ।
ବଜିନ୍ଦରଙ୍କ ପରିବାର ସଂପର୍କରେ ବିଶେଷ କିଛି ସୂଚନା ମିଳିନି । ତେବେ ପରିବାର ଲୋକଙ୍କ ସହ ଫଟୋ ସୋସିଆଲ ମିଡିଆରେ ସେୟାର କରନ୍ତି ବଜିନ୍ଦର ।ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ଥାଆନ୍ତି ସେ । ତାଙ୍କ ଇନଷ୍ଟାରେ ୧୦ ଲକ୍ଷରୁ ଅଧିକ ଫଲୋୟର ଅଛନ୍ତି । ସେ ନିୟମିତ ନିଜର କାର୍ଯ୍ୟକ୍ରମ ସୋସିଆଲ ସାଇଟରେ ସେୟାର କରନ୍ତି । ତେବେ ପୂର୍ବରୁ ଦୁଇ ୨ଥର ଜେଲ୍ ଯାଇଥିବା ବଜିନ୍ଦରଙ୍କ ନାଁରେ ପୁଣି ଆସିଥିବା ସାଂଘାତିକ ଅଭିଯୋଗ କେଉଁ ମୋଡ ନେଉଛି ତାକୁ ଅପେକ୍ଷା ।