ନୂଆଦିଲ୍ଲୀ ୦୯।୧୧: ରାଫେଲ୍ ଡିଲ୍ରେ ଲାଞ୍ଚ କାରବାର ପ୍ରସଙ୍ଗ ଏବେ ଭାରତଠୁ ନେଇ ଫ୍ରାନ୍ସ ପର୍ଯ୍ୟନ୍ତ ସରଗରମ କରିଛି। ଫ୍ରାନ୍ସର ପୋର୍ଟାଲ୍ ମିଡିଆପାର୍ଟର ରିପୋର୍ଟ ଅନୁଯାୟୀ, ଫ୍ରାନ୍ସର ବିମାନ ନିର୍ମାତାକାରୀ କମ୍ପାନୀ ଦାସଲ୍ଟ ଭାରତକୁ ୩୬ ରାଫେଲ ଲଢୁଆ ବିମାନ ବିକ୍ରି ସୁନିଶ୍ଚିତ ଏବଂ ସୁରକ୍ଷିତ କରିବା ପାଇଁ ଜଣେ ମଧ୍ୟସ୍ଥଙ୍କୁ ୭.୫ ମିଲିୟନ ୟୁରୋ(୬୫ କୋଟି)ର ଲାଞ୍ଚ ଦେଇଥିଲା। ଅନ୍ୟପଟେ ଭାରତୀୟ ଏଜେନ୍ସି ପାଖରେ ଏହାର ଦସ୍ତାବିଜ ଓ ପ୍ରମାଣ ଥାଇ ବି ତଦନ୍ତ କରାଯାଇନଥିବା ସଙ୍ଗୀନ ଅଭିଯୋଗ ହୋଇଛି। ଏହି ଡିଲ୍ର ମଧ୍ୟସ୍ଥ ହେଉଛନ୍ତି ସୁଶେନ ମୋହନ ଗୁପ୍ତା। ଏବେ ଏହି ମାମଲାକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ପର୍ବ ଆରମ୍ଭ ହୋଇ ଯାଇଛି। ସବୁ ଜାଣି ସୁଦ୍ଧା ବିଜେପି ମାମଲାର ତଦନ୍ତ କରିନଥିବା କଂଗ୍ରେସ ଅଭିଯୋଗ କରିଥିବା ବେଳେ ୟୁପିଏ ସରକାର ଅମଳରେ ଚଞ୍ଚକତା କରାଯାଇ ସୁଶେନ ମୋହନ ଏହି କାମ କରିଥିବା ବିଜେପି ପାଲଟା ଜବାବ ଦେଇଛି।
୪୬ ବର୍ଷୀୟ ବ୍ୟବସାୟୀ ସୁଶେନ ଗୁପ୍ତାଙ୍କ ପରିବାରର ଭାରତୀୟ ପ୍ରତିରକ୍ଷା ଓ ବିମାନ ଶିଳ୍ପ ସହ ଭଲ ସଂପର୍କ ରହିଛି। ପୁରୁଣା ଦିଲ୍ଲୀରେ ରହୁଥିବା ଗୁପ୍ତାଙ୍କ ପରିବାର ପୈତୃକ ଭାବେ କପଡା କାରବାର ଥିଲା। ହେଲେ ସୁଶେନଙ୍କ ଅଜା ବୃଜ ମୋହନ ଏଭିଏସନ ଦୁନିଆରେ ପାଦ ଥାପିଥିଲେ। ଗୁପ୍ତା ଅନେକ ଅନ୍ତର୍ଜାତୀୟ ପ୍ରତିରକ୍ଷା ଏବଂ ବିମାନ କମ୍ପାନୀ ସହିତ ଚୁକ୍ତିନାମାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ବ୍ରିଟିଶ କମ୍ପାନୀ ଓ୍ଵେଷ୍ଟଲାଣ୍ଡ ଏୟାରକ୍ରାଫ୍ଟ, ପ୍ରାଟ୍ ଆଣ୍ଡ ଓ୍ଵିଟନୀ ସମେତ ଅନେକ ବଡ ବଡ କମ୍ପାନୀ ସହିତ ଗୁପ୍ତା ଡିଲ୍ କରାଇଥିଲେ। ବୃଜ ମୋହନ ଗୁପ୍ତାଙ୍କ ପରେ ତାଙ୍କ ପୁଅ ଦେବ ମଧ୍ୟ ପରିବାରର ଏହି ବ୍ୟବସାୟକୁ ଆଗକୁ ବଢାଇଥିଲେ। ଏବେ ସୁଶେନ ଗୁପ୍ତା ପରିବାରର ତୃତୀୟ ପିଢି।
ଦିଲ୍ଲୀର ଆମେରିକନ ଏମ୍ବାସି ସ୍କୁଲରୁ ପଢିଥିବା ସୁଶେନ ମୋହନ ଗୁପ୍ତା ଉଚ୍ଚ ଶିକ୍ଷା ମଧ୍ୟ ଆମେରିକାରେ ଗ୍ରହଣ କରିଥିଲେ। ଏହା ପରେ ସେ ପରିବାରର ବିମାନ ବ୍ୟବସାୟ ବ୍ୟତୀତ ପାଓ୍ଵାର ବିଜନେସରେ ଦଖଲ ଦେଇଥିଲେ। ସୁଶେନ ଗୁପ୍ତାଙ୍କ ନାମ ୨୦୧୦ର ଭିଭିଆଇପି ହେଲିକପ୍ଟର ଦୁର୍ନୀତିରେ ସାମ୍ନାକୁ ଆସିଥିଲା। ଗୌତମ ଖୈନାତ ଓ ବ୍ୟବସାୟୀ ରାଜୀବ ସକ୍ସେନାଙ୍କ ସହ ମିଶି ସୁଶେନ ଅଗଷ୍ଟା ଓ୍ଵେଷ୍ଟଲାଣ୍ଡ ସହ ଡିଲ୍ କରିଥିଲେ। ଗୌତମ ଖୈତାନଙ୍କ ବାପା ଓପି ଖୈତାନଙ୍କ ଗୁପ୍ତା ପରିବାର ସହ ପୁରୁଣା ସଂପର୍କ ରହିଛି। ସେ ଗୁପ୍ତା ପରିବାରର ଓକିଲ ଭାବେ କାମ କରି ସାରିଛନ୍ତି।
ପୋର୍ଟାଲ ଅନୁଯାୟୀ, ସିବିଆଇ ଓ ଇଡି ପାଖରେ ୨୦୧୮ ଅକ୍ଟୋବରରେ ପ୍ରମାଣ ଥିଲା ଯେ, ଡାସଲ୍ଟ ରାଫେଲ୍ ଜେଟ୍ର ବିକ୍ରିକୁ ସୁରକ୍ଷିତ କରିବା ପାଇଁ ସୁଶେନ ଗୁପ୍ତାଙ୍କୁ ଲାଞ୍ଚ ଦିଆଯାଇଥିଲା। ଏହି ଟଙ୍କାର ବଡ ଭାଗ ୨୦୧୩ ପୂର୍ବରୁ ଦିଆଯାଇଥିଲା। ଏ ସଂପର୍କିତ କାଗଜପତ୍ର ରହିଥିବା ପୋର୍ଟାଲ ଦାବି କରିଛି। ଏହା ସତ୍ତ୍ଵେ ଭାରତୀୟ ପୋଲିସ କେସକୁ ଆଗକୁ ବଢାଇ ନାହିଁ କି ତଦନ୍ତ ମଧ୍ୟ କରିନାହିଁ।
ରିପୋର୍ଟରେ କୁହାଯାଇଛି ଯେ, ସୁଶେନ ଗୁପ୍ତାଙ୍କ ଇଣ୍ଟରଷ୍ଟେଲର ଟେକ୍ନୋଲୋଜି ୨୦୦୭ ଏବଂ ୨୦୧୨ ମଧ୍ୟରେ ଫ୍ରାନ୍ସର ବିମାନ କମ୍ପାନୀଠୁ ପ୍ରାୟ ୬୫ କୋଟି ଟଙ୍କା ହାସଲ କରିଛି। ଏହାର ମଧ୍ୟ ଖୁଲାସା ହୋଇଛି ଯେ, ମରିସସ ସରକାର ୨୦୧୮ ଅକ୍ଟୋବର ୧୧ରେ ଏହା ସଂପର୍କିତ କାଗଜପତ୍ର ସିବିଆଇକୁ ପ୍ରଦାନ କରିଛି, ଯାହାକୁ ପରେ ସିବିଆଇ ଇଡିକୁ ହସ୍ତାନ୍ତର କରିଛି।