ବାବା ସିଦ୍ଦିକି କିଏ ? ବଲିଉଡ ଠାରୁ ରାଜନୀତି ଯାଏଁ ସବୁଠି ଥିଲା ଦବଦବା

Published By : Prameya-News7 Bureau | October 13, 2024 IST

News7

ନୂଆଦିଲ୍ଲୀ: ବଲିଉଡ ଠାରୁ ରାଜନୀତି ଯାଏଁ। ସବୁଠି ଥିଲା ବାବା ସିଦ୍ଦିକିଙ୍କର ଦବଦବା। ବଡ ବଡ଼ ସୁପରଷ୍ଟାର ଓ ରାଜନେତାଙ୍କ ସହ ଥିଲା ଅତି ଘନିଷ୍ଠ ସମ୍ପର୍କ। ହେଲେ ଗୁଳିମାଡ଼ରେ ଗଲା ବାବାଙ୍କ ଜୀବନ। କିଏ ସେ ବାବା ସିଦ୍ଦିକ? ତାଙ୍କୁ ହତ୍ୟା କରିବାର କାରଣ କଣ? ପୂର୍ବତନ ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନ୍‌ସିପିର ବରିଷ୍ଠ ନେତା ଥିଲେ ବାବା ସିଦ୍ଦିକି। ଶନିବାର ରାତି ୯ଟା ୧୫ ମିନିଟ। ବାନ୍ଦ୍ରା ଇଷ୍ଟ ସ୍ଥିତ ତାଙ୍କ ବାସଭବନରୁ ଅଫିସକୁ ଯାଉଥିବା ବେଳେ ପୂରା ଫିଲ୍ମ ଷ୍ଟାଇଲରେ ତାଙ୍କ ଉପରକୁ ହୋଇଥିଲା ଅତର୍କିତ ହମଲା। ତାଙ୍କ ପେଟ ଓ ଛାତିରେ ବାଜିଥିଲା ଗୁଳି। ଆଉ ଚାଲିଯାଇଥିଲା ତାଙ୍କର ଜୀବନ। ଏହି ହତ୍ୟା ଘଟଣାରେ ଧରାପଡ଼ିଛନ୍ତି ୪ ସୁଟର।  

ବାବା ସିଦ୍ଦିକି ହତ୍ୟା ମାମଲାରେ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସୁଛି। ଏହି ହତ୍ୟା ପଛରେ ରହିଛି କୁଖ୍ୟାତ ଅପରାଧି ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗର ହାତ। ସିଦ୍ଦିକିଙ୍କୁ ହତ୍ୟା କରିବା ପାଇଁ ଦୁଇ ମାସ ପୂର୍ବରୁ ହୋଇଥିଲା ଯୋଜନା। ସୁଟରମାନେ ବାବା ସିଦ୍ଦିକ ଓ ତାଙ୍କ ପରିବାର ଲୋକଙ୍କ ଗତିବିଧି ଉପରେ ଦୀର୍ଘ ଦିନ ଧରି ନଜର ରଖିଆସୁଥିଲେ। ଏପରିକି ବାବା ସିଦ୍ଦିକିଙ୍କ କାର୍ଯ୍ୟାଳୟ ଓ ତାଙ୍କ ସୁରକ୍ଷା ପାଇଁ କେତେ ଜଣ ପୋଲିସ୍ ନିୟୋଜିତ ଅଛନ୍ତି ତାହା ଉପରେ ମଧ୍ୟ ନଜର ରଖିଥିଲେ। ସୁଟରମାନେ ମୁମ୍ବାଇରେ ବହୁ ଦିନ ରହୁଥିଲେ। ତେବେ ଏହି ସୁଟରମାନଙ୍କୁ କିଏ ସାହାଯ୍ୟ କରୁଥିଲା ସେମାନଙ୍କୁ ଖୋଜୁଛି ପୋଲିସ। 

୧୯୫୮ ସେପ୍ଟେମ୍ବର ୧୩ରେ ବିହାରର ଗୋପାଳଗଞ୍ଜରେ ବାବା ସିଦ୍ଦିକ ଜନ୍ମଗ୍ରହଣ କରିଥିଲେ। ତାଙ୍କର ସମ୍ପୂର୍ଣ୍ଣ ନାମ ହେଉଛି ବାବା ଜିଆଉଦ୍ଦିନ ସିଦ୍ଦିକି। ସେ ଛାତ୍ର ରାଜନୀତିରୁ କଂଗ୍ରେସ ପାର୍ଟିରେ ଯୋଗ ଦେଇଥିଲେ। ମୁମ୍ବାଇର ଏକ କଲେଜରୁ ପଢ଼ିବା ପରେ ସେ ଦୁଇଥର ମ୍ୟୁନିସିପାଲିଟି କର୍ପୋରେଟର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ୧୯୯୯ରେ ବିଧାନସଭା ନିର୍ବାଚନରେ ବାବା ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେ ବାନ୍ଦ୍ରା ପଶ୍ଚିମ ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ଏହା ପରେ ସିଦ୍ଦିକି ୨୦୦୪ ଏବଂ ୨୦୦୯ରେ ସେ କଂଗ୍ରେସ ଦଳର ବିଧାୟକ ହୋଇଥିଲେ। ଏପରିକି ସେ ମଧ୍ୟ ମନ୍ତ୍ରୀ ଥିଲେ। 

ବାବା ସିଦ୍ଦିକି କଂଗ୍ରେସର ଜଣେ ପୁରୁଣା ନେତା। ଚଳିତ ବର୍ଷ ଫେବୃଆରୀରେ ସେ କଂଗ୍ରେସ ସହ ତାଙ୍କର ଚାରି ଦଶନ୍ଧି ପୁରୁଣା ସମ୍ପର୍କ ଛାଡ଼ି ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପିରେ ଯୋଗ ଦେଇଥିଲେ। ସବୁଠୁ ବଡ଼ କଥା ହେଲା ତାଙ୍କୁ ମାତ୍ର ୧୫ ଦିନ ପୂର୍ବରୁ ହତ୍ୟା ଧମକ ମିଳିଥିଲା। ପରେ ତାଙ୍କୁ 'Y' ସିକ୍ୟୁରିଟି ସୁରକ୍ଷା ଦିଆଯାଇଥିଲା। ତେବେ ତଥାପି ଏହି ସୁରକ୍ଷା ବ୍ୟବସ୍ଥା ତାଙ୍କ ଜୀବନ ବଞ୍ଚାଇ ପାରିଲା ନାହିଁ।

ସଲମାନ-ଶାହାରୁଖଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ କରାଇବାରେ ସିଦ୍ଦିକିଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ। ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ଜନ୍ମଦିନ ପାର୍ଟିରେ ବିବାଦ ପରେ ସଲମାନ ଖାନ ଏବଂ ଶାହାରୁଖ ଖାନଙ୍କ ମଧ୍ୟରେ ବହୁତ ତିକ୍ତତା ବଢ଼ିଥିଲା। ଦୁହେଁ ଦୀର୍ଘ ବର୍ଷ ଧରି ପରସ୍ପର ସହ କଥା ହୋଇନଥିଲେ। ବାବା ସିଦ୍ଦିକି ଉଭୟଙ୍କୁ ତାଙ୍କ ଇଫତାର ପାର୍ଟିକୁ ନିମନ୍ତ୍ରଣ କରି ସେମାନଙ୍କ ମଧ୍ୟରେ ଥିବା ଦୂରତାକୁ ଦୂର କରିଥିଲେ। 

ସେହିପରି ଇମ୍ରାନ୍ ହାଶମୀ, ଜହିର ଇକବାଲ, ଶିଳ୍ପା ଶେଟ୍ଟୀ, ରିତେଶ ଦେଶମୁଖ, ସଞ୍ଜୟ ଦତ୍ତଙ୍କ ପରି ଅନେକ ବଲିଉଡ୍‌ ତାରକାଙ୍କ ସହ ଭଲ ସମ୍ପର୍କ ରହିଥିଲା। ଏମାନଙ୍କ ସହ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସିଦ୍ଦିକି ହତ୍ୟାକାଣ୍ଡର ପ୍ରକୃତ କାରଣ କଣ, ତାହା ତଦନ୍ତ ପରେ ହିଁ ଜଣାପଡ଼ିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.