ମୁଁ ସୁପ୍ରିମକୋର୍ଟ ଭଳି ବିଶୃଙ୍ଖଳିତ କୋର୍ଟ କେଉଁଠି ଦେଖିନି! ଜାଣନ୍ତୁ କେଉଁ କଥାରୁ ଚିଡିଗଲେ ଜଷ୍ଟିସ୍ ଗବଇ

Published By : Prameya-News7 Bureau | January 08, 2025 IST

ନୂଆଦିଲ୍ଲୀ ୮।୧: ଜଷ୍ଟିସ୍ ବି.ଆର.ଗବଇ ସୁପ୍ରିମକୋର୍ଟ ପରିବେଶକୁ ନେଇ ପୁଣି ଥରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଖବରରୁ ଜଣାପଡିଛି ଯେ ସେ ଦେଶର ଶୀର୍ଷ ନ୍ୟାୟାଳୟକୁ ସବୁଠୁ ବିଶୃଙ୍ଖଳିତ କୋର୍ଟ ବୋଲି କହିଛନ୍ତି ଓ ଉଚ୍ଚ ନ୍ୟାୟାଳୟମାନଙ୍କ ସହିତ ସୁପ୍ରିମକୋର୍ଟଙ୍କୁ ତୁଳନା କରିଛନ୍ତି। ଗତବର୍ଷ ମଧ୍ୟ ଶୃଙ୍ଖଳା ପ୍ରସଙ୍ଗରେ ସେ ସୁପ୍ରିମକୋର୍ଟ ଉପରେ ପ୍ରଶ୍ନ ଚିହ୍ନ ଲଗାଇଥିଲେ। ତେବେ ସବୁଠୁ ଖାସ କଥା ଯାହା ତାହା ହେଉଛି ଜଷ୍ଟିସ୍ ଗବଇ ୨୦୨୫ରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଅର୍ଥାତ ଭାରତର ମୁଖ୍ୟ ବିଚାରପତି (ସିଜେଆଇ) ହେବାକୁ ଯାଉଛନ୍ତି। 

ଜଷ୍ଟିସ୍ ଗବଇ ଦେଶର ଉଚ୍ଚନ୍ୟାୟାଳୟମାନଙ୍କର ତାରିଫ କରିଛନ୍ତି। ଅନ୍ୟପଟେ ସୁପ୍ରିମକୋର୍ଟରେ ହେଉଥିବା ହୋହଲ୍ଲା ପାଟିତୁଣ୍ଡକୁ ନେଇ କହିଛନ୍ତି। ଲାଇଭ ଲ ଅନୁସାରେ ସେ କହିଛନ୍ତି ମୁଁ ବମ୍ବେ, ନାଗପୁର ଏବଂ ଔରଙ୍ଗାବାଦ ବେଞ୍ଚରେ ଜଜ୍ ଥିଲି, କିନ୍ତୁ ମୁଁ କେବେ ସୁପ୍ରିମକୋର୍ଟ ଭଳି ବିଶୃଙ୍ଖଳିତ କୋର୍ଟ ଦେଖି ନାହିଁ। ଏଠାରେ ଆମେ ଦେଖିପାରିବା ୬ ଜଣ ଓକିଲ ଏପଟେ ବସିଛନ୍ତି ଓ ଅନ୍ୟ ୬ ଜଣ ଅପରପଟେ ବସିଛନ୍ତି ଓ ସେମାନେ ଏକାଠି ଚିତ୍କାର କରୁଛନ୍ତି। ଏପରି ପରିବେଶ କୌଣସି ହାଇକୋର୍ଟରେ ମଧ୍ୟ ମୁଁ ଦେଖିନି ବୋଲି ସେ କହିଛନ୍ତି। 

ଗତବର୍ଷ ସେପ୍ଟେମ୍ବର ମାସରେ ମଧ୍ୟ ଜଷ୍ଟିସ୍ ଗବଇ ଏହିଭଳି ଅଭିଯୋଗ କରିଥିଲେ। ମିଡିଆ ରିପୋର୍ଟସ୍ ଅନୁସାରେ ସେତେବେଳେ ସେ ତର୍କରେ ଲଗାତାର ଅବରୋଧ ସୃଷ୍ଟି କରୁଥିବା ଓକିଲଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ସେ କହିଥିଲେ ଆମ ଭଳି ଲୋକେ ଯେଉଁମାନେ ଉଚ୍ଚନ୍ୟାୟାଳୟରୁ ଆସୁଛେ ସେମାନଙ୍କ ଲାଗି ଏହା (ସୁପ୍ରିମକୋର୍ଟ) ସବୁଠୁ ବିଶୃଙ୍ଖଳିତ ସ୍ଥାନ। କିଏ ବି କେଉଁଠାରୁ ବି କହି ପାରୁଛନ୍ତି। ଏହା ବହୁତ ଅନୁଶାସନହୀନତା ବୋଲି ସେତେବେଳେ ସେ କହିଥିଲେ। 

ଉଲ୍ଲେଖଯୋଗ୍ୟ ଯେ ଏବେକା ସିଜେଆଇ ୧୩ ମେ ୨୦୨୫ରେ ଅବସର ଗ୍ରହଣ କରିବେ। ସେ ଗତବର୍ଷ ନଭେମ୍ବର ମାସରେ ଜଷ୍ଟିସ୍ ଡି.ୱାଇ.ଚନ୍ଦ୍ରଚୂ଼ଡଙ୍କ ରିଟାୟାରମେଣ୍ଟରେ ସିଜେଆଇ ରୂପେ ପଦୋନ୍ନତୀ ପାଇଥିଲେ। ତାଙ୍କ ପରେ ମେ ୨୦୨୫ରେ ଜଷ୍ଟିସ୍ ବି.ଆର.ଗବଇ ସିଜେଆଇ ହେବାକୁ ଯାଉଛନ୍ତି। ଏହା ସବୁଠୁ ଖାସ କଥା ଯେ ଜଷ୍ଟିସ୍ ଗବଇ ଦେଶର ଏପରି ଦ୍ୱିତୀୟ ସିଜେଆଇ ହେବାକୁ ଯାଉଛନ୍ତି ଯିଏ ଅନୁସୂଚିତ ଜାତି ବର୍ଗକୁ ପ୍ରତିନିଧିତ୍ୱ କରନ୍ତି। ଜଷ୍ଟିସ୍ କେ.ଜି.ବାଲକୃଷ୍ଣ ସୁପ୍ରିମକୋର୍ଟର ପ୍ରଥମ ଦଳିତ ସିଜେଆଇ ଥିଲେ। ସେ ୧୧ ମେ ୨୦୧୦ରେ ରିଟାୟାର ହୋଇଥିଲେ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.