ପର୍ଥ: ବର୍ଡର-ଗାଭାସ୍କର ଟ୍ରଫିରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତାକାଲି ପର୍ଥରେ ପ୍ରଥମ ଟେଷ୍ଟ ଖେଳାଯିବ। ଅଧିନାୟକ ରୋହିତ ଶର୍ମା ପ୍ରଥମ ଟେଷ୍ଟ ଖେଳିବେ ନାହିଁ। ତାଙ୍କ ଅନୁପସ୍ଥିତିରେ ଯଶପ୍ରୀତ ବୁମରା ଦଳର ନେତୃତ୍ଵ ନେବେ। ତେବେ ଯଶସ୍ଵୀ ଜୟସ୍ଵାଲଙ୍କ ସହ କିଏ ଓପନିଂ କରିବ ତାହା ଦେଖିବା ରୋଚକ ହେବ। ପର୍ଥ ଟେଷ୍ଟର ପିଚ୍ ସର୍ବଦା ଦ୍ରୁତ ବୋଲରଙ୍କୁ ସୁହାଇଥାଏ। ତେଣୁ ଭାରତୀୟ ଦଳ ଚାରି ଦ୍ରୁତ ବୋଲର ସହ ପଡ଼ିଆକୁ ଓହ୍ଲାଇପାରେ। କେମିତି ରହିବ ପ୍ରଥମ ଟେଷ୍ଟରେ ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶ ଏହା ଉପରେ ସଭିଙ୍କ ନଜର ରହିବ।
ସଦ୍ୟତମ ଖବର ଅନୁଯାୟୀ, ରୋହିତ ଶର୍ମା ନଭେମ୍ବର ୨୪ରେ ଭାରତୀୟ ଦଳ ସହ ଯୋଗ ଦେବେ। ପ୍ରଥମ ଟେଷ୍ଟ ସେ ଖେଳୁ ନ ଥିବାରୁ ତାଙ୍କ ଅନୁପସ୍ଥିତିରେ କେଏଲ ରାହୁଲ ଓପନିଂ ଭାବେ ବଲ ବିକଳ୍ପ ରହିଛନ୍ତି। କାରଣ ରାହୁଲଙ୍କ ପାଖରେ ୭୫ଟି ଇନିଂସରେ ଓପନିଂ କରିବାର ଅଭିଜ୍ଞତା ରହିଛି। ଏହି ୭୫ଟି ଇନିଂସରେ ସେ ୭ ଶତକ ଓ ୧୩ ଅର୍ଦ୍ଧଶତକ ସହ ୨୫୫୧ ରନ କରିଛନ୍ତି। ଶୁଭମନ ଗିଲ୍ ଆହତ ଥିବାରୁ ତାଙ୍କ ସ୍ଥାନରେ ଦେବଦତ୍ତ ପାଡିକଲ୍ଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିପାରେ। ଇଂଲଣ୍ଡ ବିପକ୍ଷରେ ଡେବ୍ୟୁ କରିଥିବା ଦେବଦତ୍ତ ପାଡିକଲ ୬୫ ରନ କରିଥିଲେ। ତେଣୁ ପାଡିକଲ ତିନି ନମ୍ବରରେ ବ୍ୟାଟିଂ କରି ପାରନ୍ତି।
ସ୍ଵାଭାବିକ ଭାବେ ଚାରି ନମ୍ବରରେ ବିରାଟ କୋହଲି ଓ ପାଞ୍ଚ ନମ୍ବରରେ ଋଷଭ ପନ୍ତ ବ୍ୟାଟିଂ କରିବେ।ଷଷ୍ଠ ନମ୍ବରରେ ଧ୍ରୁବ ଜୁରେଲଙ୍କୁ ସ୍ଥାନ ମିଳିପାରେ। କାରଣ ଧ୍ରୁବ ଜୁରେଲ ସଂପ୍ରତି ଭଲ ଫର୍ମରେ ଥିବା ସହ ଅଷ୍ଟ୍ରେଲିଆ ଏ ବିପକ୍ଷ ମ୍ୟାଚ୍ରେ ଭାରତୀୟ ଏ ପକ୍ଷରୁ ଦମଦାର ବ୍ୟାଟିଂ କରିଥିଲେ। ଏମିତି ହେଲେ ଭାରତ ପାଖରେ ଦୁଇ ଓ୍ଵିକେଟ୍ କିପର ବିକଳ୍ପ ରହିବ। ସ୍ପିନର ଭାବେ ରବିଚନ୍ଦ୍ରନ ଅଶ୍ଵିନଙ୍କୁ ଦଳ ପ୍ରାଧ୍ୟାନ୍ୟ ଦେଇପାରେ। ଆଉ ରବୀନ୍ଦ୍ର ଜାଡ଼େଜାଙ୍କୁ ବେଞ୍ଚରେ ବସିବାକୁ ପଡ଼ିପାରେ।
କେମିତି ରହିବ ବୋଲିଂ ବିଭାଗ ?
ପିଚ୍ କ୍ୟୁରେଟର ଆଇସୈକ ମ୍ୟାକଡୋନାଲ୍ଡ ସ୍ପଷ୍ଟ କରି ସାରିଛନ୍ତି ଯେ, ପର୍ଥ ପିଚ୍ ଦ୍ରୁତ ବୋଲରଙ୍କୁ ସୁହାଇବ। ଏମିତିରେ ଉଭୟ ଦଳ ୪ ଦ୍ରୁତ ବୋଲର ଓ ଜଣେ ସ୍ପିନରଙ୍କ ସହ ମଇଦାନକୁ ଓହ୍ଲାଇ ପାରନ୍ତି। ଯଶପ୍ରୀତ ବୁମରା ଭାରତୀୟ ବୋଲିଂର ନେତୃତ୍ଵ ନେବେ। ଦ୍ରୁତ ବୋଲର ଆକ୍ରମଣରେ ମହମ୍ମଦ ସିରାଜ ଓ ପ୍ରସିଦ୍ଧ କୃଷ୍ଣାଙ୍କୁ ସୁଯୋଗ ମିଳିପାରେ। ଦଳରେ ଚତୁର୍ଥ ଦ୍ରୁତ ବୋଲର ବିକଳ୍ପ ଭାବେ ନୀତିଶ କୁମାର ରେଡ୍ଡୀଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଯାଇପାରେ।
ଭାରତର ସମ୍ଭାବିତ ଚୂଡାନ୍ତ ଏକାଦଶ
ଯଶସ୍ୱୀ ଜୟସ୍ୱାଲ, କେଏଲ ରାହୁଲ, ଦେବଦତ୍ତ ପାଡିକଲ, ବିରାଟ କୋହଲି, ଋଷଭ ପନ୍ତ, ଧ୍ରୁବ ଜୁରେଲ, ଆର ଅଶ୍ୱିନ, ନୀତିଶ ରେଡ୍ଡୀ, ଯଶପ୍ରୀତ ବୁମରା(ଅଧିନାୟକ), ମହମ୍ମଦ ସିରାଜ ଓ ପ୍ରସିଦ୍ଧ କୃଷ୍ଣା ।