ଏବେ ଶୀତକୁ ନେଇ ତାଜା ଅପଡେଟ୍ କରୁଛି ଆଶ୍ଚର୍ଯ୍ୟ, ଲା-ନିନା ଇଫେକ୍ଟି ହିଁ ଅସଲ କାରଣ

Published By : Prameya-News7 Bureau | October 28, 2024 IST

ନୂଆଦିଲ୍ଲୀ ୨୮।୧୦:  ଅକ୍ଟୋବର ସମାପ୍ତ ହେବାକୁ ଯାଉଛି, ଦେଶର ଅଧିକାଂଶ ଅଞ୍ଚଳର ତାପମାତ୍ରା ଏବେ ହାରାହାରିଠୁ ୨ ଡିଗ୍ରି ଅଧିକ ରହୁଛି। ଅକ୍ଟୋବରରେ ଏ ପର୍ଯ୍ୟନ୍ତ ଶୀତର ଆରମ୍ଭ ମଧ୍ୟ ହୋଇ ନାହିଁ। ଲୋକେ ଏବେ ବି ରାତିରେ ଚଦର ଘୋଡେଇ ହେଉ ନାହାନ୍ତି, ଫ୍ୟାନ ଚଲେଇ ଶୋଉଛନ୍ତି। ଏହା ପରେ ଏବେ ଭାରତୀୟ ପାଣିପାଗ ବିାଜ୍ଞାନ ବିଭାଗ (ଆଇଏମଡି) ଓ ସାରା ବିଶ୍ୱର ପାଣିପାଗ ଏଜେନ୍ସୀଙ୍କ ପୂର୍ବାନୁମାନ ଉପରେ ପ୍ରଶ୍ନଚିହ୍ନ ଲାଗିଲାଣି। ଲା-ନିନା ପରିସ୍ଥିତି ଉତ୍ପନ୍ନ ହେବାର ଅନୁମାନରୁ କୁହାଯାଇଥିଲା ଏ ବର୍ଷ ଶୀତଦିନେ ଭୀଷଣ ଥଣ୍ଡା ପଡିବ। 

ହେଲେ ଏ ପର୍ଯ୍ୟନ୍ତ ଲା-ନିନା ପରିସ୍ଥିତି ବନି ପାରିନି। ଏଣୁ ଏବେ ପାଣିପାଗ ଏଜେନ୍ସୀମାନେ ଆକଳନ କଲେଣି ଏଥର ଶୀତ ଋତୁରେ ତାପମାତ୍ରା ସ୍ୱଭାବିକରୁ ଅଧିକ ରହିପାରେ।  ଆମେରିକୀୟ ଏଜେନ୍ସୀ ଏନଓଏଏ, ଅଷ୍ଟ୍ରେଲିୟା ଏଜେନ୍ସୀ ଏବିଏମ ଓ ଭାରତୀୟ ପାଣିପାଗ ଏଜେନ୍ସୀ ଆଇଏମଡି ଏପ୍ରିଲରେ ଲା-ନିନାକୁ ନେଇ ଆକଳନ କରିଥିଲେ ଓ କହିଥିଲେ ଜୁନରେ ଲା-ନିନା ବିକାଶିତ ହେବାର ସମ୍ଭାବନା ପ୍ରାୟ ୮୫ ପ୍ରତିଶତ। ହେଲେ ମୌସୁମୀ ଆସି ଫେରି ଗଲାଣି କିନ୍ତୁ ଲା-ନିନା ପରିସ୍ଥିତି ଉତ୍ପନ୍ନ ହୋଇପାରିନି । 

ଏବେ ଅନୁମାନ କରାଯାଉଛି ନଭେମ୍ବର ଶେଷ ସପ୍ତାହ ବେଳକୁ ଲା-ନିନା ବନିବାର ସମ୍ଭାବନା ପ୍ରାୟ ୬୦ ପ୍ରତିଶତ ରହୁଛି। ସମୁଦ୍ରର ଉଭୟ ମୁଣ୍ଡରେ ତାପମାନ ବୃଦ୍ଧି ଅଥବା ହ୍ରାସରେ ଏଲ-ନିନୋ ଓ ଲା-ନିନା ଇଫେକ୍ଟ ସୃଷ୍ଟି ହୁଏ। ଭାରତରେ ଲା-ନିନା ଯୋଗୁ ଭଲ ବର୍ଷା ହୁଏ। ଯଦି ଏଲ-ନିନୋ ହୁଏ ଏହାର ବିପରୀତ ହୁଏ। କେନ୍ଦ୍ର ପୃଥିବୀ ବିଜ୍ଞାନ ମନ୍ତ୍ରାଳୟଙ୍କ ପୂର୍ବତନ ସଚିବ ଏମ.ରାଜୀବନ କହିଛନ୍ତି ଯେ ‘ତାଜା ପୂର୍ବାନୁମାନରୁ ଯାହା ଜଣାପଡୁଛି ଏଥର ଲା-ନିନା ଦୁର୍ବଳ ଓ ସଂକ୍ଷିପ୍ତ ହେବ। କାରଣ ଚଳିତବର୍ଷ ମଡେଲ ଏହାର ପୂର୍ବାନୁମାନ କରିବାରେ ବିଫଳ ହୋଇଛନ୍ତି, ତେଣୁ ଏଥର ଶୀତ ଋତୁରେ ଭାରତରେ ଥଣ୍ଡାଦିନ ସଂଖ୍ୟା କମ ରହିବ’। 

ସେପଟେ ୟୁରୋପିୟାନ ସେଣ୍ଟର ଫର ମିଡିୟମ ରେଞ୍ଜ ୱେଦର ଫରକାଷ୍ଟ ଚଳିତବର୍ଷ ଶୀତ ଋତୁରେ ଉତ୍ତର ଭାରତର ତାପମାତ୍ରା ସ୍ୱଭାବିକ ଠାରୁ ଅଧିକ ରହିବ ଓ କମ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛନ୍ତି। ଉତ୍ତର ଭାରତରେ ତାପମାତ୍ରା ଏବେ ବି ସ୍ୱଭାବିକରୁ ଅଧିକ ରହୁଛି। ରାଜଧାନୀ ଦିଲ୍ଲୀରେ ରବିବାର ସର୍ବନିମ୍ନ ତାପମାତ୍ରା ୨୦.୧ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଥିଲା, ଯାହା ସ୍ୱଭାବିକରୁ ୩ ଡିଗ୍ରି ଅଧିକ। ସେହିପରି ଲକ୍ଷ୍ନୌରେ ସର୍ବନିମ୍ନ ତାପମାତ୍ରା ୨୨.୩ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି, ଯାହା ସ୍ୱଭାବିକରୁ ୫.୧ ଡିଗ୍ରି ଅଧିକ।       

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.