ରାଜଧାନୀରେ ଚାଞ୍ଚଲ୍ୟ : ବିଷ ଇଞ୍ଜେକ୍ସନ ଦେଇ ସ୍ତ୍ରୀକୁ ହତ୍ୟା, ସ୍ବାମୀ ସହ ଦୁଇ ଯୁବତୀ ଗିରଫ

Published By : Prameya-News7 Bureau | October 30, 2024 IST

ଭୁବନେଶ୍ବର ୩୦।୧୦: ରାଜଧାନୀରେ ଚାଞ୍ଚଲ୍ୟ । ବିଷ ଇଞ୍ଜେକ୍ସନ ଦେଇ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ଗତ ୨୮ ତାରିଖରେ ଭରତପୁର ଥାନା କଳିଙ୍ଗନଗର ଅଞ୍ଚଳରେ ଘଟିଥିଲା ହତ୍ୟାକାଣ୍ଡ । ଅଭିଯୁକ୍ତ ସ୍ୱାମୀ ପ୍ରଦ୍ୟୁମ୍ନ କୁମର ଓ ତାଙ୍କର ଦୁଇ ଜଣ ସହଯୋଗୀ ଯୁବତୀଙ୍କୁ ଗିରଫ କରିଛି ଭରତପୁର ଥାନା ପୋଲିସ । ତେବେ ପତ୍ନୀ ଶୁଭଶ୍ରୀ ନାଏକ ଜଣଙ୍କ ଆତ୍ମହତ୍ୟା କରିଥିବା ନେଇ ସ୍ୱାମୀ ଓ ସମ୍ପର୍କୀୟ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସର ସନ୍ଦେହ ହେବା ପରେ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ଜଣା ପଡିଥିଲା ମହିଳାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ।

ଅଭିଯୁକ୍ତ ସ୍ୱାମୀ ପ୍ରଦ୍ୟୁମ୍ନ କୁମର କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଅଞ୍ଚଳର । ଶୁଭଶ୍ରୀଙ୍କ ବାପଘର ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ବିଜେବି ନଗରରେ । ସେ ୨୦୨୦ ମସିହାରେ ପ୍ରଦ୍ୟୁମ୍ନଙ୍କ ସହ ପ୍ରଥମେ ମନ୍ଦିରରେ ପ୍ରେମ ବିବାହ କରିଥିଲେ। ପରେ ପୁଣି କୋର୍ଟ ମ୍ୟାରେଜ କରିଥିଲେ । ବିବାହ ପରେ ଉଭୟ ଏକାଠି ରହୁଥିଲେ । କିଛି ଦିନ ଭଲରେ ସମୟ କଟିଥିଲା । କିନ୍ତୁ ପରେ ପ୍ରଦ୍ୟୁମ୍ନ, ଶୁଭଶ୍ରୀଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ । ଅନେକ ସମୟରେ ଶୁଭଶ୍ରୀଙ୍କୁ ମାରଧର କରୁଥିଲେ । ଖାଲି ସେତିକି ନୁହେଁ ପ୍ରଦ୍ୟୁମ୍ନ ଶୁଭଶ୍ରୀଙ୍କୁ ଗାଡିରେ ନେଇ ଠେଲି ମାରିଦେବାକୁ ମଧ୍ୟ ଉଦ୍ୟମ କରିଥିଲେ । ନିର୍ଯାତନା ବଢିବାରୁ ଶୁଭଶ୍ରୀ ସବୁ କଥା ପରିବାର ଲୋକଙ୍କୁ ଜଣାଇଥିଲେ। ୪/୫ ମାସ ହେବ ଆସି ବାପଘରେ ରହୁଥିଲେ। ଗତ ୨୬ ତାରିଖରେ ପ୍ରଦ୍ୟୁମ୍ନ ଶ୍ଵଶୁର ଘରେ ପହଞ୍ଚିଥିଲେ। ଅନୁତାପ କରି ସ୍ତ୍ରୀ ଶୁଭଶ୍ରୀଙ୍କୁ ସାଥୀରେ ନେବାପାଇଁ କହିଥିଲେ। କିନ୍ତୁ ପୂର୍ବରୁ ଶୁଭଶ୍ରୀଙ୍କୁ ବାରମ୍ବାର ମାରିବାକୁ ଉଦ୍ୟମ କରିଥିବାରୁ ପ୍ରଦ୍ୟୁମ୍ନ ସହ ଛାଡିବାକୁ ପରିବାର ଲୋକ ରାଜି ହୋଇନଥିଲେ । ପରେ ବହୁ ବାଧ୍ୟ କରିବାରୁ ଜଣେ ଆଇନଜୀବୀଙ୍କ ନିକଟରେ ଲେଖାପଢା କରି ସାକ୍ଷୀମାନଙ୍କ ଉପସ୍ଥିତିରେ ଝିଅକୁ ଛାଡ଼ିଥିଲେ।

ପ୍ରଦ୍ୟୁମ୍ନ ଶୁଭଶ୍ରୀଙ୍କୁ ୨୭ ତାରିଖ ଦିନ ଖୋର୍ଦ୍ଧାରୁ ଆଣି ଭୁବନେଶ୍ୱର କେଶୁରାରେ ରଖିଥିଲେ। ଏହାପରେ ଦୁହେଁ କେଶୁରାରୁ ଆସି ଭରତପୁର କଳିଙ୍ଗନଗରରେ ଆଉ ଏକ ଭଡା ଘରେ ରହିଥିଲେ। ସୋମବାର ଦ୍ଵିପ୍ରହରରେ ଶୁଭଶ୍ରୀଙ୍କ ମାଆ ଝିଅକୁ ଫୋନ୍ କରିବାରୁ ୨ ଜଣ ଯୁବତୀ ଫୋନ୍ ଉଠାଇଥିଲେ । ଶୁଭଶ୍ରୀଙ୍କ ଦେହ ଅସୁସ୍ଥ ଥିବାରୁ ସେମାନେ କ୍ୟାପିଟାଲ ହସ୍ପିଟାଲ ଯାଉଛନ୍ତି ବୋଲି କହିଥିଲେ । ପରିବାର ଲୋକେ ହସ୍ପିଟାଲରେ ପହଞ୍ଚିବା ବେଳକୁ ଶୁଭଶ୍ରୀଙ୍କ ମୃତ୍ୟୁ ହୋଇସାରିଥିଲା । ହେଲେ ଏହି ଯୁବତୀ ୨ ଜଣ କିଏ ? ସେମାନେ କେଉଁଠାରୁ ଶୁଭଶ୍ରୀଙ୍କୁ ପାଇଲେ ତାହା ସ୍ପଷ୍ଟ କହି ନଥିଲେ। ଫଳରେ ପରିବାର ଲୋକଙ୍କ ସନ୍ଦେହ ବଢିଥିଲା । ଭରତପୁର ଥାନାରେ ଏନେଇ ଅଭିଯୋଗ କରିଥିଲେ । 

ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଶୁଭଶ୍ରୀଙ୍କ ଶବ ବ୍ୟବଚ୍ଛେଦ ବେଳେ ଚାଞ୍ଚଲ୍ୟକର ସତ ସାମ୍ନାକୁ ଆସିଛି। ଶୁଭଶ୍ରୀଙ୍କ ନାକରୁ ରକ୍ତ ବାହାରୁଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ରହିଛି। ତାଙ୍କ ହାତରେ ଇଞ୍ଜେକ୍ସନ ସିରିଞ୍ଜର ଚିହ୍ନ ରହିଥିବା ମଧ୍ୟ ଦେଖିବାକୁ ମିଳିଛି। ଏହି ଘଟଣାରେ ୨ ଜଣ ଯୁବତୀଙ୍କ ସମ୍ପୃକ୍ତି ଥିବାରୁ ପରକୀୟା ପ୍ରୀତିରୁ ହତ୍ୟା କରାଯାଇଥିବା ସନ୍ଦେହ ବଢିଛି। ପୋଲିସ ୨ ଯୁବତୀଙ୍କ ସମେତ ସ୍ଵାମୀ ପ୍ରଦ୍ୟୁମ୍ନଙ୍କୁ ଗିରଫ କରିଛି । ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଶୁଭଶ୍ରୀଙ୍କ ପରିବାର ଅଭିଯୋଗ କରିଛନ୍ତି। 

You Can Read:

ଯାତ୍ରାରେ ଅଶ୍ଲୀଳ ନୃତ୍ୟ ଓଡ଼ିଆ ସଂସ୍କୃତି ବିରୋଧୀ, ସରକାର ଆଣିବେ ନିୟମ : ପୃଥ୍ବୀରାଜ ହରିଚନ୍ଦନ


 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.