ନୂଆଦିଲ୍ଲୀ ୦୪।୧୧: ବିଶ୍ୱର ସବୁଠୁ ବଡ଼ କୁମ୍ଭୀର । ନିକଟରେ ବନ୍ଦୀ ଅବସ୍ଥାରେ ହୋଇଛି ମୃତ୍ୟୁ । ତାର ନାଁ ରଖା ଯାଇଥିଲା କାସିୟସ୍ । ତାକୁ ହୋଇଥିଲା ୧୧୦ରୁ ଅଧିକ ବର୍ଷ । ଏହାର ଲମ୍ବ ୧୮ ଫୁଟ ଓ ଓଜନ ଥିଲା ଏକ ଟନ୍ ।
ଅଷ୍ଟ୍ରେଲିଆର ମେରିନଲାଣ୍ଡ ମେଲାନେସିଆ ଅଭୟାରଣ୍ୟ କୁମ୍ଭୀରର ମୃତ୍ୟୁ ଘଟିଥିବା ନେଇ ସ୍ପଷ୍ଟ କରିଛି । ଅକ୍ଟୋବର ୧୫ ତାରିଖରୁ କୁମ୍ଭୀରର ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିଲା । ଶେଷରେ ତାର ମୃତ୍ୟୁ ହୋଇଛି । କାସିୟସ୍ ଅତି ବୁଢ଼ା ହୋଇଯାଇଥିଲା । ଏକ ସାଧାରଣ କୁମ୍ଭୀରଠାରୁ ସେ ବହୁତ ଅଧିକ ବର୍ଷ ବଞ୍ଚିଛି ।
୧୯୮୦ ମସିହାରେ ଅଷ୍ଟ୍ରେଲିଆର ଉତ୍ତର ଭାଗରେ ଧରାଯିବା ପରେ ତାକୁ ଏହି ଅଭୟାରଣ୍ୟକୁ ଅଣା ଯାଇଥିଲା । ଭୟଙ୍କର ଶିକାରୀ ଭାବେ ଗାଈମାନଙ୍କୁ ମାରି ଖାଇବା ନେଇ ତାର କୁଖ୍ୟାତି ଥିଲା । ସେବେଠାରୁ କୁମ୍ଭୀରଟି ସେହି ଅଭୟାରଣ୍ୟରେ ରହି ଆସୁଥିଲା । ୪୦ ବର୍ଷରୁ ଅଧିକ ସମୟ ଧରି ପର୍ଯ୍ୟଟକମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା ।
ବିଶ୍ୱର ସବୁଠୁ ବଡ଼ କୁମ୍ଭୀର ଭାବେ କାସିୟସ୍ ଗିନିଜ୍ ରେକର୍ଡର ମଧ୍ୟ ଅଧିକାରୀ ହୋଇଥିଲା । ୨୦୧୧ରେ ଫିଲିଫାଇନ୍ସର କୁମ୍ଭୀର ଲୋଲୋଙ୍ଗ(୨୦ ଫୁଟ ୩ ଇଞ୍ଚ)ର ର ମୃତ୍ୟୁ ପରେ ଏହି ଟାଇଟଲ ଜିତିଥିଲା କାସିୟସ୍ ।