ସ୍ପେନ୍‌ରେ ବିଶ୍ୱର ସର୍ବପ୍ରାଚୀନ ୱାଇନ୍‌, ୪ହଜାର ବର୍ଷ ତଳର ୱାଇନ୍‌ ଭିତରେ ମଣିଷର ଜୀବାଶ୍ମ ଅବଶେଷ ଠାବ

Published By : Prameya-News7 Bureau | June 22, 2024 IST

ନୂଆଦିଲ୍ଲୀ ୨୨।୦୬:  ଦକ୍ଷିଣ ସ୍ପେନ୍‌ରେ ରହିଛି ବିଶ୍ୱର ସର୍ବପ୍ରାଚୀନ ୱାଇନ୍‌ । ଏହାକୁ ଆବିଷ୍କାର କରିଛନ୍ତି ଅନୁସନ୍ଧାନକାରୀ । ଏକ ପ୍ରାଚୀନ ମାଟି ପାତ୍ରରେ ୱାଇନ୍‌ ଠାବ କରାଯାଇଛି, ଯାହା ୪ହଜାର ବର୍ଷ ପୁରୁଣା । ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ଯେତେ ପ୍ରାଚୀନ ୱାଇନ୍‌ ଆବିଷ୍କୃତ ହୋଇଛି, ଏହା ସବୁଠୁ ପୁରୁଣା ବୋଲି ଅନୁସନ୍ଧାନକାରୀ ଟିମ୍‌ କହିଛନ୍ତି । 

ଜର୍ଜିଆ, ଆର୍ମେନିଆ ଭଳି କ୍ଷେତ୍ରରେ ପୂର୍ବରୁ ଆବିଷ୍କୃତ ୱାଇନ୍‌କୁ ଏହା ପ୍ରାଚୀନତା ଦୃଷ୍ଟିରୁ ଟପିଛି । ଏହି ଆବିଷ୍କାରର ନେତୃତ୍ୱ ନେଇଥିବା ପ୍ରତ୍ନତତ୍ତ୍ୱବିତ୍‌ ମାରିଆ ପେରେଜ କହିଛନ୍ତି, ଏହି ଆବିଷ୍କାର କେବଳ ସ୍ପେନ୍‌ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ମାନବ ଇତିହାସରେ ୱାଇନ୍‌ ପ୍ରସ୍ତୁତିର ବିକାଶ ଓ ପ୍ରସାର ବିଷୟରେ ବୁଝିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । 

ମାଟି ପାତ୍ରରେ ଥିବା ଏହି ୱାଇନ୍‌ର ରାସାୟନିକ ତତ୍ତ୍ୱର ବିଶ୍ଳେଷଣ କରାଯାଇଥିଲା । ସେଥିରୁ ଟାରଟାରିକ୍‌ ଏସିଡ୍‌ର ଉପସ୍ଥିତି ମିଳିଛି, ଯାହା ଅଙ୍ଗୁର ୱାଇନ୍‌ର ପ୍ରମୁଖ ସୂଚକ । ୱାଇନ୍‌ ମିଳିଥିବା ସ୍ଥାନ ଆଣ୍ଡାଲୁସିଆରେ ଅବସ୍ଥିତ, ଯାହା ପ୍ରାଚୀନ କଳାକୃତିଗୁଡ଼ିକର ଭଣ୍ଡାର ଭାବେ ପରିଚିତ । କିନ୍ତୁ ଏଠାରେ ୱାଇନ୍‌ର ଆବିଷ୍କାର ଐତିହାସିକଙ୍କ ଓ ୱାଇନ୍‌ ପ୍ରତି ରୁଚି ରଖୁଥିବା ଲୋକଙ୍କ ଧ୍ୟାନ ଆକର୍ଷଣ କରିଛି । 

ୱାଇନ୍‌ ପାତ୍ରଟି ଏକ ଗୁମ୍ଫା ମଧ୍ୟରେ ପୋତା ହୋଇଥିଲା, ଯାହାକୁ ଅକ୍ଷତ ଅବସ୍ଥାରେ ଠାବ କରାଯାଇଛି । ଏହି ସର୍ବପ୍ରାଚୀନ ୱାଇନ୍‌ ଉତ୍ପାଦନ ଏକ ବୃହତ ସାଂସ୍କୃତିକ ଓ ସାମାଜିକ ପରମ୍ପରାର ନିଦର୍ଶନ ବୋଲି ପେରେଜ ଓ ତାଙ୍କ ଟିମ୍‌ ବିଶ୍ୱାସ କରୁଛନ୍ତି । ପ୍ରାଚୀନ ସମୁଦାୟଗୁଡ଼ିକ ପାଇଁ ୱାଇନ୍‌ ଉତ୍ପାଦନ ଓ ସେବନ ସାମାଜିକ ଓ ପାରମ୍ପରିକ ଜୀବନର ଗୁରୁତ୍ୱପୂର୍ଣ୍ଣ ଦିଗ ହୋଇଥିବ ବୋଲି ସେମାନେ ବିଶ୍ୱାସ କରୁଛନ୍ତି । 

ୱାଇନ୍‌ରେ ଜଣେ ବ୍ୟକ୍ତିଙ୍କ ଜୀବାଶ୍ମ ଅବଶେଷ ମଧ୍ୟ ମିଳିଛି । ତାହା ସଂଯୋଗ ନ ଥିଲା ବୋଲି ଅନୁସନ୍ଧାନକାରୀ କହିଛନ୍ତି । ଏହା ଐତିହାସିକ ବିଷୟକୁ ଦର୍ଶାଇଛି । ପ୍ରାଚୀନ ରୋମ୍‌ରେ ମହିଳାଙ୍କୁ ୱାଇନ୍‌ ପାନ ଉପରେ ପ୍ରତିବନ୍ଧକ ଥିଲା । ତେଣୁ ଜଣେ ପୁରୁଷ ଏହାକୁ ପିଉଥିଲେ ବୋଲି ସେମାନେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.