ନସରଲ୍ଲାଙ୍କ ମୃତ୍ୟୁ ଖବରକୁ ସ୍ପଷ୍ଟ କଲା ହେଜବୁଲ୍ଲା, OIC ଦେଶର ଜରୁରି ବୈଠକ ଡାକିଲା ଇରାନ

Published By : Prameya-News7 Bureau | September 28, 2024 IST

ନୂଆଦିଲ୍ଲୀ: ବେରୁଟ ଆକ୍ରମଣର ୨୦ ଘଣ୍ଟା ପରେ ନସରଲ୍ଲାଙ୍କ ମୃତ୍ୟୁ ହୋଇଥିବା ହେଜବୁଲ୍ଲା ସ୍ୱୀକାର କରିଛି । ହେଜବୁଲ୍ଲା ବୟାନ ଜାରି କହିଛି ଯେ ଶୁକ୍ରବାର ରାତିରେ ହୋଇଥିବା ଇସ୍ରାଏଲୀ ସେନାର ଆକ୍ରମଣରେ ମହାସଚିବ ହସନ ନସରଲ୍ଲାଙ୍କ ମୃତ୍ୟୁ ହୋଇଛି । ଇସ୍ରାଏଲୀ ସମାଚାର ଏଜେନ୍ସି ଅନୁସାରେ ବେରୁଟରେ ହେଜବୁଲ୍ଲା ମୁଖ୍ୟାଳୟ ଉପରେ  ଇସ୍ରାଏଲୀ ସେନା ୮୦ ଟନ୍‌ର ବୋମା ବ୍ୟବହାର କରିଥିଲା । ବିସ୍ଫୋରଣ ବେଳେ ନସରଲ୍ଲୁ ସେଠାରେ ଉପସ୍ଥିତ ଥିଲା । ଏହି ଆକ୍ରମଣ ୟୁଏନଜିସିରେ ନେତାନ୍ୟାହୁଙ୍କ ଭାଷଣର କିଛି ସମୟର ପରେ ହୋଇଥିଲା । ଏହାକୁ ଇସ୍ରାଏଲ ଦ୍ୱାରା ଲେବାନନ ଉପରେ ସବୁଠୁ ଭୀଷଣ ଆକ୍ରମଣ ବୋଲି କୁହାଯାଉଛି ।

ଶନିବାର ହେଜବୁଲ୍ଲା ସଂଗଠନର ମୁଖ୍ୟ ନସରଲ୍ଲାଙ୍କ ମୃତ୍ୟୁ ଖବରକୁ ସ୍ପଷ୍ଟ କରିଛି । ହେଜବୁଲ୍ଲା ପକ୍ଷରୁ ବୟାନ ଜାରି କୁହାଯାଇଛି, 'ହେଜବୁଲ୍ଲାର ମହାସଚିବ ସୈୟଦ ହସନ ନସରଲ୍ଲା ନିଜର ମହାନ ଅମର ସହିଦ ସାଥୀଙ୍କ ମଧ୍ୟରେ ସାମିଲ ହୋଇଛନ୍ତି, ଯାହାଙ୍କ ମାର୍ଗରେ ସେ ପ୍ରାୟ ୩୦ ବର୍ଷ ଯାଏ ନେତୃତ୍ୱ ନେଇଥିଲେ । ୧୯୯୨ରେ ଇସଲାମିକ ପ୍ରତିରୋଧ ସହିଦଙ୍କ ପରେ ସେ ଉତ୍ତରାଧିକାର ହୋଇଥିଲେ । ହେଜବୁଲ୍ଲା କହିଛି, 'ଆମେ ତାଙ୍କ ପରିବାର ପ୍ରତି ନିଜ ସମବେଦନା ବ୍ୟକ୍ତ କରୁଛୁ । ଆମର ସର୍ବୋଚ୍ଚ କମାଣ୍ଡର ନିଜ ବଳିଦାନ ଦେଇଛନ୍ତି । ତାଙ୍କ ନେତୃତ୍ୱରେ ହେଜବୁଲ୍ଲା ଯେଉଁ ପ୍ରତିଜ୍ଞା ନେଇଥିଲା, ତାହାକୁ ଆମର ଆଗାମୀ ନେତୃତ୍ୱ ପୂରଣ କରିବ । ଗାଜା ଏବଂ ଫିଲିସ୍ତିନ ସମର୍ଥନରେ ନିଜ ଶତ୍ରୁର ସାମନା ଜାରି ରଖିବୁ । ଲେବାନନର ଲୋକଙ୍କ ସୁରକ୍ଷା ପାଇଁ ନିଜ ଜିହାଦକୁ ଜାରି ରଖିବା ପାଇଁ ପ୍ରତିଜ୍ଞା ନେଉଛି ।'

ଏହାରି ଭିତରେ ଲେବାନନ ଏବଂ ଫିଲିସ୍ତିନରେ ଇସ୍ରାଏଲ ଆକ୍ରମଣର ମୁକାବିଲା ପାଇଁ ଇସ୍ଲାମିକ ସହଯୋଗ ସଂଗଠନ ସଦସ୍ୟ ରାଷ୍ଟ୍ରଙ୍କ ବୈଠକ ପାଇଁ ଇରାନ ଆହ୍ୱାନ କରିଛି । ଇରାନର ସର୍ବୋଚ୍ଚ ନେତା କହିଛନ୍ତି ଯେ ଦୁନିଆର ସବୁ ମୁସଲିମ୍ ଦେଶକୁ ଏହି ସମୟରେ ଲେବାନନ ଏବଂ ହେଜବୁଲ୍ଲା ସହ ରହିବା ଦରକାର । ସମସ୍ତେ ଏକ ହୋଇ ହେଜବୁଲ୍ଲା ନେତୃତ୍ୱରେ ଏହି ଲଢେଇ ଲଢିବାକୁ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.