ଭୁବନେଶ୍ବର ୩୧।୩: ଖରାରେ ଆଉଟ ପାଉଟ ହେଉଛି ସାରା ରାଜ୍ୟ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଛଟପଟ ଜନଜୀବନ । ବଦଳିପାରେ ପାଗର ମିଜାଜ । ଆଗାମୀ ୫ ଦିନ ଯାଏଁ ବର୍ଷା ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଆସନ୍ତା ୨ ଦିନ ଯାଏଁ ଖରା ସହିତ କିଛି ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକା ବର୍ଷା ସମ୍ଭାବନା ରହିଛି । ୨୪ ଘଣ୍ଟା ପାଇଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, କେନ୍ଦୁଝର ଓ ମୟୁରଭଞ୍ଜରେ ବିଜୁଳି ଘଡଘଡିକୁ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହିସବୁ ଜିଲ୍ଲାରେ ୩୦ରୁ ୪୦ କି.ମି. ବେଗରେ ପବନ ମଧ୍ୟ ବହିବାର ସମ୍ଭାବନା ରହିଛି ।
ସେହିପରି ମଙ୍ଗଳବାର ପାଇଁ ମାଲକାନଗିରି, କୋରାପୁଟ, ନୂଆପଡା, ରାୟଗଡା, କଳାହାଣ୍ଡି, ନୂଆପଡା, କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ ଓ ଅନୁଗୁଳ ଏହି ୧୦ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାକୁ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଏହି ଜିଲ୍ଲାରେ ୩୦ ରୁ ୪୦ କି.ମି. ବେଗରେ ପବନ ମଧ୍ୟ ବହିବାର ସମ୍ଭାବନା ରହିଛି । ୨ ତାରିଖରୁ ବର୍ଷାର ପରିମାଣ ବଢିବ ଅର୍ଥାତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ବିଶେଷକରି ଦକ୍ଷିଣ ଓଡ଼ିଶାରେ ବର୍ଷା ପ୍ରଭାବ ରହିବ । ୨ ତାରିଖରେ ବିଜୁଳି ଘଡଘଡି ସହ ବର୍ଷାକୁ ନେଇ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୋନପୁର, ବୌଦ୍ଧ, ଅନୁଗୁଳ, ବରଗଡ଼, ସମ୍ବଲପୁର, ଝାରସୁଗୁଡା, ଦେଓଗଡ଼ ଓ ସୁନ୍ଦରଗଡ ଏହି ୧୩ ଜିଲ୍ଲାକୁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲାରେ ୪୦ରୁ ୫୦ କି.ମି. ପବନ ମଧ୍ୟ ବହିବାର ସମ୍ଭାବନା ଦେଇଛି ବିଭାଗ । ୨, ୩ ଓ ୪ ତାରିଖରେ ଏଭଳି ବର୍ଷା ସମ୍ଭାବନା ଥିବା ବେଳେ ୪ ପରେ ପୁଣି ଧୀରେ ଧୀରେ ଖରା ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଅନ୍ୟପଟେ ଗତ ୨୪ ଘଣ୍ଟାରେ ୭ଟି ସ୍ଥାନରେ ୪୧ ଡିଗ୍ରୀ ଉପରେ ଓ ୯ଟି ସ୍ଥାନରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହିଥିବା ବେଳେ ବୌଦ୍ଧରେ ସର୍ବାଧିକ ତାପମାତ୍ରା ୪୧.୮ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଭୁବନେଶ୍ୱରରେ ୩୮.୧ ଓ କଟକରେ ୩୭.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।
You Can Read:
ଦଣ୍ଡ ନାଚ ବେଳେ ସାମାନ୍ୟ ଗଣ୍ଡଗୋଳରୁ ଗଡ଼ିଲା ମୁଣ୍ଡ, ମାରଣାସ୍ତ୍ର ସହ ବାପ-ପୁଅ ଗିରଫ