କୋପା-ଆମେରିକା କପ୍; ସେମି ଫାଇନାଲରେ ଉରୁଗୁଏ ଓ କଲମ୍ବିଆ, ବ୍ରାଜିଲ୍‌ର ଅଭିଯାନ ଶେଷ

Published By : Prameya-News7 Bureau | July 08, 2024 IST

ନ୍ୟୁୟର୍କ, ୮/୭: କୋପା  ଆମେରିକା କପ୍‌ରୁ ୯ଥର ଚାମ୍ପିଅନ୍‌ ବ୍ରାଜିଲ୍‌ର ବିଦାୟ । ଚମତ୍କାର ଖେଳ ପ୍ରଦର୍ଶନ କରି ସେମିରେ ପ୍ରବେଶ କରିଛି ଉରୁଗୁଏ ଓ କଲମ୍ବିଆ । ତୃତୀୟ କ୍ୱାର୍ଟର   ଫାଇନାଲ୍‌ରେ କଲମ୍ବିଆ ୫-୦  ଗୋଲ୍‌ରେ ପାନାମାକୁ ପରାସ୍ତ କରିଛି । ସେହିପରି ଅନ୍ୟ ଏକ କ୍ୱାର୍ଟର ଫାଇନାଲ୍‌ ମୁକାବିଲାରେ ବ୍ରାଜିଲ୍‌ ୨-୪ ପେନାଲ୍ଟି ସୁଟ୍‌ ଆଉଟ୍‌  ଗୋଲ୍‌ରେ ଉରୁଗୁଏ ଠାରୁ ପରାଜିତ ହୋଇଥିଲା ।  

ଲାସ ଭେଗାସ ସ୍ଥିତ ଆଲେଜାଏଣ୍ଟ୍‌  ଷ୍ଟାଡ଼ିୟମ୍‌ରେ ଅନୁଷ୍ଠିତ ଏହି ମ୍ୟାଚ୍‌ ନିର୍ଦ୍ଧାରିତ  ସମୟ ସୁଦ୍ଧା ଗୋଲ ଶୂନ୍ୟ ରହିଥିଲା । ୯୦ମିନିଟର  ମୁକାବିଲା ମଧ୍ୟରେ ମୋଟ୍‌ ୪୧ଟି ଫାଉଲ ମାରିଥିଲେ ଉଭୟ ଦଳର ଖେଳାଳି । ମାତ୍ର ଗୋଲ୍‌ ପୋଷ୍ଟରେ ବଲ୍‌ ପହଞ୍ଚାଇବାରେ ସବୁ ବିଫଳ ହୋଇଥିଲେ । ଟାଇବ୍ରେକରରେ  ଉରୁଗୁଏ ୪ଟି ଗୋଲ୍‌ କରିଥିଲା । ମାତ୍ର ବ୍ରାଜିଲ୍‌ ଖେଳାଳି ପେନାଲ୍ଟି ମାରିବାରେ  ବିଫଳ ହୋଇଥିଲେ । କେବଳ ଆନ୍ଦ୍ରେସ  ପେରେରା ଓ ଗାବ୍ରିଏଲ ମାର୍ଟିନେଲି ପେନାଲ୍ଟିରେ ସଫଳ ହୋଇଥିଲେ । ଉରୁଗୁଏ ପକ୍ଷରୁ ଫେଡେରିକୋ ଭାଲଭର୍ଡ, ରୋଡ୍ରିଗୋ ବେଣ୍ଟାଙ୍କର,  ଜର୍ଜିଆନ ଡି ଆରାସକେଟା ଓ ମାନୁଏଲ ୟୁଗ୍ରେଟ୍  ପେନାଲ୍ଟିକୁ ଗୋଲ୍‌ରେ ପରିଣତ କରିଥିଲେ ।  

ସେହିପରି ଫୋନିକ୍ସ ଷ୍ଟାଡ଼ିୟମ୍‌ରେ ଅନୁଷ୍ଠିତ  ମ୍ୟାଚ୍‌ରେ କଲମ୍ବିଆ ଆଧିପତ୍ୟ ବିସ୍ତାର  କରି ଖେଳି ୫-୦ ଗୋଲ୍‌ରେ ବିଜୟ ହାସଲ  କରିଥିଲା । ଦଳ ପକ୍ଷରୁ ଅଷ୍ଟମ ମିନିଟ୍‌ରେ  ଜନ୍ କୋର୍ଡୋବା, ୧୫ତମ ମିନିଟ୍‌ରେ ଜେମ୍ସ ରୋଡ୍ରିଗୁଏଜ(ପେନାଲ୍ଟି), ୪୧ତମ ମିନିଟ୍‌ରେ ଲୁଇସ ଡାଏଜ, ୭୦ତମ ମିନିଟ୍‌ରେ ରିଚାର୍ଡ  ରିୟସ ଓ ୯୦ତମ ମିନିଟ୍‌ରେ ମିଗ୍ୱେଲ ବୋର୍ଜା(ପେନାଲ୍ଟି) ଗୋଲ୍‌ କରିଥିଲେ ।  କଲମ୍ବିଆ ଓ ଉରୁଗୁଏର ବିଜୟ ସହ ସେମି ଫାଇନାଲ୍‌ ଲାଇନ୍‌ ଅପ୍‌ ଚୂଡ଼ାନ୍ତ  ହୋଇଛି । ପ୍ରଥମ ସେମି ଫାଇନାଲ୍‌ରେ ଆର୍ଜେଣ୍ଟିନା ଓ କାନାଡ଼ା ପରସ୍ପରକୁ ଭେଟିବେ ।  ସେହିପରି ଉରୁଗୁଏ ଓ କଲମ୍ବିଆ ମଧ୍ୟରେ  ଦ୍ୱିତୀୟ ସେମି ଫାଇନାଲ ଖେଳାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.