୨୧୭ ରନ୍...୧୭ ୱିକେଟ୍, ପର୍ଥ ଟେଷ୍ଟର ପ୍ରଥମ ଦିନରେ ବୋଲରଙ୍କ ଆତଙ୍କ, ଡ୍ରାଇଭିଂ ସିଟ୍‌ରେ ଭାରତ

Published By : Prameya-News7 Bureau | November 22, 2024 IST

ପର୍ଥ: ବର୍ଡର-ଗାଭାସ୍କର ଟ୍ରଫିର ଆରମ୍ଭ ଆଶାଠାରୁ ଅଧିକ ରୋମାଞ୍ଚକର ହୋଇଛି । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ପର୍ଥ ଷ୍ଟାଡିୟମରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିନର ଖେଳ ଶେଷରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୬୭ ରନ୍ କରି ୭ ୱିକେଟ୍ ହରାଇଛି । ଏହା ପୂର୍ବରୁ ଭାରତୀୟ ଟିମ୍ ପ୍ରଥମେ ବ୍ୟାଟିଂ କରି ୧୫୦ ରନ୍‌ରେ ଅଲ୍ଆଉଟ୍ ହୋଇଥିଲା । ଭାରତୀୟ ଟିମ୍ ପାଖରେ ୮୩ ରନ୍ ଲିଡ୍ ରହିଛି ।

ପର୍ଥ ଟେଷ୍ଟର ପ୍ରଥମ ଦିନର ସ୍ଥିତି ବୁଝିବାକୁ ହେଲେ, ସ୍କୋରବୋର୍ଡକୁ ଦେଖିବାକୁ ହେବ । ପର୍ଥ ପିଚ୍ ବ୍ୟାଟରଙ୍କ ପାଇଁ କାଳ ହୋଇଥିବା ବେଳେ ବୋଲର୍‌ଙ୍କ ଆତଙ୍କ ଦେଖିବାକୁ ମିଳିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ଓହ୍ଲାଇଥିବା ଭାରତୀୟ ବ୍ୟାଟର ଫ୍ଲପ୍ ସୋ' କରିଥିଲେ । ଏହାପରେ କିନ୍ତୁ ବୁମରାଙ୍କ ନେତୃତ୍ୱରେ ବୋଲର୍ ଯାହା କରିଛନ୍ତି, ତାହାକୁ ଜୋରଦାର କମ୍‌ବ୍ୟାକ୍ ବୋଲି କୁହାଯିବ । ପର୍ଥ ଟେଷ୍ଟର ପ୍ରଥମ ଦିନରେ ସବୁଠୁ ବଡ଼ ହାଇଲାଇଟ୍ ହେଉଛି ସମସ୍ତ ୧୭ ୱିକେଟ୍ ଫାଷ୍ଟ ବୋଲରଙ୍କୁ ମିଳିଛି ।

ଭାରତର ପ୍ରଥମ ଇନିଂସ

ପର୍ଥ ଟେଷ୍ଟରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ବିପର୍ଯ୍ୟୟ ପରେ ଟିମ୍ ଇଣ୍ଡିଆ ମାତ୍ର ୧୫୦ ରନ୍‌ରେ ନିଜର ସମସ୍ତ ୱିକେଟ୍ ହରାଇ ବସିଥିଲା । ଡେବ୍ୟୁ ମ୍ୟାଚ୍ ଖେଳୁଥିବା ନୀତୀଶ ରେଡ୍ଡି ସବୁଠୁ ଅଧିକ ୪୧ ରନ୍, ରିଷଭ ପନ୍ତ ୩୭ ରନ୍ ଏବଂ କେଏଲ୍ ରାହୁଲ ୨୬ ରନ୍ କରି ଆଉଟ୍ ହୋଇଥିଲେ । ଭାରତର ଓପନର ଜୈସ୍ୱାଲ ଏବଂ ଦେବଦତ୍ତ ପାଡିକ୍କଲ ଖାତା ନଖୋଲି ଫାଭିଲିୟନ ଫେରିଥିଲେ । ବିରାଟ କୋହିଲ ୫ ରନ୍ ଏବଂ ଧ୍ରୁବ ଜୁରେଲ ୧୧ ରନ୍ କରି ଫେରିଥିଲେ । ଅଷ୍ଟ୍ରେଲିଆର ଜୋଶ୍ ହେଜଲଉଡ୍‌ଙ୍କୁ ସର୍ବାଧିକ ୪ ୱିକେଟ୍ ମିଳିଛି । ଅନ୍ୟପଟେ ମିଚେଲ୍ ଷ୍ଟାର୍କ, ପାଟ୍ କମିନ୍ସ ଏବଂ ମାର୍ଶଙ୍କୁ ଦୁଇଟି ଲେଖାଏ ୱିକେଟ୍ ମିଳିଛି ।

ଅଷ୍ଟ୍ରେଲିଆର ପ୍ରଥମ ଇନିଂସ

ଅଷ୍ଟ୍ରେଲିଆ ମଧ୍ୟ ପ୍ରଥମ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସାମନା କରିଛି । ତୃତୀୟ ଓଭରରେ ବୁମରା ଭାରତ ପାଇଁ ପ୍ରଥମ ସଫଳତା ହାସଲ କରିଥିଲେ । ୧୦ ରନ୍ କରି ନାଥନ ମ୍ୟାକସ୍ୱିନୀ ଫାଭେଲିୟନ ଫେରିଥିଲେ । ଏହାପରେ ଉସ୍ମାନ ଖ୍ୱାଜାଙ୍କୁ କୋହଲିଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇଲେ । ଏହାର ପରବର୍ତ୍ତୀ ବଲରେ ଷ୍ଟିଭ୍ ସ୍ମିଥଙ୍କୁ ଏଲବିଡବ୍ଲୁ କରି ବାହାର ରାସ୍ତା ଦେଖାଇଥିଲେ ବୁମରା । ଟ୍ରାଭିସ୍ ହେଡଙ୍କୁ ଡେବ୍ୟୁଟାଣ୍ଟ ହର୍ଷିତ ରାଣା କ୍ଲିନ୍ ବୋଲ୍ଡ କରିଥିଲେ । ମିଚେଲ୍ ମାର୍ଶ ଏବଂ ଲାବୁସେନଙ୍କ ୱିକେଟ୍ ନେଇଥିଲେ ସିରାଜ । ଦିନର ଶେଷ ୱିକେଟ୍ ଭାବେ ପାଟ୍ କମିନ୍ସଙ୍କୁ ଆଉଟ୍ କରିଥିଲେ ଭାରତୀୟ ଅଧିନାୟକ ଜଶପ୍ରୀତ ବୁମରା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.