ଇସ୍ଲାମାବାଦ: ପାକିସ୍ତାନର ପଖତୁନ୍ଖ୍ୱା ପ୍ରଦେଶରେ ହୋଇଥିବା ଗୁଳିମାଡ଼ ଘଟଣାରେ ମୃତ୍ୟୁ ସଂଖ୍ୟା ୫୦କୁ ବୃଦ୍ଧି । ମୃତକଙ୍କ ମଧ୍ୟରେ ୬ଜଣ ମହିଳା ରହିଛନ୍ତି । ସେହିପରି ଏହି ଘଟଣାରେ ୨୦ରୁ ଅଧିକ ଆହତ ହୋଇଛନ୍ତି । ଗୁରୁତରଙ୍କ ସଂଖ୍ୟା ଅଧିକ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି ।
ଗୁରୁବାର ପାକ୍ର ଖାଇବର ପଖତୁନ୍ଖ୍ୱା ପ୍ରଦେଶ କୁରମ୍ ଜିଲ୍ଲାରେ ଏକ ଯାତ୍ରୀବାହୀ ଭ୍ୟାନ୍ ଉପରେ କିଛି ବନ୍ଧୁକଧାରୀ ଆତଙ୍କୀ ଅତର୍କିତ ଭାବେ ଗୁଳି ମାଡ଼ କରିଥିଲେ । ଭ୍ୟାନ୍ଟି ପାରଚିନାରରୁ ପେଶାୱର ଅଭିମୁଖେ ଯାଉଥିଲା । ସେଥିରେ ଶିଆ ମୁସଲମାନ ସମ୍ପ୍ରଦାୟର କିଛି ଲୋକ ଯାତ୍ରା କରୁଥିଲେ । ଲୋଅର କୁରମର ଓଚୁଟ୍ କାଲି ଏବଂ ମନ୍ଦୁରୀ ନିକଟ ଦେଇ ଭ୍ୟାନ୍ଟି ଅତିକ୍ରମ କରିବା ପରେ ସେଠାରେ ପୂର୍ବରୁ ପ୍ରସ୍ତୁତ ଥିବା ୧୦ରୁ ଅଧିକ ଆତଙ୍କୀ ଆଖିବୁଜା ଗୁଳିମାଡ଼ କରିଥିଲେ । ଉକ୍ତ ଭ୍ୟାନ୍କୁ ସୁରକ୍ଷା ଦେଇ ଯାଉଥିବା ପେଲିସ କନ୍ଭେ ଉପରେ ମଧ୍ୟ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଏହି ଘଟଣାରେ ପ୍ରାୟ ୫୦ଜଣ ପ୍ରାଣ ହରାଇଛନ୍ତି ।
ପାକିସ୍ତାନ ଜନସଂଖ୍ୟାର ମାତ୍ର ୧୫ ପ୍ରତିଶତ ହେଉଛନ୍ତି ଶିଆ ମୁସ୍ଲିମ । ସୁନି ସମୁଦାୟର ମୁସଲମାନ ପାକିସ୍ତାନରେ ଅଧିକ ମାତ୍ରାରେ ରହୁଛନ୍ତି । ଦୁଇ ସମ୍ପଦ୍ରାୟ ମଧ୍ୟରେ ଅନେକ ସମୟରେ ବିବାଦ ଦେଖିବାକୁ ମିଳେ । କୁରମ ଭଳି କିଛି ଅଞ୍ଚଳରେ ଏହି ବିବାଦ ଲାଗି ରହିଥାଏ । ଗତ ଜୁଲାଇରେ ମଧ୍ୟ ଶିଆ-ସୁନ୍ନିଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ଅନ୍ୟୁନ ୫୦ ଜଣଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟପକ୍ଷରେ ଲଗାତର ଆତଙ୍କବାଦୀ ଆକ୍ରମଣ ପାକ୍ ସରକାରଙ୍କ ଚିନ୍ତା ବଢ଼ାଇଛି ।