ନୂଆଦିଲ୍ଲୀ: ଆଇପିଏଲ୍ ମେଗା ନିଲାମରେ କମାଲ କରିଛନ୍ତି ୧୩ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ। ସବୁଠୁ ଅଧିକ ଚର୍ଚ୍ଚିତ ଏହି ଖେଳାଳି ଆଇପିଏଲ୍ ଇତିହାସରେ ସର୍ବକନିଷ୍ଠ କୋଟିପତି ପାଲଟିଛନ୍ତି। ରାଜସ୍ଥାନ ରୟାଲ୍ସ ତାଙ୍କୁ ୧.୧୦ କୋଟି ଟଙ୍କାରେ କିଣିଛି। ମୂଳତଃ ବିହାରର ବାସିନ୍ଦା ବାମହାତୀ ବ୍ୟାଟର ବୈଭବ ବଡ଼ ବଡ଼ ଛକା ମାରିବା ପାଇଁ ପରିଚିତ।
ଏଥର ଆଇପିଏଲ୍ ମେଗା ନିଲାମରେ ଓହ୍ଲାଇବାରେ ବୈଭବ ସର୍ବକନିଷ୍ଠ କ୍ରିକେଟର। ତାଙ୍କର ମୂଳ ମୂଲ୍ୟ ୩୦ ଲକ୍ଷ ଟଙ୍କା ଥିଲା। ଆଉ ନିଲାମରେ ତାଙ୍କୁ ରାଜସ୍ଥାନ ରୟାଲ୍ସ ୧.୧୦ କୋଟି ଟଙ୍କାରେ କିଣିଛି। ନିଲାମ ପାଇଁ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ନାଁ ଆସିବା କ୍ଷଣି ତାଙ୍କୁ କିଣିବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଛକାପଞ୍ଝା ଚାଲିଥିଲା। ଡାକରା ୩୦ ଲକ୍ଷରୁ ଆରମ୍ଭ ହୋଇ ୧.୧୦ କୋଟି ଟଙ୍କାରେ ପହଞ୍ଚିଥିଲା। ଆଉ ଶେଷରେ ରାଜସ୍ଥାନ ରୟାଲ୍ସ ବାଜି ମାରି ନେଇଛି। ଏହି ଯୁବ ବ୍ୟାଟର ଏବେ ସଞ୍ଜୁ ସାମସନଙ୍କ ନେତୃତ୍ଵାଧୀନ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିବେ।
ବୈଭବ ସୂର୍ଯ୍ୟବଂଶୀ ନିକଟରେ ଚର୍ଚ୍ଚାରେ ରହିଥିଲେ। ସେ ଅନ୍ତର୍ଜାତୀୟସ୍ତରରେ ଶତକ ହାସଲକାରୀ ଯୁବ ଖେଳାଳି ହୋଇଥିଲେ। ସେ ଏହି ଉପଲବ୍ଧି ଭାରତର ୧୯ ବର୍ଷରୁ କମ ଟେଷ୍ଟ ମ୍ୟାଚ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ହାସଲ କରିଥିଲେ। ବୈଭବ ଉକ୍ତ ମ୍ୟାଚ୍ରେ ମାତ୍ର ୬୨ ବଲ୍ରୁ ୧୦୪ ରନର ଇନିଂସ ଖେଳିଥିବା ବେଳେ ୫୯ ବଲ୍ରୁ ଶତକ ପୂରଣ କରିଥିଲେ। ଏଥିରେ ୧୪ ଚୌକା ଓ ୪ ଛକା ସାମିଲ।
ସୂର୍ଯ୍ୟବଂଶୀ ଚଳିତ ବର୍ଷ ବିହାର ପକ୍ଷରୁ ରଣଜୀରେ ପଦାର୍ପଣ କରି ପ୍ରଥମ ଥର ଚର୍ଚ୍ଚାକୁ ଆସିଥିଲେ। ସେହି ସମୟରେ ବୈଭବଙ୍କୁ ମାତ୍ର ୧୨ ବର୍ଷ ୨୮୪ ଦିନ ବୟସ ହୋଇଥିଲା। ସେ ଭାରତ ପାଇଁ ପ୍ରଥମ ଶ୍ରେଣୀ ଟୁର୍ଣ୍ଣାମେଣ୍ଟ ଖେଳିବାରେ ସବୁଠୁ ଯୁବ ଖେଳାଳି ହୋଇଥିଲେ।